ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ ସଂଗ୍ରହ ହୋଇଛି: ମନ୍ତ୍ରୀ

ଭୁବନେଶ୍ବର : ୨୦୨୦-୨୧ ଖରିଫ ବିପଣନ ଋତୁରେ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ ସଂଗ୍ରହ ହୋଇଛି। ଚଳିତ ରବି ଋତୁରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବି ଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇ ଆଜି ସୁଦ୍ଧା ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ସେହିପରି ୨୦୨୦-୨୧ରେ ୬୨ ଲକ୍ଷ ୯୩ ହଜାର ମେଟ୍ରିକ ଟନ୍‌ ଖରିଫ ଧାନ ସଂଗ୍ରହ କରାଯାଇଛି। ଚଳିତ ଖରିଫ ବିପଣନ ଋତୁରେ ରାଜ୍ୟ ସରକାର ମୋଟ ୭୧ ଲକ୍ଷ ମେଟ୍ରିକ ଟନ୍ ଖରିଫ ଓ ରବି ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୧୯-୨୦ ଖରିଫ ବିପଣନ ଋତୁରେ ରାଜ୍ୟ ସରକାର ସମୁଦାୟ ୭୦ ଲକ୍ଷ ୫୬ ହଜାର ମେଟ୍ରିକ ଟନ୍ ଖରିଫ ଓ ରବି ଧାନ ସଂଗ୍ରହ କରିଥିଲେ। ଏହି କ୍ରମରେ ରାଜ୍ୟରେ ୨୦୨୦-୨୧ ବିପଣନ ଋତୁରେ ଅଦ୍ୟାବଧି ୭୬ ଲକ୍ଷ ୯୮ ହଜାର ମେଟ୍ରିକ ଟନ୍ ଖରିଫ ଓ ରବି ଧାନ ସଂଗ୍ରହ କରାଯାଇଛି, ଯାହା କି ୨୦୧୯-୨୦ ଖରିଫ ବିପଣନ ବର୍ଷ ଓ ଚଳିତ ଖରିଫ ବିପଣନ ବର୍ଷର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୬ ଲକ୍ଷ ମେଟ୍ରିକ୍ ଟନ୍‌ ଅଧିକ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ‌ଦେଇଛନ୍ତି।

କୋଭିଡ୍‌ ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ଧାନ ବିକ୍ରି କରିପାରିବେ, ସେଥି ନିମନ୍ତେ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ରବି ଧାନ ବିକ୍ରି କରିବା ପାଇଁ ମୋଟ୍‌ ୨ ଲକ୍ଷ ୩୨ ହଜାର ୬୦୧ ଜଣ ଚାଷୀ ଅନ୍‌ଲାଇନ୍‌ରେ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲା ବେଳେ ୧,୨୩,୫୮୯ ଜଣ ଚାଷୀଙ୍କ ଜମିଜମା ରେକର୍ଡ, ବ୍ୟାଙ୍କ ଆକାଉଣ୍ଟ୍ ଆଦି ଯାଞ୍ଚ କରାଯାଇଛି। ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ୮୮ ପ୍ରତିଶତ ଚାଷୀ ଆଗୁଆ ଟୋକନ୍ ମାଧ୍ୟମରେ ଧାନ ବିକ୍ରି କରିସାରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ରବି ଧାନ ସଂଗ୍ରହ କରାଯିବ।

ସମ୍ବନ୍ଧିତ ଖବର