ଆରମ୍ଭ ହେବ ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ଆରମ୍ଭ ହେବ ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ହେପାଟାଇଟିସ୍‌ର ସ୍କ୍ରିନିଂ କରାଯିବ। ଯାହାଫଳରେ ହେପାଟାଇଟିସ୍‌କୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ। ଆସନ୍ତା ୧/୨ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ମନୁଷ୍ୟ ଶରୀରରେ ମୁଖ୍ୟ ୫ ପ୍ରକାରର ହେପାଟାଇଟିସ୍ ରୋଗ ଦେଖା ଦେଇଥାଏ। ଦୂଷିତ ପାଣି ଓ ଖାଦ୍ୟ ଦ୍ବାରା ହେପାଟାଇଟିସ୍ ଏ ଓ ଇ ବ୍ୟାପୁଥିବା ବେଳେ ହେପାଟାଇଟିସ୍ ବି ଓ ସି ଦୂଷିତ ରକ୍ତ ଓ ଅସୁରକ୍ଷିତ ‌ଯୌନ ସଂପର୍କ ଦ୍ବାରା ବ୍ୟାପିଥାଏ। ଏହାସହ ଯେଉଁ ବ୍ୟକ୍ତି ହେପାଟାଇଟିସ୍ ବି ଦ୍ବାରା ସଂକ୍ରମିତ ହୋଇଥାନ୍ତି ତାଙ୍କୁ ହେପାଟାଇଟିସ୍ ଡି ହେବାର ଅଧିକ ଆଶଙ୍କା ରହିଥାଏ। ହେପାଟାଇଟିସ୍ ସି ମଧ୍ୟ ଭଲ ହୋଇପାରିବ। ମାତ୍ର ଯଥେଷ୍ଟ ସଚେତନତା ଅଭାବରୁ ଲୋକମାନେ ହେପାଟାଇଟିସ୍‌ରେ ସଂକ୍ରମିତ ହେଉଛନ୍ତି। ଅପରପକ୍ଷରେ ରାଜ୍ୟରେ ପ୍ରତିବର୍ଷ କେତେ ସଂଖ୍ୟକ ବ୍ୟକ୍ତି ହେପାଟାଇଟିସ୍‌ରେ ସଂକ୍ରମିତ ହେଉଛନ୍ତି ତାହାର ନିର୍ଦ୍ଦିଷ୍ଟ ରେକର୍ଡ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ସାଧାରଣଭାବେ ଦେଖା ଦେଉଥିବା ହେପାଟାଇଟିସ୍ ଏ ଓ ଇକୁ ବାଦ୍ ଦେଲେ ରକ୍ତ ଭଣ୍ଡାରଗୁଡ଼ିକରେ ହେପାଟାଇଟିସ୍ ବି ଓ ସିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିହ୍ନଟ ହୋଇଥାଏ।

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବାନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେପାଟାଇଟିସ୍‌ର ସ୍କ୍ରିନିଂ କରାଯିବ। ଏଥିପାଇଁ ଡାକ୍ତରମାନଙ୍କୁ ସ୍ବତନ୍ତ୍ରଭାବେ ତାଲିମ ପ୍ରଦାନ କରାଯିବ। ଯେଉଁମାନଙ୍କଠାରେ ହେପାଟାଇଟିସ୍ ଚିହ୍ନଟ ହେବ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର