ଦିଲ୍ଲୀରେ ନେତାଜୀ ଜୟନ୍ତୀ ପାଳିଲେ ଓଡ଼ିଶାର ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଠାରେ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଭାଗନେଉଥିବା ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନଙ୍କ ସହିତ ଅନ୍ୟ କେତୋଟି ରାଜ୍ୟର ସ୍ୱେଚ୍ଛାସେବୀଙ୍କ ସାହାର୍ଯ୍ୟରେ ଦିଲ୍ଲୀର ଆନ୍ତର୍ଜାତିକ ଯୁବ ଛାତ୍ରାବାସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି। ଏଥିରେ ଅନ୍ୟ ରାଜ୍ୟର କାର୍ୟ୍ୟକ୍ରମ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ସ୍ୱେଚ୍ଛାସେବୀ ଦୀପକ କୁମାର ଗିରି, ଡମ୍ବରୁଧର ଗରଡା, ସ୍ୱରାଜ ମହାନ୍ତି, ଅଲେଖ ସଗରିଆ, ହିମାଦ୍ରି ତନୟା ହରିଚନ୍ଦନ, ନେହା ପ୍ରଧାନ, ରୁବିନା ପ୍ରଧାନ, ବର୍ଷାରାଣି ସାହୁଙ୍କ ନେତୃତ୍ଵରେ ଏକ ବୈଠକ ଅନୁଷ୍ଠିତ ହେବା ସହିତ ନେତନେତାଜୀ ଶ୍ଲୋଗାନ ଦିଆଯାଇଥିଲା।

ଓଡିଶା ସ୍ୱେଚ୍ଛାସେବୀ ମାନଙ୍କ ଦାୟିତ୍ବ ନେଇ କଣ୍ଟିଜେଣ୍ଟ୍ ଲିଡର୍ ଭାବରେ ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡ଼କ୍ଟର ସ୍ମୃତିରଞ୍ଜନ ଦାସ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ବିପ୍ଳବର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂଗ୍ରାମର କାହାଣୀ, ସଚେତନତା ଓ ସଫଳତାର କାହାଣୀ ଉପସ୍ଥାପନ କରି ଯୁବପିଢି ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବିଶେଷ କରି ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ଛାତ୍ର ଦୀପକ କୁମାର ଗିରିଙ୍କ ଅଙ୍କିତ ନେତାଜୀଙ୍କ ଚିତ୍ର ସମସ୍ତ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଉତ୍କଳରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ପାଇଁ ସାରା ଭାରତ ଗର୍ବିତ ଥିବାରୁ ଓଡିଶାର ଛାତ୍ରଛାତ୍ରୀମାନେ ତାଙ୍କ ଜୀବନ କାହାଣୀ କୁ ଅନୁଧ୍ୟାନ କରିବାସହ ଦେଶପ୍ରେମ ମନ୍ତ୍ରରେ ମନ୍ତ୍ରିତ ହେବାଉଚିତ ବୋଲି ସ୍ୱେଚ୍ଛାସେବୀ ମାନେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର