ଦୂରଦର୍ଶନ ପ୍ରତିନିଧିଙ୍କ ଉପରେ ନକ୍ସଲଙ୍କ ହମ୍ଲା : ଆକ୍ରମଣ ଥିଲା ଯୋଜନାବଦ୍ଧ
‘ମୃତ୍ୟୁ ମୋ ପାଖରେ, ମା’!’ ଆକ୍ରମଣ ସମୟର ଭିଡିଓ ଭାଇରାଲ୍
ମାଲକାନଗିରି : ‘ମୁଁ ବଞ୍ଚିନପାରେ ମା’.. ଏଠାରେ ଅବସ୍ଥା ଅତି ଭୟଙ୍କର। ଆମ ଚାରିପାଖରେ ନକ୍ସଲ ଘେରି ରହିଛନ୍ତି। ମୃତ୍ୟୁ ଆମ ପାଖରେ ଥିଲେ ବି ଏଥିପ୍ରତି ମୋର ଭୟ ନାହିଁ।’ ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାଠାରେ ନକ୍ସଲଙ୍କ ଗୁଳି ବର୍ଷଣ ସମୟର ଭାଇରାଲ୍ ହୋଇଥିବା ଭିଡିଓରେ ଅତ୍ୟନ୍ତ କୋହଭରା କଣ୍ଠରେ ଏକଥା କହିଛନ୍ତି ଦୂରଦର୍ଶନ ଟିମ୍ର କ୍ୟାମେରା ସହଯୋଗୀ ମରମୁକ୍ତ ଶର୍ମା। ଆକ୍ରମଣ ସମୟରେ ଏହି ଭିଡିଓ ମେସେଜ୍କୁ ସେ ନିଜ ମା’ଙ୍କ ପାଖକୁ ପଠାଇ ଦେଇଥିଲେ। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ମରମୁକ୍ତ ସେହି ସମୟର ହୃଦୟଥରା ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ ଏବଂ କିଭଳି ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ସେ ସମ୍ପର୍କରେ ବଖାଣିଥିଲେ। ଅନ୍ୟପକ୍ଷରେ, ଗଣମାଧ୍ୟମ ପ୍ରତିନିଧି ବୋଲି ଜାଣି ସୁଦ୍ଧା ନକ୍ସଲମାନେ ଆକ୍ରମଣର ଯୋଜନା କରିଥିଲେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏପଟେ ଘଟଣାକୁ ୨୪ଘଣ୍ଟାରୁ ଊର୍ଧ୍ବ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ନକ୍ସଲ ସଂଗଠନ ଘଟଣା ସଂପର୍କରେ ମୁହଁ ଖୋଲୁ ନାହାନ୍ତି। ଭୟର ବାତାବରଣ ସୃଷ୍ଟି କରିବାକୁ ନକ୍ସଲ ଯେଉଁ ଯୋଜନା କରିଥିଲେ ତାହାର ପାର୍ଶ୍ବପ୍ରତିକ୍ରିୟା ସ୍ବରୂପ ଗଣମାଧ୍ୟମ ହିଁ ଏହି ଘଟଣାର ନିନ୍ଦା କରୁଥିବାରୁ ଚୁପ୍ ରହିବାକୁ ସଂଗଠନ ଉଚିତ ମଣୁଥିବା କୁହାଯାଉଛି।
ତେବେ, ଗତକାଲିର ବର୍ବରକାଣ୍ଡ ସଂପର୍କରେ ପ୍ରତ୍ୟକ୍ଷଦର୍ଶୀ ଯେଉଁ ତଥ୍ୟ ଦେଉଛନ୍ତି ତାହା ଅତି ଭୟଙ୍କର। ଯେମିତି, ଗଣମାଧ୍ୟମ ପ୍ରତିନିଧି ଗାଁକୁ ଆସୁଥିବା ନେଇ ନକ୍ସଲଙ୍କ ନିକଟରେ ପୂର୍ବରୁ ହିଁ ଖବର ପହଞ୍ଚି ସାରିଥିଲା। ଏପରିକି ଓଡ଼ିଆ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ ଗଣମାଧ୍ୟମ ପାଇଁ କାମ କରୁଥିବା ନେଇ ଜାଣିବା ସେତ୍ତ୍ବ ନକ୍ସଲ ଅତି ନିକଟରୁ ଗୁଳି କରିଥିଲେ। ତାଙ୍କ ମୁଣ୍ଡ ଏବଂ ଛାତିକୁ ଲକ୍ଷ୍ୟ କରି ଗୁଳି କରାଯାଇଛି। ଏହାପରେ ଜଣେ ନକ୍ସଲ ଟାଙ୍ଗିଆ ଧରି ଦୂରଦର୍ଶନର ରିପୋର୍ଟର ଏବଂ କ୍ୟାମେରା ସହଯୋଗୀଙ୍କୁ ହତ୍ୟା କରିବାକୁ ଗୋଡ଼ାଇଥିଲେ। ଏହି ସମୟରେ ଜଣେ ଯବାନ ପହଞ୍ଚି ଯାଇ ସେହି ନକ୍ସଲକୁ ଧକ୍କା ଦେଇ ଦୁହିଁଙ୍କ ଜୀବନ ବଞ୍ଚାଇଥିଲେ। ତେବେ ଏଥିପାଇଁ କିନ୍ତୁ ଯବାନଙ୍କୁ ନିଜ ଜୀବନ ଦେବାକୁ ପଡ଼ିଥିଲା। ୫ରୁ ଊର୍ଧ୍ବ ନକ୍ସଲ ତାଙ୍କୁ ଘେରି ଯାଇ ୨୫ରୁ ୩୦ ରାଉଣ୍ଡ ଗୁଳି ତାଙ୍କ ଉପରକୁ ଲାଗ୍ଲାଗ୍ ଚଳାଇଥିବା ସୂଚନା ମିଳିଛି।
ଦୂରଦର୍ଶନ ରିପୋର୍ଟର ଧିରଜ କୁମାରଙ୍କ କହିବା ଅନୁଯାୟୀ, ନକ୍ସଲ ଆକ୍ରମଣ କରିବା ପରେ ସୁରକ୍ଷା ଦାୟିତ୍ବରେ ଥିବା ଯବାନାମାନେ ତାଙ୍କୁ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କୁ ତଳେ ଶୋଇପଡ଼ିବାକୁ କହିଥିଲେ। ପରିସ୍ଥିତି ସାମାନ୍ୟ ନହେବା ପର୍ଯ୍ୟନ୍ତ ନ ଉଠିବାକୁ କହିଥିଲେ। ସେ ଓ କ୍ୟାମେରା ସହଯୋଗୀ ବର୍ତି ଯାଇଥିଲେ ବି ଦୁର୍ଭାଗ୍ୟବଶତଃ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ନକ୍ସଲଙ୍କ ଗୁଳିର ଶିକାର ହୋଇଥିଲେ।
ଅନ୍ୟପକ୍ଷରେ, ଆହତ ହୋଇଥିବା ଆଉ ଜଣେ ଯବାନ୍ ଆଜି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।