ଲକ୍ଷ୍ମୀଙ୍କ ଧାରଣା ଦ୍ବିତୀୟ ଦିନରେ; ଶାଶୂଘର ସାମ୍ନାରେ ରୋଷେଇ କରି ଖାଇଲେ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ରଙ୍ଗୁଣି ସାହିରେ ପତ୍ନୀ ମାନ୍ୟତା ଦାବିରେ ଲକ୍ଷ୍ମୀ ମଣ୍ଡଳଙ୍କ ଧାରଣା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଆଜି ଶାଶୂଘର ବାରଣ୍ଡା‌ରେ ସେ ଭାତ, ଡାଲମା ଓ ଶାଗଭଜା ରୋଷେଇ କରି ଖାଇଛନ୍ତି। ଆଉ ସ୍ବାମୀ ଓ ଶାଶୂଘର ଲୋକେ ମୋତେ ଗ୍ରହଣ ନକରିବା ଯାଏ ଧାରଣା ଜାରି ରହିବ ବୋଲି ଲକ୍ଷ୍ମୀ କହିଛନ୍ତି। ଫଳରେ ଏହାକୁ ନେଇ ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଲକ୍ଷ୍ମୀଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ନୃସିଂହ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ‌ଲକ୍ଷ୍ମୀଙ୍କୁ ମନ୍ଦିରରେ ବିବାହ କରି ନଥିଲି। ଯଦି ଏହା ସତ ତା’ହେଲେ ସେ ପ୍ରମାଣ ଦେଖାନ୍ତୁ। ଗ୍ରାମର କିଛି ଭଦ୍ରବ୍ୟକ୍ତି ତାଙ୍କୁ ବାସନ୍ଦ ଓ ଏକଲକ୍ଷ ଟଙ୍କା ଜରିମାନାର ଭୟ ଦେଖାଇ କୋର୍ଟ କାଗଜରେ ତାଙ୍କର ଜବରଦସ୍ତ ଦସ୍ତଖତ କରାଇ ନେଇଥିଲେ। ଲକ୍ଷ୍ମୀଙ୍କ ସହ ମୋର କୌଣସି ସଂପର୍କ ନାହିଁ। ପ୍ରମିଳାଙ୍କ ସହାୟତା ନେଇ ମୋତେ କେବଳ ଫସାଇବାକୁ ଉଦ୍ୟମ ହେବା ସହ ମାନସିକ ନିର୍ଯାତନା ଦିଆଯାଉଛି’ ବୋଲି ନୃସିଂହ କହିଛନ୍ତି।

ଲକ୍ଷ୍ମୀ କହିଛନ୍ତି, ଉକ୍ତ ଗ୍ରାମର ନୃସିଂହ ପ୍ରଧାନଙ୍କ ତାଙ୍କର ତିନିବର୍ଷ ହେଲା ପ୍ରେମ ସଂପର୍କ ଥିଲା। ଦୁହେଁ ଲୁଚାଛପାରେ ପଞ୍ଚମା ଗଣେଶ ମନ୍ଦିରରେ ବିବାହ କରିଥିଲେ। ଏହାସହ ଗତବର୍ଷ ଡିସେମ୍ବର ୨୭ରେ ଲକ୍ଷ୍ମୀଙ୍କୁ ବିବାହ କରିବେ ବୋଲି ନୃସିଂହ ନୋଟାରି ମାଧ୍ୟମରେ ଶପଥପାଠ କରିଥିଲେ। ଉଭୟ ପରିବାରଲୋକେ ଉପସ୍ଥିତ ଥିଲେ। କିନ୍ତୁ ଏବେ ନୃସିଂହ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରୁ ନଥିବା ବେଳେ ତାଙ୍କ ପରିବାରଲୋକ ବିବାହକୁ ମଧ୍ୟ ସ୍ବୀକୃତି ଦେଉନାହାନ୍ତି। ଫଳରେ ସେ ମାନସିକସ୍ତର‌ରେ ଭାଙ୍ଗିପଡ଼ି ରେଳଧାରଣାରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଗ୍ରାମର କିଛି ଲୋକ ତାଙ୍କୁ ଉଦ୍ଧାର କରି ପ୍ରମିଳାଙ୍କ ସହାୟତା ଲୋଡ଼ିଥିଲେ। ଏହାସହ ଲକ୍ଷ୍ମୀ ନ୍ୟାୟ ପାଇଁ ଗୋଳନ୍ଥରା ଥାନାରେ ନୃସିଂହଙ୍କ ନାମ‌ରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଥିଲା। ଏଥିପାଇଁ ନୃସିଂହ ୪ ମାସ ଜେଲ୍‌ରେ ଥିଲେ। ତଥାପି ନ୍ୟାୟ ନମିଳିବାରୁ ଲକ୍ଷ୍ମୀ ଗତକାଲିଠୁ ଶାଶୂଘର ଆଗରେ ଧାରଣାରେ ବସିଛନ୍ତି। ଗୋଳନ୍ଥରା ପୁଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର