ନବନିର୍ମାଣ କୃଷକ ସଂଗଠନର ୨ ନିଖୋଜ ଚାଷୀ ଫେରିଲେ

ଭୁବନେଶ୍ୱର : ଗତ ୧୧ତାରିଖରେ ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ହୋଇଥିବା ଚାଷୀ ସମାବେଶରୁ ନିଖୋଜ ଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ଗତକାଲି ଘରକୁ ଫେରିଛନ୍ତି। ସେମାନେ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇର ମୁରଲୀଧର ପ୍ରଧାନ ଓ ଯାଜପୁର ଧର୍ମଶାଳାର ଗୋଲକଚନ୍ଦ୍ର ସାମଲ। ତେବେ ତେଲକୋଇର ଅଜୟ ରଣସିଂ ଓ ବୀରବର ମୁଣ୍ଡାଙ୍କୁ ଖୋଜିବା ପାଇଁ ତଲାସି କାର୍ଯ୍ୟ ଜାରି ରହିଛି। କାମ ପାଇଁ ଦୁହେଁ ପୂର୍ବରୁ ବାହାରକୁ ଆସିଥିବାରୁ ଏଥିପାଇଁ କୌଣସି ସ୍ଥାନରେ ଅଟକି ରହିଥିବା ଆଶଙ୍କା କରାଯାଉଛି।

ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାରଙ୍କ ସୂଚନା ଅନୁଯାୟୀ, ୧୧ତାରିଖ ସମାବେଶ ପରେ ଗୋଲକଚନ୍ଦ୍ର ସାମଲ ହୀରାକୁଣ୍ଡ ଏକ୍ସପ୍ରେସ୍‌ ଓ ମୁରଲୀଧର ପ୍ରଧାନ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଘରକୁ ଫେରିଥିଲେ। ତେବେ ମୁରଲୀଧର ଛତିଶଗଡ଼ର ଚମ୍ପା ଷ୍ଟେସନ୍‌ରେ ପାଣି ପାଇଁ ବାହାରକୁ ଆସିଥିବା ବେଳେ ଭୁଲ୍‌ରେ ଅନ୍ୟ ଏକ ଟ୍ରେନ୍‌ରେ ଚଢ଼ି ଯାଇଥଲେ। ଯାହାକି ପରବର୍ତୀ ସମୟରେ ବିହାର ପଳାଇଥିଲା। ବିହାରରେ ପହଞ୍ଚିବା ପରେ ସେଠାର କିଛି ସ୍ଥାନୀୟ ବାସିନ୍ଦା ଅର୍ଥ ଯୋଗାଡ଼ କରି ତାଙ୍କୁ ସହାୟତା ଯୋଗାଇଥିଲେ। ସେହିପରି ମୁରଲୀଧର ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଆସୁଥିବା ବେଳେ ଟାଟାନଗର ପରେ ଚେତା ହରାଇଥିଲେ। ତାଙ୍କୁ କେହି ନିଶା ଦେଇଥିବା ଆଶଙ୍କା କରାଯାଉଛି। ତେବେ ସେ କେଉଁଠିକୁ ଯାଇଥିଲେ କିଛି ମନେ ପକାଇ ପାରୁ ନାହାନ୍ତି। ଏପରିକି ଗତକାଲି ଧାନମଣ୍ଡଳ ଷ୍ଟେସନରେ ଓହ୍ଲାଇବା ପରେ ତାଙ୍କ ଘର ଲୋକଙ୍କୁ ମଧ୍ୟ ଚିହ୍ନି ପାରି ନ ଥିଲେ। ପରେ ସବୁ ଠିକ୍‌ ହୋଇଯାଇଥିଲା।

ଅପରପକ୍ଷରେ ଅଜୟ ରଣସିଂ ଓ ବୀରବର ମୁଣ୍ଡା ହରିଦ୍ୱାର କିମ୍ବା ଦିଲ୍ଲୀର କୌଣସି ସ୍ଥାନରେ ଅଟକି ରହିଥିବା ଆଶଙ୍କା କରାଯାଉଛି। ସମାବେଶକୁ ଯାଇଥିବା ଚାଷୀମାନେ ସ୍ଥାନୀୟ ଗୁରୁଦ୍ୱାରରେ ରହିବାର ବ୍ୟବସ୍ଥା କରାଯାଇଥିଲା। ତେବେ ଦୁହେଁ ଗୁରୁଦ୍ୱାରରେ ରହିବାକୁ ପସନ୍ଦ କରି ନ ଥିଲେ। ସମାବେଶ ପରଦିନ ଅର୍ଥାତ୍‌ ୧୨ତାରିଖରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ଦୁହିଁଙ୍କ ନିଖୋଜ ରିପୋର୍ଟ ସଂଗଠନ ପକ୍ଷରୁ ଦାୟର କରାଯାଇଥିଲା। ଭୁବନେଶ୍ୱର ରେଳବାଇ ପୁଲିସ ପକ୍ଷରୁ ହରିଦ୍ୱାର ରେଳବାଇ ପୁଲିସ ସହ ଆଲୋଚନା ହୋଇଛି। ସେଠାରୁ ସିସିଟିଭି ଫୁଟେଜ୍‌ ସହିତ ଦିଲ୍ଲୀ ଷ୍ଟେସନ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର