ନବବିବାହିତାଙ୍କ ଆତ୍ମହତ୍ୟା, ଯୌତୁକ ପାଇଁ ହତ୍ୟା ଅଭିଯୋଗ

କଂଟାବାଞ୍ଜି/ଲାଠୋର: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ କୁଶପାଲି ଗାଁରେ ନୀଲେ ମାଝୀ (୨୧) ନାମ୍ନୀ ଜଣେ ନବବିବାହିତା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ବାପାଘର ଲୋକେ ଯୌତୁକ ପାଇଁ ନୀଲେଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ନୀଲେଙ୍କ ଶାଶୂଘର ଲୋକଙ୍କ କହିବା ଅନୁସାରେ, ଶନିବାର ଦିନ ପ୍ରାୟ ୧ଟାରେ ନୀଲେ ତାଙ୍କ କୋଠରିରେ ବେକରେ ଦଉଡ଼ି ଲଗାଇ ଝୁଲୁଥିବା ସେମାନେ ଦେଖିଥିଲେ। କାଳେ ଜୀବନ ଥିବ ଭାବି ତାଙ୍କୁ ତଳକୁ ଆଣି ଖଟରେ ରଖିଥିଲେ। ପରେ ତୁରେକେଲା ପୁଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ତୁରେକେଲା ପୁଲିସ ସହ କଂଟାବାଞ୍ଜି ତହସିଲଦାର ଅଶୋକ ମାଝୀ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ କରିଛନ୍ତି।

ଅନ୍ୟପକ୍ଷ‌ରେ ନୀଲେଙ୍କ ବାପା କମେଇମୁଣ୍ଡା ଗାଁର ଡମ୍ବରୁ ମାଝୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଝିଅ ନୀଲେ ଓ କୁଶପାଲି ଗାଁର ପଦ୍ମନ ମାଝୀଙ୍କ ପୁଅ ପ୍ରମୋଦଙ୍କ ସହିତ ଗତମାସ ୧୪ ତାରିଖ ଦିନ ହୋଇଥିଲା। ସେତେବେଳେ ଯଥାସାଧ୍ୟ ଯୌତୁକ ମଧ୍ୟ ଦିଆଯାଇଥିଲା। ବିବାହର କିଛିଦିନ ପରେ ଶାଶୂ ଘର ଲୋକେ ନୀଲେଙ୍କୁ ୨ ତୋଳା ସୁନା, ବାଇକ୍‌, ୨୦ ହଜାର ଟଙ୍କା ଦାବି କରି ନିର୍ଯାତନା ଦେଇ ଆସୁଥିଲେ। ବିବାହର କିଛିଦିନ ପରେ ନୀଲେ ତାଙ୍କ ବାପାଘର କମେଇମୁଣ୍ଡା ଯାଇ ଘଟଣା ବିଷୟରେ କହିବା ସହ ଶାଶୂଘରକୁ ଆଉ ଯିବେ ନାହିଁ ବୋଲି ମନା କରି ଦେଇଥିଲେ। ଘରଲୋକେ ବୁଝାସୁଝା କରି ତାଙ୍କୁ କୁଶପାଲିକୁ ପଠାଇ ଦେଇଥିଲେ। ହଠାତ୍‌ ନୀଲେ ଗତ ୯ ତାରିଖ ରାତି ୮ଟାରେ ବାପାଘରକୁ ଫୋନ୍‌ କରି ତାଙ୍କୁ ବହୁତ ମାଡ଼ ମାରୁଥିବା କହିଥିଲେ।

ସମ୍ପର୍କୀୟମା‌ନେ କୁଶପାଲିରେ ପହଞ୍ଚି ନୀଲେଙ୍କ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତୁରେକେଲା ଥାନାରେ ଅଭିଯୋଗ କରିଥିଲେ। ଏନେଇ ଏସ୍‌ଡିପିଓ ସରୋଜ ମହାପାତ୍ରଙ୍କୁ ପଚରାଯିବାରୁ ଶବ ବ୍ୟବଚ୍ଛେଧ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର