କାର୍ତ୍ତିକରେ ଆମିଷ ଚାହିଦା: ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ, ପ୍ରଭାବିତ ହୋଇଛି ବ୍ୟବସାୟ

ଭୁବନେଶ୍ୱର (ମହେନ୍ଦ୍ର ସାହୁ): ଆଧ୍ୟାତ୍ମିକ ମାସ ‘କାର୍ତ୍ତିକ’ ପାଇଁ ଦେବାଳୟରେ ସକାଳୁ ସଂଜ ଯାଏଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡ଼ ରହୁଛି। ନାମ ଓ ସଂକୀର୍ତ୍ତନର ଆସର ଜମୁଛି। ମଠ ଓ ମନ୍ଦିରରେ ହବିଷ୍ୟାଳୀମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଉଛି। ସକାଳୁ ବୁଲିବା ସମୟରେ ଡାକବାଜି ଯନ୍ତ୍ରରୁ ଧାର୍ମିକ ଗୀତ ଶୁଣିବାକୁ ମିଳୁଛି। କାର୍ତ୍ତିକ ମାସ ହୋଇଥିବାରୁ ଅଧିକାଂଶ ଲୋକଙ୍କ ନିରାମିଷ ଖାଦ୍ୟ ପସନ୍ଦ। ଏଥି ପାଇଁ ପନିପରିବା ଦର ବଢ଼ିଛି। ଅଧିକାଂଶ ପନିପରିବା ୪୦ ଟଙ୍କାରୁ ଅଧିକ। ଏସବୁ ସତ୍ତ୍ବେ ସଜ ପନିପରିବା ଦୋକାନରେ ଗ୍ରାହକଙ୍କ ଭିଡ଼ ରହୁଛି। ଆମିଷ ବଜାରରେ ବ୍ୟବସାୟୀମାନେ ଗ୍ରାହକଙ୍କୁ ଅପେକ୍ଷା କରୁଛନ୍ତି। ଅନ୍ୟ ମାସ ଭଳି ବ୍ୟବସାୟ ହୋଇପାରୁ ନାହିଁ। ଗ୍ରାହକଙ୍କ ସଂଖ୍ୟା କମୁଥିବାରୁ ବ୍ୟବସାୟ ପ୍ରଭାବିତ ହେଉଛି। ଗ୍ରାହକଙ୍କ ଚାହିଦା ଅନୁସାରେ ଭୁବନେଶ୍ୱରକୁ ଆମିଷ ଆମଦାନୀ ହେଉଛି। ହୋଟେଲ ଓ ରେଷ୍ଟୁରାଣ୍ଟରେ ଆମିଷର ଚାହିଦା ସାମାନ୍ୟ କମିଛି । ପୂର୍ବରୁ ଯେତିକି ମାଛ, ମାଂସ ଓ ଅଣ୍ଟା ରୋଷେଇ ହେଉଥିଲା, କାର୍ତ୍ତିକ ମାସରେ ସାମାନ୍ୟ କମ୍‌ ହେଉଛି। ମାତ୍ର କାର୍ତ୍ତିକ ମାସର ଶେଷ ୬ ଦିନ (ପଞ୍ଚୁକ ସମୟ)ରେ ଆମିଷ ଭୋଜନ ବିକ୍ରି ହାସ ପାଇପାରେ ବୋଲି ଆଶା କରାଯାଉଛି ।

ଭୁବନେଶ୍ୱର ୟୁନଟି-୪ସ୍ଥିତ ମାଛ ବ୍ୟବସାୟୀ ଓ ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଗଠନର ସଂପାଦକ ଜମ୍ବେଶ୍ୱର ମଲ୍ଲିକ (୬୨)ଙ୍କ କହିବା ଅନୁସାରେ କାର୍ତ୍ତିକ ମାସରେ ୭୦ ପ୍ରତିଶତ କାରବାର ହ୍ରାସ ପାଇଛି। ବୁଧବାର, ଶୁକ୍ରବାର ଓ ରବିବାର ଦିନରେ ବ୍ୟବସାୟ ଏକ ପ୍ରକାର ଭଲ ଚାଲିଛି  ଯଦି ଏହି ଦିନଗୁଡ଼ିକରେ ଧାର୍ମିକ ତିଥି ପଡ଼ିଯାଏ, ତା’ହେଲେ ବ୍ୟବସାୟ ପ୍ରଭାବିତ ହେଉଛି। ଓଡ଼ିଶାର ଲୋକଙ୍କୁ ମୁଖ୍ୟତଃ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ମାଛ ଉପରେ ନିର୍ଭର  କରିବାକୁ ପଡ଼ିଥାଏ। ଏବେ ଆନ୍ଧ୍ରରୁ ଭୁବନେଶ୍ୱରକୁ ଦୈନିକ ଗୋଟିଏ ବା ୨ଟି ଗାଡ଼ିରେ ମାଛ ଆସୁଛି । ଋତୁ ସରିବାକୁ ଯାଉଥିବାରୁ ଆନ୍ଧ୍ରରେ ମଧ୍ୟ ମାଛ ଉତ୍ପାଦନ କମିଛି । ଆନ୍ଧ୍ରରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ଆସାମକୁ ମଧ୍ୟ ମାଛ ରପ୍ତାନୀ ହେଉଛି । ଯେଉଁଥି ଲାଗି ଚଢ଼ା ଦରରେ ମାଛ କିଣିବାକୁ ପଡୁଛି।

ବ୍ୟବସାୟ କ୍ଷେତ୍ରରେ ଦୀର୍ଘ ୪୭ ବର୍ଷର ଅଭିଜ୍ଞତା ରଖିଥିବା ଶ୍ରୀ ମିଲ୍ଲିକ କୁହନ୍ତି ମାଛ ହେଉଛି ନିତ୍ୟ ବ୍ୟବହାର୍ଯ୍ୟ ହେଉଥିବା ଖାଦ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ। କାର୍ତ୍ତିକ ମାସକୁ ବାଦ୍ ଦେଲେ ମାଛ ଆମଦାନୀ ବଢ଼ିଛି । ବିବାହ ସମୟରେ ମାଛର ଚାହିଦା ଟିକେ ଅଧିକ ବଢ଼ିଯାଇଥାଏ । ଆନ୍ଧ୍ରରୁ ଜଳଙ୍ଗ ମାଛ ଆଣି ଏହି ଆବଶ୍ୟକତାକୁ ପୂରଣ କରାଯାଇଥାଏ । ଆନ୍ଧ୍ରରେ ଜଳଙ୍ଗ ମାଛ କିଲୋ ପିଛା ୧୨୦ ଥିବା ବେଳେ ଓଡ଼ିଶାରେ ଏହା ସର୍ବାଧିକ ୧୭୦ ଟଙ୍କାରେ ବିକ୍ରି କରାଯାଇଥାଏ । ଓଡ଼ିଶାରେ ଆବଶ୍ୟକ ପଡୁଥିବା ମାଛର ୯୦ ପ୍ରତିଶତ ଆମଦାନୀ ହୋଇଥାଏ । ଅର୍ଥାତ ଓଡ଼ିଶାର ପୋଖରୀ, ନଦୀ, ହ୍ରଦ ଓ ସମୁଦ୍ରରୁ ଉତ୍ପାଦିତ ହେଉଥିବା ମାଛ ୧୦ ପ୍ରତିଶତ ଓଡ଼ିଆ ଲୋକଙ୍କୁ ଯୋଗାଇ ହୋଇଥାଏ । ସମୁଦ୍ରରୁ ଯଦିଓ ବହୁ ପରିମାଣରେ ମାଛ ଉତ୍ପାଦନ ହେଉଛି, ତାହାର ସିଂହ ଭାଗ ବିଦେଶକୁ ରପ୍ତାନୀ ହୋଇଥାଏ ।


ମାଛ ଦର କିଲୋ ପିଛା

ଇଲିସି: ୧୦୦୦ରୁ ୧୫୦୦ ଟଙ୍କା
ପାମ୍ପଲେଟ: ୪୦୦ରୁ ୮୦୦ ଟଙ୍କା
ଭେକ୍‌ଟି: ୫୦୦ରୁ ୫୫୦ ଟଙ୍କା
ଚିଙ୍ଗୁଡି: ୨୮୦ରୁ ୬୫୦ ଟଙ୍କା
ରୋହୀ ଓ ଭାକୁର: ୧୬୦ରୁ ୨୪୦ ଟଙ୍କା
ଚୂନା ମାଛ: ୨୦୦ରୁ ୩୦୦ ଟଙ୍କା
‘ମାଛ ଏକ ସାଧାରଣ ଖାଦ୍ୟ ପାଲଟିଛି । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଏକ ଉପଯୋଗୀ ଖାଦ୍ୟ । ଅତିକମରେ ଜଣେ ୩୦ ଟଙ୍କାର ମାଛ ମଧ୍ୟ କିଣିପାରିବେ। ଛୋଟବଡ଼ ମାଛ ବ୍ୟବସାୟ କରି ଭୁବଶ୍ୱେରରେ ହଜାର ହଜାର ଲୋକ ପେଟ ପୋଷନ୍ତି । ଗରିବ, ଅସହାୟ ଓ ମହିଳାମାନେ ମଧ୍ୟ ଖୁଚୁରା ମାଛ ବ୍ୟବସାୟ କରି ପରିବାର ଲାଳନପାଳନ କରିଥାନ୍ତି । ଅତି ଗରିବ ଘରର ପିଲାମାନେ ମଧ୍ୟ ମାଛ ବ୍ୟବସାୟ ସହିତ ଜଡ଼ିତ ହେଉଛନ୍ତି । ଉଦାହରଣ ସ୍ୱରୂପ ସେମାନେ ମାଛ ଗୋଦାମରେ କାମ କରି କିଛି ଟଙ୍କା ରୋଜଗାର କରିଥାନ୍ତି। ବାଲୁଗାଁ ଅଞ୍ଚଳର ଶତାଧିକ ମହିଳା ଭୁବନେଶ୍ୱର ଆସି ମାଛ ବ୍ୟବସାୟ କରୁଛନ୍ତି । ଫଳରେ ସେମାନେ ନିଜ ନିଜ କୁଟୁମ୍ବ ପୋଷିପାରି ଥାନ୍ତି ।

ଅଣ୍ଡା କାର୍ଟୁନ (୩୦ଗୋଟି) ବଜାରରେ ୧୫୦ରୁ ୧୭୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପାଳଛତୁ ୨୫୦ରୁ ୨୮୦ ଓ ବଟମ୍‌ ଛତୁ ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। 

ମାଛ ବ୍ୟତୀତ ଚିକେନ୍ ଓ ମଟନ୍ (ଛେଳି ମାଂସ) ଦର ସାମାନ୍ୟ ହ୍ରାସ ପାଇଛି । କାର୍ତ୍ତିକ ମାସ ପୂର୍ବରୁ ଭୁବନେଶ୍ୱରରେ ବ୍ରଏଲର ଚିକେନ ଦର କିଲୋ ପିଛା ୨୪୦ ଓ ଦେଶୀ ଚିକେନ୍ କିଲୋ ପିଛା ୪୫୦ ଟଙ୍କା ଥିଲା । ଏବେ ଉଭୟର ଦର ଯଥାକ୍ରମେ ୪୦ ଓ ୫୦ ଟଙ୍କା ହ୍ରାସ ପାଇଛି । ମଟନ କିଲୋ କାର୍ତ୍ତିକ ମାସ ପୂର୍ବରୁ ୮୦୦ ଟଙ୍କା ଥିଲା ବେଳେ ଏବେ ୭୫୦ ଟଙ୍କା ରହିଛି । କାର୍ତ୍ତିକ ମାସ ସରିଲା ପରେ ଦର ପୁଣି ପୂର୍ବ ଅବସ୍ଥାରେ ପହଞ୍ଚିବ। ୟୁନିଟ୍‌-୪ର ଚିକେନ୍ ବ୍ୟବସାୟୀ ତଥା ବବୁଲ ଟ୍ରେଡର୍ସର ମାଲିକ କୁହନ୍ତି କାର୍ତ୍ତିକ ମାସ ଯୋଗୁଁ, ତାଙ୍କର ବ୍ୟବସାୟ ପ୍ରଭାବିତ ହୋଇଛି । ଗତ ମାସରେ ସେ ଦୈନିକ ପ୍ରାୟ ୨ କୁଇଣ୍ଟାଲ ଚିକେନ୍ ବିକ୍ରି କରୁଥିଲେ। ସେ ରବିବାର ଦିନରେ ଏଥିରୁ ଆହୁରି ଅଧିକ ବିକ୍ରି କରିଥାନ୍ତି । କିନ୍ତୁ ଚଳିତ ମାସ ସେ ବୁଧବାର, ଶୁକ୍ରବାର ଓ ରବିବାର ଦିନରେ ହାରାହାରି ଦେଢ଼ କୁଇଣ୍ଟାଲ ଚିକେନ୍ ବିକ୍ରି କରୁଛନ୍ତି । ଅନ୍ୟ ଦିନଗୁଡ଼ିକରେ ବ୍ୟବସାୟ ପ୍ରଭାବିତ ହେଉଛି।

ସମ୍ବନ୍ଧିତ ଖବର