ଛତିଶଗଡ଼ରେ ନକ୍ସଲ ଆକ୍ରମଣ; ବିସ୍ଫୋରଣରେ ୫ ଯବାନ ସହିଦ, ବସ୍ ଉଡ଼ିଲା, ୧୦ ଯବାନ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ହମଲା କରିଛନ୍ତି ନକ୍ସଲ। କମ୍ବିଂ ଅପରେସନରେ ଯାଉଥିବା ସୁରକ୍ଷା କର୍ମୀଙ୍କ ବସ୍‌କୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଶେଷ ଖବର ସୁଦ୍ଧା ୫ ଡିଆରଜି ଯବାନଙ୍କ ମୃତ୍ୟୁ ହୋଇ ସାରିଥିଲା। ୧୦ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଚିକିତ୍ସା ନିମନ୍ତେ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ କଡ଼େନାର ଅଞ୍ଚଳରୁ ୪୦ ଡିଆରଜି ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ମନ୍ଦୋଡ଼ା ଅଞ୍ଚଳକୁ ଯାଉଥିଲେ ବୋଲି ସୂଚନା ମିଳିଛି। ତେବେ କୌଣସି ସୂତ୍ରରୁ ଯବାନଙ୍କ ଗତିବିଧି ସଂପର୍କରେ ପୂର୍ବରୁ ଖବର ପାଇଥିଲେ ନକ୍ସଲ। ତେଣୁ ବହୁ ସଂଖ୍ୟାରେ ନକ୍ସଲ ଘଞ୍ଚ ଜଙ୍ଗଲରେ ଆମ୍ବୁସ୍ ଲଗାଇ ବସିଥିଲେ। ସୁରକ୍ଷା କର୍ମୀଙ୍କ ବସ୍ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ପୂର୍ବରୁ ପୋତା ଯାଇଥିବା ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ବସ୍ କିଛି ଫୁଟ୍ ଉପରକୁ ଉଠି ନିକଟସ୍ଥ ପୋଲ ତଳକୁ ଖସି ପଡ଼ିଥିଲା। ଘୋଡ଼ାଇ-ପୋଲେନାର ମଧ୍ୟରେ ଏହି ହମଲା ହୋଇଥିବା ସୂଚନା ମିଳିଛି।

ଖବର ପାଇ ଆଖପାଖ ଅଞ୍ଚଳରେ ଥିବା କ୍ୟାମ୍ପରୁ ଯବାନ ଘଟଣାସ୍ଥଳରେ ପହଞ୍ଚିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସେତେବେଳକୁ କସାବହି ଗାଁର ଯବାନ ଜୟଲାଲ ଉଇକେ, ବସ୍ ଡ୍ରାଇଭର ତଥା ଅନ୍ତାଗଡ଼ ଗାଁର କରନ ଦେହାରୀ, କାଙ୍କେର ଅଞ୍ଚଳର ସେବକ ସଲାମ, ବହିଗାଁଓର ପବନ ମଣ୍ଡାବି ଏବଂ ନାରାୟଣପୁର ଅଞ୍ଚଳର ବିଜୟ ପଟେଲଙ୍କ ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି। ଗୁରୁତର ଆହତ ୧୦ ଯବାନଙ୍କୁ ଉଦ୍ଧାର କରି ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ବି ଜୋରଦାର କରାଯାଇଛି। ସେହିପରି ପୁଲିସ ଏବଂ ପ୍ରଶାସନର ଉଚ୍ଚସ୍ତରୀୟ ବୈଠକ ବସିଥିବା ଖବର ମିଳିଛି। ଦୀର୍ଘ ଦିନ ପରେ ନକ୍ସଲ ଏତେବଡ଼ ଆକ୍ରମଣ କରିବାରେ ସକ୍ଷମ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର