ଜମିଲା ଛାଡ଼ଖାଇ : ଖାସି ମାଂସ କିଲୋ ୭୦୦କୁ ଦେଶୀ କୁକୁଡା ୪୦୦

ଜୟପୁର: ମାସେ ହେଲା ପାଟିରେ ଆମିଷ ବାଜିନଥିଲା। କାର୍ତ୍ତିକ ମାସ ସରୁ ସରୁ ଶନିବାର ପଡ଼ିଥିଲା। ତେଣୁ ଛାଡ଼ଖାଇ ହୋଇପାରିନଥିଲା। ତେବେ ରବିବାର ଲୋକେ ପୁରା ଛାଡ଼ଖାଇକୁ ଜମାଇଥିଲେ।  ଆମିଷ ଖାଇବା ପାଇଁ ବାର ଅନୁକୂଳ ଥିବାରୁ ବେପାର ଜୋର ଧରିଥିଲା। ମାସ ତମାମ ହାତବାନ୍ଧି ବସିଥିବା ମାଛ, ମାଂସ ଓ କୁକୁଡା ବେପାରୀ ମନ ଇଚ୍ଛା ଦର କଷିଥିଲେ। ସେଭଳି ସହରର ବହୁ ହୋଟେଲରେ ନୂଆ ନୂଆ ଆଇଟମ୍, ରିହାତି ସହ ସ୍ବତନ୍ତ୍ର ଅଫର ସବୁ ଦେଇଥିଲେ। ସକାଳୁ  ଆମିଷ ବଜାରରେ ଭିଡ଼ ଜମିଥିଲା । କେଁ କା ରଡ଼ି ଶୁଭିଥିଲା ।

ଜୟପୁର ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ରହିଛି ସ୍ୱତନ୍ତ୍ର ଆମିଷ ବଜାର । ଜୟପୁର ପୌରାଂଚଳ ସମେତ ଆଖପାଖ ଅଂଚଳରୁ ବହୁ ଲୋକ ମାଛ, ମାଂସ, ଚିକେନ୍ କିଣିବାକୁ ଆସୁଥିବା ଦେଖାଯାଇଥିଲା। ତେଣୁ ବେପାରୀ ମାନେ ମଧ୍ୟ ମାସ ତମାମ ନିରବୀ ଯାଇଥିବାରୁ ପଇସା ଟାଣିବାର ସୁଯୋଗକୁ ହାତଛଡ଼ା କରିନଥିଲେ। ମାସକର ଲାଭ ଉଠାଇବାରେ ଲାଗିଥିଲେ। ଏଣେ ଲୋକେ ବି ମାସେ ହେଲା ଆମିଷ ଖାଇବାଠାରୁ ଦୂରେଇ ରହିଥିବାରୁ ଦରକୁ  ନଅନାଇ ଯେତେ ପଇସା ହେଲେ ବି କଣି ନେଇଥିଲେ ମାଛମାଂସ।  ଜୟପୁର ପୌରାଂଚଳ ସମେତ ନିକଟବର୍ତ୍ତି ଅଂଚଳର ହଜାର ହଜାର ଛେଳି, କୁକୁଡ଼ା ଆମିଷ ବଜାରକୁ ଆସିଥିଲା। ଛାଡ଼ଖାଇକୁ ଦୃଷ୍ଟିରେ ରଖି ଚିକେନ୍ ଓ ମଟନ ବ୍ୟବସାୟୀ ମାନେ ପୂର୍ବରୁ କୁକୁଡ଼ା ଓ ଛେଳି ଅର୍ଡର କରି ଆଣିଥିଲେ। ଏପରିକି ମାଛ ବେପାରୀ ମାନେ ନିକଟବର୍ତି ଅଂଚଳର ପୋଖରୀ ନିଲାମରେ ନେବା ସହ ପଡେ଼ାଶୀ ଆନ୍ଧ୍ରପ୍ରଦେଶର ସାଲୁର ଓ ବିଶାଖାପାଟଣା, ଭିମିଲି, ବାଲୁଗାଁରୁ ସମୁଦ୍ର ଓ ପୋଖରୀମାଛ  ଆଣି ବିକ୍ରି କରିଥିଲେ। ‌

ପୋଖରୀ ମାଛ କିଲୋ ପ୍ରତି ୨୦୦ରୁ ୨୨୦ଟଙ୍କା, ସମୁଦ୍ର ମାଛ ୨୨୦ରୁ ୩୫୦ଟଙ୍କା, ବ୍ରଏଲର କୁକୁଡା କିଲୋ ପ୍ରତି ୨୨୦ଟଙ୍କା, ଦେଶୀ କୁକୁଡା କିଲୋ ପ୍ରତି ୪୦୦ଟଙ୍କା ଓ ଛେଳି ମାଂସ କିଲୋ ପ୍ରତି ୬୫୦ରୁ ୭୦୦ଟଙ୍କାରେ ବିକ୍ରି କରିଥିଲେ। ପ୍ରାୟ ୨୦ଲକ୍ଷ ଟଙ୍କାର ମାଛ, ଛେଳି ମାଂସ ଓ କୁକୁଡା ମାଂସ ବିକ୍ରି ହୋଇଥିବା ପି. ରାମୁ, ମହମ୍ମଦ ମୁନ୍ନା, ବୁଢ଼ୁ ନାୟକ, ଏମଡି ବାସା ପ୍ରମୁଖ ବେପାରୀ କହିଛନ୍ତି। ତେବେ ରବିବାର କିଛି ବାହାଘର ରହିଥିବାରୁ ବେପାର ସାମାନ୍ୟ କମିଥିବା ଏମାନେ କହିଛନ୍ତି।

ସମ୍ବନ୍ଧିତ ଖବର