ମୁଣ୍ଡଳୀ ଟ୍ରାଜେଡି: ବ୍ୟବଚ୍ଛେଦ ରିପୋର୍ଟ ଆସିଲା, ମାନସିକ ଆଘାତରୁ ହାତୀର ମୃତ୍ୟୁ!

କଟକ : ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣାର ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାନସିକ ସ୍ତରରେ ଆଘାତ ବା ‘ସକ୍‌’ କାରଣରୁ ମୁଣ୍ଡଳୀ ବ୍ରିଜ୍‌ ତଳେ ଫସି ରହିଥିବା ଦନ୍ତା‌ ହାତୀର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ବ୍ୟବଚ୍ଛେଦର ୩ ଦିନ ଅର୍ଥାତ ୭୨ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିବା ସାଲେପୁର ବ୍ଲକ୍‌ ପଶୁସମ୍ପଦ ଅଧିକାରୀ ଦୀପକ ସେନାପତି ବନବିଭାଗକୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତି। ତାଙ୍କ କହିବା କଥା ହେଲା ହାତୀ ପାଣିରେ ଖସିଗଲା ଓ ପାଣିରେ ବୁଡ଼ି ତା’ର ମୃତ୍ୟୁ ହେଲା। ତେବେ ‘ସକ୍‌’ରେ ତା’ର ମୃତ୍ୟୁ ହେଲା କିପରି ବୋଲି ସେ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଇତିମଧ୍ୟରେ, ମୁଣ୍ଡଳୀ ଟ୍ରାଜେଡିକୁ ଆଜି ୧୩ଦିନ ପୂରିଛି। ବୋଟ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ, ଓ୍ଡ୍ରାଫ୍‌ ବୁଡାଳି ସୀତାରାମ ମୁର୍ମୁଙ୍କ ଜୀବନ ଯାଇଛି। ଦନ୍ତା ହାତୀର ଜୀବନ ଯିବା ସହିତ ଏକ ୪ ମାସର ଛୁଆ ହାତୀ ଏବଂ ହାତୀ ଆକ୍ରମଣରେ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ଘଟିଛି, ମାତ୍ର ୪୮ ଘଣ୍ଟା ଭିତରେ। କିନ୍ତୁ ଏହି ଘଟଣାରେ କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ସରକାର କାମ ସାରିଦେଇଛନ୍ତି। ‌ଭୁଲ କେଉଁଠି ରହିଲା? ହାତୀ ଘଉଡାଇବାକୁ ଓଡ୍ରାଫ୍‌ ଟିମ୍‌କୁ କିଏ ଡକାଇଥିଲା? କ’ଣ ପାଇଁ ଭିଡ ନିୟନ୍ତ୍ରଣରେ ପୁଲିସ ବିଫଳ ହେଲା? ବନବିଭାଗର ନିଆଁହୁଳା ଅପରେସନ୍‌ ଏତେ ବିଳମ୍ବରେ କରାଗଲା କାହଁକି? ଏଭଳି ଅନେକ ପ୍ରଶ୍ନ ଏବେ ବି ରହସ୍ୟଘେର‌ରେ ରହିଛି।

ସୂଚନାଯୋଗ୍ୟ ଯେ ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ସେପ୍ଟେମ୍ବର ୨୪ ତାରିଖରେ ଏହି ଅଘଟଣ ଘଟିଥିଲା। ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା ଏବଂ ୨୮ରେ ବ୍ୟବ‌ଚ୍ଛେଦ କରାଯାଇଥିଲା।

ସମ୍ବନ୍ଧିତ ଖବର