କରୋନା ସଙ୍କଟରେ ହଜିଯାଇନି ମାନବିକତା: ପିପିଇ କିଟ୍ ପିନ୍ଧି ଶବ ଦାହ କଲେ ମୁସଲିମ୍ ଯୁବକ ଓ ତାଙ୍କ ସାଥୀ

ରାଉରକେଲା: କରୋନା ସଂକ୍ରମଣ ଭୟ ଦୂରେଇ ଦେଇଛି ରକ୍ତ ସମ୍ପର୍କ। ବନ୍ଧୁ ପରିଜନ ବି ପାଖ ପଶୁ ନାହାନ୍ତି। ଏଭଳି ସଙ୍କଟ ସମୟରେ ଶବକୁ ବି ସମ୍ମାନ ମିଳୁନି। ଘଣ୍ଟା ଘଣ୍ଟା ଧରି ଶବ ପଡୁଥିଲେ ହେଁ କରୋନା ଭୟରେ ଯାଉ ନାହାନ୍ତି। ସଂସ୍କାର ପାଇଁ ଶବ ଛୁଉଁ ନାହାନ୍ତି। ଯେମିତି ଲୋକଙ୍କ ମଧ୍ୟରେ ହଜି ଯାଇଛି ମଣିଷ ପଣିଆ। ତଥାପି କିଛି ଲୋକଙ୍କ ମଧ୍ୟରେ ମାନବିକତା ଏବେ ବଞ୍ଚିଛି। ପାଦେ ପାଦେ ବିପଦ ଥିବା ସତ୍ବେ ସଂକ୍ରମଣକୁ ଖାତିର ନ କରି ଘରେ ୮ ଘଣ୍ଟା ଧରି ପଡି ରହିଥିବା ବୃଦ୍ଧଙ୍କ ଶବକୁ ବେଦବ୍ୟାସ ଶ୍ମଶାନ ଘାଟରେ ସଂସ୍କାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ମୁସ୍‌ଲିମ୍ ଯୁବକ ଓ ତାଙ୍କ ସାଥୀ। ସେମାନେ ହେଲେ ବେଦବ୍ୟାସ ଅଞ୍ଚଳର ସବୀର ହୁସେନ, ସୁଧୀର ସାହୁ, ସନ୍ତୋଷ ପ୍ରସାଦ, ଓମ୍ ପ୍ରକାଶ ମଲ୍ଲିକ, ନିରଞ୍ଜନ ସେଠୀ, ରବିନ୍ଦ୍ର କୁମାର ପ୍ରଧାନ, ବିଶ୍ବ ପ୍ରକାଶ ବେହେରା ଓ ଅଜୟ ନାୟକ। ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ବୃଦ୍ଧଙ୍କ ଶବ ସଂସ୍କାର କରିଛନ୍ତି।

ବେଦବ୍ୟାସ ବୁରୁଟୋଲାର ନରେନ୍ଦ୍ର କୁମାର ସିଂ ରହନ୍ତି। ତାଙ୍କ ପତ୍ନୀ ବହୁ ଦିନରୁ ଆରପାରିକୁ ଚାଲି ଯାଇଥିଲେ। ପରେ ତାଙ୍କର ଏକ ମାତ୍ର ପୁଅ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଝିଅକୁ ରାଉରକେଲାରେ ବାହା ଦେବା ପରେ ଘରେ ଏକାକୀ ରହୁଥିଲେ। ଗତକାଲି ସକାଳ ୯ଟାରେ ତାଙ୍କର ଘରେ ମୃତ୍ୟୁ ହୋଇଯାଇଥିଲା। କରୋନା ଭୟରେ ପଡୋଶୀମାନେ ବୃଦ୍ଧଙ୍କ ପାଖ ପଶି ନଥିଲେ କି ସ୍ଥାନୀୟ ଥାନାକୁ ସୂଚନା ଦେଇ ନଥିଲେ। ପ୍ରାୟ ୬ ଘଣ୍ଟା ଧରି ବୃଦ୍ଧଙ୍କ ଶବ ସେମିତି ଘରେ ପଡି ରହିଥିଲା। ସ୍ଥାନୀୟ ଅଞ୍ଚଳର ବିଜେଡି ଯୁବ ନେତା ରବିନ୍ଦ୍ର ପ୍ରଧାନ, ସବିର ହୁସେନ ବୃଦ୍ଧଙ୍କ ଘରେ ପହଞ୍ଚିଥିଲେ। କରୋନା ସଂକ୍ରମଣ ଭୟ ଥିବାରୁ ପିପିଇ କିଟ୍ ପିନ୍ଧି ବୃଦ୍ଧଙ୍କ ଶବ ସଂସ୍କାର କରିବାକୁ ପଣ କରିଥିଲେ।

ଆରଏସ୍‌ପିରୁ ପିପିଇ କିଟ୍ ଆଣିବା ପରେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ବୃଦ୍ଧଙ୍କ ଶବକୁ କାନ୍ଧରେ ବୋହି ବୋହି ପ୍ରାୟ ଦେଢ଼ କିଲୋମିଟର ଦୂର ବେଦବ୍ୟାସ ଶ୍ମଶାନ ଘାଟକୁ ନେଇ ସଂସ୍କାର କରିଥିଲେ। ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ରବିନ୍ଦ୍ର ପ୍ରଧାନ, ସବିର ହୁସେନ ଓ ତାଙ୍କ ସାଥୀଙ୍କୁ ବେଶ୍ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର