ପୁଣି କଡ଼ ଲେଉଟିଲା ମୟୂରଭଞ୍ଜ ରାଜନୀତି : କଡ଼ା ଟକ୍କର ମଧ୍ୟରେ ବିଜେପିର ବାଜିମାତ୍; ବିଜେଡି ପାଇଁ ମାନସ ମନ୍ଥନର ବେଳ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଜନୀତି ପୁଣି କଡ଼ ଲେଉଟାଇଛି। କଡ଼ା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଲୋକସଭା ଆସନ ସମେତ ବିଧାନସଭା ଆସନଗୁଡ଼ିକୁ ବିଜେପି ଦଖଲ କରିବା ପରେ ବିଜେଡି ଶିବିରରେ ଆରମ୍ଭ ହୋଇଛି ମାନସ ମନ୍ଥନ। ମୟୂରଭଞ୍ଜ ଲୋକସଭା ଆସନ ଅନ୍ତର୍ଭୁକ୍ତ ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ଖାତାକୁ ମାତ୍ର ଦୁଇଟି ଆସନ ଯାଇଥିବା ବେଳେ ବାକି ୫ଟି ଆସନ ବିଜେପି ଦଖଲ କରି ନେଇଛି। ସଙ୍ଗଠନ ଓ ବ୍ୟକ୍ତିତ୍ବ ଆଧାରରେ ମୋରଡ଼ା ବିଧାନସଭା ଆସନରୁ ରାଜକି‌ଶୋର ଦାସ ବିଜୟୀ ହୋଇଥିବା ବେଳେ ବାଙ୍ଗିରିପୋଷି ଆସନରୁ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ବିଜୟୀ ହୋଇଛନ୍ତି। ବାକି ୫ଟି ଆସନରେ ବିଜେଡି ନୂଆ ମୁହଁକୁ ମଇଦାନକୁ ଆଣିଥିଲେ ହେଁ ଭୋଟର ସେମାନଙ୍କୁ ନାପସନ୍ଦ କରିଥିବା ନିର୍ବାଚନୀ ଫଳାଫଳରୁ ବୁଝାପଡ଼ୁଛି।

୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିକୁ ମାତ୍ ଦେଇ ବିଜେପି ପରିବର୍ତ୍ତନର ମଞ୍ଜି ପୋତିଥିଲା। ବିଧାନସଭା ନିର୍ବାଚନରେ ଉକ୍ତ ପରିବର୍ତ୍ତନର ହାୱାକୁ ରୋକିବା ନାଁରେ ବିଜେଡି ବିଧାୟକମାନଙ୍କ ଟିକେଟ୍ କାଟି ନୂଆ ମୁହଁଙ୍କୁ ମଇଦାନକୁ ଆଣିଥିଲା। କିନ୍ତୁ ପ୍ରାର୍ଥୀ ଚୟନରେ ସବୁଠି ଅସନ୍ତୋଷ ରହିଥିବାରୁ ଶେଷରେ ବିଜେପି ପାଇଁ ବିଜୟର ପଥକୁ ପରିଷ୍କାର ପରିଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ରାଇରଙ୍ଗପୁର ବିଧାନସଭା ଆସନରେ ବିଜେଡି ମହିଳା କାର୍ଡ ଖେଳି ବାସନ୍ତୀ ମାରାଣ୍ଡିଙ୍କୁ ମଇଦାନକୁ ଓହ୍ଲାଇଥିଲା। ଦଳୀୟ ସଙ୍ଗଠନ ଉପରେ ଦଖଲ ନଥିବା ବାସନ୍ତୀ ଟିକେଟ ପାଇବା ପରେ ଯୋଗସୂତ୍ର ସ୍ଥାପନ କରିବା କଷ୍ଟକର ହୋଇପଡ଼ିଥିଲା। ରାଇରଙ୍ଗପୁର ପର୍ଯ୍ୟବେକ୍ଷକ ଉମାକାନ୍ତ ସାମନ୍ତରାୟଙ୍କ ସହ ମତପାର୍ଥକ୍ୟ ବଢ଼ିବାରୁ ଦଳରୁ ତୁଙ୍ଗ ନେତା ଈଶାନ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ବିଜେଡି ଛାଡ଼ି ବିଜେପି ଶିବିରରେ ସାମିଲ ହୋଇଥିଲେ। ଏପରିକି ଅଧିକାଂଶ ନେତାଙ୍କୁ ପଙ୍ଗୁ କରି ସାଙ୍ଗଠନିକ କାର୍ଯ୍ୟରୁ ଦୂରେଇ ରଖାଯାଇଥିଲା। ଫଳରେ ବିଜେପିକୁ ମଇଦାନ ଦଖଲ କରିବାରେ ସହଜ ହୋଇଥିଲା। ଚଳିତ ନିର୍ବାଚନୀ ମଇଦାନରେ ବିଜେପିର ନବଚରଣ ମାଝୀଙ୍କୁ ସର୍ବାଧିକ ୬୦,୯୦୧ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡିର ବାସନ୍ତୀ ମାରାଣ୍ଡିଙ୍କୁ ୫୮,୦୫୪ଖଣ୍ଡ ଭୋଟ୍ ମିଳିଛି। ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କୁ ୩୦,୫୧୨ଖଣ୍ଡ ଭୋଟ୍ ମିଳିଛି। ତେବେ ବିଜେପିର ବିଦ୍ରୋହୀ ପ୍ରାର୍ଥୀ ମିନତି ହାଁସଦା ୫,୧୬୩ଖଣ୍ଡ ଭୋଟ୍ କାଟିବା ପରେ ନବଚରଣଙ୍କ ବିଜୟ ରାସ୍ତାରେ ପ୍ରତିବନ୍ଧକ ସାଜିଥିଲେ। ଶେଷ‌େର କଡ଼ା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ୨୮୪୭ ଖଣ୍ଡ ଭୋଟରେ ନବଚରଣ ବାଜି ମାରି ନେଇଛନ୍ତି। ଗତ ୨୦୧୪ ନିର୍ବାଚନରେ ବିଜେଡିର ସାଇବା ସୁଶୀଲ କୁମାର ହାଁସଦାଙ୍କୁ ୫୧,୦୬୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୩୫,୫୦୬ ଖଣ୍ଡ, ଜେଏମ୍ଏମର ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡିଙ୍କୁ ୨୮,୮୩୮ଖଣ୍ଡ ଓ କଂଗ୍ରେସର ଶ୍ୟାମଚରଣ ହାଁସଦାଙ୍କୁ ୧୯,୦୭୫ଖଣ୍ଡ ଭୋଟ୍ ମିଳିଥିଲା। କିନ୍ତୁ ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ଭୋଟ୍ ବ୍ୟାଙ୍କ ବୃଦ୍ଧି ପାଇବା ପରଠାରୁ ବିଜେପି ପୁଣି ତାର ଏହି ପାରମ୍ପରିକ ଆସନକୁ ଫେରି ପାଇଛି। ତିରିଂ ବ୍ଲକରେ ବିଜେଡି କିଛିଟା ସ୍ଥିତି ବଜାୟ ରଖି ଅଗ୍ରଣୀ ନେଇଥିବା ବେଳେ ବେଳେ ବିଜେଡି ଗଡ଼ ବହଳଦା ବ୍ଲକରେ ମାଟି କାମୁଡ଼ିବାକୁ ପଡ଼ିଛି। ବହଳଦା ବ୍ଲକରେ ବିଜେପିକୁ ପାଖାପାଖି ୩,୫୦୦ ଭୋଟର ଫାଇଦା ମିଳିବା ପରେ ଜାମଦା ବ୍ଲକରେ ବିଜେଡିକୁ ମିଳିଥିବା ଅଗ୍ରଣୀକୁ ପୂରଣ କରିଛି। ରାଇରଙ୍ଗପୁର ମ୍ୟୁନିସିପାଲଟି ଓ ବ୍ଲକରେ ବିଜେଡି ତୁଳନାରେ ବିଜେପି ଉନ୍ନତ ପ୍ରଦର୍ଶନ କରି ବିଜୟର ରାସ୍ତାକୁ ପରିଷ୍କାର କରିଛି।

ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାଦବ ହାଁସଦାଙ୍କ ଟିକେଟ୍ କାଟି ନୂଆ ମୁହଁ ଅମର ସିଂ ଟୁଡୁଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଥିଲା। ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିକୁ ମିଳିଥିବା ବୃହତ ବିଜୟକୁ ନେଇ ଦଳ ନୂଆ ଚେହେରା ଭରସାରେ ରହିଯାଇଥିଲା। କିନ୍ତୁ ବିଜେଡିକୁ ଇଭିଏମ୍ ଖୋଲିବା ପରଠୁ ବିଜାତଳାରୁ ହିଁ ଝଟକା ମିଳିବା ଆରମ୍ଭ ହୋଇଥିଲା। ପ୍ରତିଦ୍ବନ୍ଦ୍ବୀଙ୍କୁ ହାଲକାରେ ନେଇଥିବା ବିଜେଡିକୁ ପଛରେ ପକାଇ ଜେଏମ୍ଏମ୍ ପ୍ରାର୍ଥୀ ମହେଶ ଚନ୍ଦ୍ର ହେମ୍ବ୍ରମ୍ ବିଜାତଳା ବ୍ଲକରୁ ପାଖାପାଖି ଦେଢ଼ ହଜାରରୁ ଊର୍ଧ୍ବ ଅଗ୍ରଣୀ ଲାଭ କରିଥିଲେ। ଦ୍ବିତୀୟରେ ବିଜେଡି ଓ ତୃତୀୟରେ ବ‌ିଜେପି ରହିଥିଲା। ସାରସକଣା ବ୍ଲକ ଇଭିଏମ୍ ଖୋଲିବା ପରେ ବିଜେପି ପ୍ରାର୍ଥୀ ଡା. ବୁଢ଼ାନ ମୁର୍ମୁଙ୍କୁ ଅଗ୍ରଣୀ ମିଳିବା ଆରମ୍ଭ ହେବା ସହ ପାଞ୍ଚ ହଜାରରୁ ଅଧିକ ଆଗୁଆ ହୋଇ ରହିଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ସାଂସଦ ଇଂ. ରାମଚନ୍ଦ୍ର ହାଁସଦା ମଇଦାନକୁ ଓହ୍ଲାଇ ମୋଟ୍ ୧୦,୦୧୩ ଭୋଟ୍ କାଟିବା ପରେ ବିଜେଡିକୁ ମେରୁଦଣ୍ଡ ସଳଖାଇ ଉପରକୁ ଉଠିବା କଷ୍ଟକର ବ୍ୟାପାର ହୋଇପଡ଼ିଥିଲା। ବିଜେପି ପ୍ରାର୍ଥୀ ଡା. ବୁଢ଼ାନ ମୁର୍ମୁଙ୍କୁ ୫୨,୮୮୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅମର ସିଂ ଟୁଡୁଙ୍କୁ ୪୬,୩୧୩ ଖଣ୍ଡ ଭୋଟ୍ ମିଳିଛି। ଜେଏମ୍ଏମ୍ ପ୍ରାର୍ଥୀ ମହେଶ ଚନ୍ଦ୍ର ହେମ୍ବ୍ରମଙ୍କୁ ୩୪,୭୭୫ ଖଣ୍ଡ ଭୋଟ ମିଳିଛି। ଉଭୟ ଆସନରେ ବିଜେଡିର ସ୍ଥିତି ସୁଧାରିବାର ଯଥେଷ୍ଟ ସୁଯୋଗ ରହିଥିବା ବେଳେ ଦଳୀୟ ପର୍ଯ୍ୟବେକ୍ଷକଙ୍କ ଅଣଦେଖା ତଥା ଗୋଷ୍ଠୀ କନ୍ଦଳକୁ ପ୍ରଶମନ ନକରି ବଢ଼ାଇ ଚାଲିବାରୁ ଦଳ ପାଇଁ ବୁମେରାଂ ହୋଇଥିବା ଚର୍ଚ୍ଚା ହେଉଛି। ବ୍ୟକ୍ତିତ୍ବ ଆଧାରରେ ବିଜେପି ଯୋଗ୍ୟ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବା ପରେ ଲଢ଼େଇରେ ପଲ୍ଲା ଭାରି ରହିବା ସହ ବିଜେଡିର ଗୋଷ୍ଠୀ କନ୍ଦଳରୁ ଦଳକୁ ଅଧିକ ଫାଇଦା ମିଳିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର