ଏମ୍‌ସିଏଲ୍ ଜମିହରାଙ୍କୁ କ୍ଷତିପୂରଣରେ ଜାଲିଆତି ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଆଉ ଅଢ଼େଇ କୋଟି ଠକେଇ ଉଦ୍ୟମ ଅଭିଯୋଗ

ଭୁବନେଶ୍ବର : ମହାନଦୀ କୋଲ୍‌ ଫିଲ୍‌ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଜମିହରାଙ୍କ କ୍ଷତିପୂରଣ ରାଶି ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ବିରୋଧରେ ଆଜି ଆଉ ଅଢ଼େଇ କୋଟି ଟଙ୍କା ଠକେଇ ଉଦ୍ୟମ ଅଭିଯୋଗ ଯୋଡ଼ି ହୋଇଯାଇଛି। ଏହି ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲ୍ଲାର ସାବିତ୍ରୀ ମାଝିଙ୍କ ନାଁରେ କ୍ଲେମିଂ କମିସନଙ୍କ କାର୍ଯ୍ୟାଳୟରେ ପାଖାପାଖି ଅଢ଼େଇ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ସାବିତ୍ରୀ ୨୦୧୯ ମସିହାରେ କ୍ଲେମିଂ କମିସନରେ କେସ୍‌ ଫାଇଲ୍‌ କରିଥିବା ଅଭିଯୁକ୍ତମାନେ ଜାଣିବା ପରେ ତାଙ୍କ ପାଖରେ ପହଞ୍ଚିଥିଲେ। କ୍ଷତିପୂରଣ ବାବଦକୁ ତାଙ୍କୁ ଅଢ଼େଇ କୋଟି ଟଙ୍କା ମିଳିଯିବ ବୋଲି କହିଥିଲେ। ଏଥିପାଇଁ ତାଙ୍କଠାରୁ ୩୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ପରେ ଚଞ୍ଚକତା କରି ଏକ ଜାଲ୍‌ ଅର୍ଡର ପ୍ରସ୍ତୁତ କରି ଏଡିମଏ୍‌ଙ୍କ ନିକଟକୁ ପଠାଇଥିଲେ। ହେଲେ ଅର୍ଡର ଜାଲ୍‌ ଥିବା ଜଣାପଡ଼ିବା ପରେ ଏଡିଏମ୍‌ କ୍ଷତିପୂରଣ ବାବଦକୁ ଟଙ୍କା ନଦେଇ ତଦନ୍ତ କରାଇଥିଲେ। ତଦନ୍ତ ବେଳେ ଅଭିଯୁକ୍ତମାନଙ୍କ ଜାଲିଆତି ପଦାକୁ ଆସିଥିଲା।

ସୂଚନାଯୋଗ୍ୟ, କୋଇଲା ଖଣି ପାଇଁ ଏମ୍‌ସିଏଲ ସୁନ୍ଦରଗଡ଼ ଜିଲ୍ଲାର କେତେକ ଗାଁରେ ଜମି ଅଧିଗ୍ରହଣ କରିଥିଲା। ଜମି ହରାଇଥିବା ପରିବାରମାନଙ୍କୁ କ୍ଷତିପୂରଣ ରାଶି ଦେବାର ବ୍ୟବସ୍ଥା କରାଯାଇଥିଲା। ଏଥିରେ କୋଟି କୋଟି ଟଙ୍କାର କାରବାର ହେବାର ଥିବାରୁ କ୍ଲେମ୍‌ କମିସନଙ୍କ କାର୍ଯ୍ୟା​ଳୟରେ କାର୍ଯ୍ୟରତ ଦୁଇ କର୍ମଚାରୀ ସ୍ବାଗତ ପ୍ରକାଶ ବରାଳ(୩୫), ଦୁଷ୍ମନ୍ତ ପଟେଲ(୪୩) ଏବଂ ଏମସିଏଲ୍ କର୍ମଚାରୀ ତ୍ରିଲୋଚନ ଦଣ୍ଡସେନା(୩୩) ମିଳିମିଶି ଠକେଇ ପାଇଁ ଯୋଜନା କରିଥିଲେ। ସେମାନଙ୍କ ଜାଲିଆତି ପଦାକୁ ଆସିବା ପରେ ଗତକାଲି ଖାରବେଳନଗର ଥାନା ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ଚଞ୍ଚକତା କରି ହେମଗିରି ଥାନା ଗର୍ଜନବାହାଲ ଅଞ୍ଚଳର ହିତାଧିକାରୀ ମାଙ୍ଗାସିରା ଧୁରୁଆ ଓ ସମ୍ପର୍କୀୟଙ୍କୁ ମିଳିବାକୁ ଥିବା ପାଖାପାଖି ୧ କୋଟି ୧୬ ଲକ୍ଷ ଟଙ୍କାରୁ କମିସନ୍‌ ଭାବେ ୩୦ ଲକ୍ଷ ଟଙ୍କା ନେଇ ଯାଇଥିଲେ।

ତେବ‌ ଅଭିଯୁକ୍ତମାନେ ଜମି ହରାଇଥିବା ଆଉ କିଛି ବ୍ୟକ୍ତିଙ୍କ ନାମରେ ଏଭଳି ଜାଲିଆତି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ସେହିପରି ଏହି ଠକେଇ ରୢାକେଟ୍‌ରେ ମଧ୍ୟ ଅନ୍ୟମାନଙ୍କ ସମ୍ପୃକ୍ତି ଥାଇପାରେ। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି। ଆବଶ୍ୟକ ପଡ଼ିଲେ, ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର