ଦାଣ୍ଡରେ ବୁଲୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସୂର୍ଯ୍ୟ, ଚନ୍ଦ୍ର: ସାଲୁଜା

ଦୁର୍ନୀତିଗ୍ରସ୍ତ ଆଇଏଫଏସ୍‌ ଅଧିକାରୀ, ସମବାୟ ଦୁର୍ନୀତି ପ୍ରସଙ୍ଗ ବି ଉଠାଇଲେ

ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି। ବିଧାନସଭା ସାମାନାରେ ଏକାଧିକ ବ୍ୟକ୍ତି ଆସି ଆତ୍ମାହୁତି ଉଦ୍ୟମ କରିଲେଣି। ଦୁର୍ନୀତିଗ୍ରସ୍ତ ଆଇଏଫଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଏତେ ପରିମାଣର କଳାଟଙ୍କା କେଉଁଠୁ ପାଇଲେ। ଏପରିକି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ ଓ ଚନ୍ଦ୍ର ବି ଦାଣ୍ଡରେ ବୁଲୁଛି। ଆଜି ବିଧାନସଭା ଶୂନ୍ୟକାଳରେ ଏସବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘେରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

ଶ୍ରୀ ସାଲୁଜା କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ନାଗାର୍ଜୁନ ବେଶ ଓଲାଗି ହେବା ପରେ ପରେ ସେ ବେଶରେ ଲାଗିଥିବା ସୂର୍ଯ୍ୟ ଓ ଚନ୍ଦ୍ରକୁ ଶ୍ରୀମନ୍ଦିର ପ୍ରଶାସନର ଜଣେ କର୍ମଚାରୀ ଦାଣ୍ଡରେ ଧରି ବୁଲିବା ଖବର ପ୍ରକାଶ ପାଇଛି। ଦୀର୍ଘ ବର୍ଷ ପରେ ନାଗାର୍ଜୁନ ବେଶ ପଡ଼ୁଥିବାରୁ ଏହାକୁ ସାଇତି ରଖିବାକୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ତାହା ପାଳନ ହେଲାନି। ଏହାର ଜବାବ ଦେବ କିଏ? ସେହିପରି ବିଧାନସଭା ସମ୍ମୁଖରେ ଗୋଟିଏ କି ଦୁଇଟି ନୁହଁ ୩ଟି ଆତ୍ମାହୁତି ଘଟଣା ଘଟିଲାଣି। ପ୍ରଥମେ ପରୀର ମା’ବାପା ଆତ୍ମାହୁତି ଉଦ୍ୟମ କରିଥିଲେ। ପରେ ସମବାୟ ବ୍ୟାଙ୍କ ଦୁର୍ନୀତି ନେଇ ୩ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କଲେ। ଗତକାଲି ଜଣେ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗରେ ମୃତକର ମା ଓ ଭାଇ ଆସି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କୁଆଡ଼େ ଗଲାଣି। ସମବାୟ ବ୍ୟାଙ୍କରେ ୧୩୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ନେଇ ଖୋଦ ସମବାୟ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି। ଦୁର୍ନୀତିଗ୍ରସ୍ତ ଅଫିସରମାନେ ଏ ରାଜ୍ୟର ଶହ ଶହ କୋଟି ଟଙ୍କା ଲୁଟ କରିଛନ୍ତି। ଭିଜିଲାନ୍‌ସ ହାତରେ ଧରାପଡ଼ି ଜେଲ୍‌ ଯାଇଥିବା ଆଇଏଫଏସ୍‌ ଅଧିକାରୀ ଶ୍ରୀ ପାଠକ ଓ ତାଙ୍କ ପୁଅ ଏତେ ଟଙ୍କା କେଉଁଠୁ ପାଇଲେ ବୋଲି ଶ୍ରୀ ସାଲୁଜା ପ୍ରଶ୍ନ କରିଥିଲେ। ଅଭିଯୋଗ କରି କହିଥିଲେ, ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି। ଶ୍ରୀ ପାଠକଙ୍କ ପୁଅ ଆକାଉଣ୍ଟରେ ସାଢ଼େ ୮ କୋଟି ଟଙ୍କା ମିଳିଛି। ତାଙ୍କ ପୁଅ କେଉଁଠୁ ଏତେ ଟଙ୍କା ପାଇଲା। ତାର ବାହାଘର ପାଇଁ ରାଜସ୍ଥାନର ଉଦୟପୁର ରାଜ ପ୍ରସାଦ ବୁକିଂ ହୋଇଥିଲା। ଜଙ୍ଗଲ ବିଭାଗ ପାଇଁ ଆସୁଥିବା କାମ୍ପା ପାଣ୍ଠି ବିନିଯୋଗରେ ବ୍ୟାପକ ଦୁର୍ନୀତି ହୋଇଛି। ଅଥଚ ରାଜ୍ୟ ସରକାର ସବୁ ଜାଣି ଚୁପ୍‌ ବସିଛନ୍ତି।

ସମ୍ବନ୍ଧିତ ଖବର