୯ ଜିଲ୍ଲାରେ ଅଧିକ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତକୁ ଖସି ଆସିଲାଣି। ହେଲେ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲାରେ ସଂକ୍ରମଣ ହାର ଏବେ ବି ରାଜ୍ୟ ହାରଠାରୁ ଅଧିକ ରହିଛି। ଏହିସବୁ ଜିଲ୍ଲା ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧିରେ ଲଗାତାର ଭାବେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଜିଲ୍ଲାରେ ମୃତ୍ୟୁସଂଖା ମଧ୍ୟ ଅଧିକ ରହିଛି। ଯଦିଓ ରାଜ୍ୟ ସରକାର ଏସବୁ ଜିଲ୍ଲାରେ କଟକଣାକୁ ବୃଦ୍ଧି କରିଛନ୍ତି ହେଲେ ସ୍ଥିତି ସୁଧୁରିବାକୁ ଆହୁରି କିଛି ସମୟ ଲାଗିପାରେ। ଗତମାସର ୩ଦିନକୁ ବାଦ୍ ଦେଲେ କ୍ରମାଗତ ୧୫ଦିନ ଭାବେ ରାଜ୍ୟରେ ୩ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ଆସୁଥିଲେ। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଥିଲା। ମାତ୍ର ଗତ ୨୪ଘଣ୍ଟାରେ ରାଜ୍ୟରେ ଦୈନିକ ସଂକ୍ରମଣ ୩ହଜାରରୁ ସାମାନ୍ୟ ହ୍ରାସ ପାଇଛି। ୨୯୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୫୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୪୨୨, ବାଲେଶ୍ବର ୨୩୭, ଯାଜପୁର ୨୧୮, ମୟୂରଭଞ୍ଜ ୧୬୫, ଭଦ୍ରକ ୧୬୩, ପୁରୀ ୧୩୨, ଜଗତସିଂହପୁର ୧୧୯ ଓ ଷ୍ଟେଟ୍‌ ପୁଲରୁ ୧୦୧ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୨୨ଟି ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ୪ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ତଳେ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୧୯ହଜାର ୨୬କୁ ବୃଦ୍ଧି ପାଇଛି।

ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ହାର ୪.୦୮ ପ୍ରତିଶତ ରେକର୍ଡ କରାଯାଇଛି। ତେବେ ନୟାଗଡ଼, ଖୋର୍ଧା ଓ ଯାଜପୁରରେ ୭.୩, ଭଦ୍ରକ ୬.୯, ମୟୂରଭଞ୍ଜ ୬.୬, ବାଲେଶ୍ବର ୬.୪, କଟକ ୬.୩, କେନ୍ଦ୍ରାପଡ଼ା ୫.୯ ଓ କେନ୍ଦୁଝରରେ ୫.୧ ପ୍ରତିଶତ ରହିଛି। ଏସବୁ ଜିଲ୍ଲା କାଟାଗୋରି ‘ବି’ରେ ରହିଛି। କଟକଣା ଓ ସର୍ଭେଲାନ୍‌ସ ସତ୍ବେ ଏସବୁ ଜିଲ୍ଲାରେ ସଂକ୍ରମଣ ହାର କମୁନାହିଁ। ମାତ୍ର ଝାରସୁଗୁଡ଼ା ୦.୩, ବରଗଡ଼ରେ ୦.୪, ଗଜପତି ୦.୬, ନୂଆପଡ଼ା, ସୋନପୁର, ସମ୍ବଲପୁରରେ ୦.୭ ପ୍ରତିଶତ ରହିଛି। ଯାହାକି ରାଜ୍ୟର ସବୁଠାରୁ କମ୍।

ରାଜ୍ୟରେ ଆଉ ୪୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିରେ ଖୋର୍ଧା ୯, ବରଗଡ଼, କଟକରେ ୫ ଲେଖାଏଁ, ଢେଙ୍କାନାଳ ୪, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରେ ୩ ଲେଖାଏଁ, ପୁରୀ, ନୟାଗଡ଼ରେ ୨ ଲେଖାଏଁ, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୪୧୫୪ରେ ପହଞ୍ଚିଛି। ରାଜ୍ୟରେ ଆଜି ୩୧୫୮ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୮୭ହଜାର ୪୨୦କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଚିକିତ୍ସାଧୀନ ‌ରୋଗୀଙ୍କ ସଂଖ୍ୟା ୨୭,୩୯୯କୁ ଖସି ଆସିଛି। କେବଳ ବାଲେଶ୍ବର, କଟକ ଓ ଖୋର୍ଧା ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି।

ସମ୍ବନ୍ଧିତ ଖବର