ଦଳୀୟ କାର୍ଯ୍ୟକ୍ରମକୁ ଏବେ ଯିବିନାହିଁ: ମୋକିମ୍

ଥରେ ବିଧାୟକ ହୋଇଛନ୍ତି, ଏତେ ବ୍ୟଗ୍ର କାହିଁକି : ତାରା

ଭୁବନେଶ୍ବର: ଓଡ଼ିଶାରେ ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି। କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଘନ ଘନ ପ୍ରସ୍ତୁତି ବୈଠକ ଚାଲିଛି। ହେଲେ ଦଳର ନେତାଙ୍କ ଭିତରେ ମତାନ୍ତର ଥମୁନାହିଁ। ପୂର୍ବରୁ ଯେଉଁଭଳି ନେତାମାନେ ପରସ୍ପର ପ୍ରତି ଆକ୍ଷେପ କରୁଥିଲେ ଆଜି ବି ତାହା ଜାରି ରହିଛି। ଦଳୀୟ ରାଜନୀତିକୁ ନେଇ ଆଜି ମୁହାମୁହିଁ ହୋଇଛନ୍ତି ବିଧାୟକ ମହମ୍ମଦ ମୋକିମ୍ ଓ ତାରାପ୍ରସାଦ ବାହିନୀପତି।

ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନୀତି ବାହାରେ ଯାଇ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ କଂଗ୍ରେସ ବିଧାୟକ ‌ମହମ୍ମଦ ମୋକିମ୍। ଏହି ଘଟଣାରେ କଂଗ୍ରେସରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଥିପାଇଁ ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ୨ସପ୍ତାହ ଭିତରେ ଶ୍ରୀ ମୋକିମ୍ ଏହାର ଉତ୍ତର ରଖିଥିଲେ। କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖିଥିଲେ ବି ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନାହିଁ। କେବଳ କଟକ ନିର୍ବାଚନମଣ୍ଡଳୀରେ ନିଜକୁ ସୀମିତ ରଖିଛନ୍ତି। ଏହାକୁ ନେଇ ଦଳ ଭିତରେ ସବୁକିଛି ଠିକ୍‌ ନ ଥିବା ବାରି ହୋଇପଡ଼ୁଛି।
ମୋକିମ୍ କହିଛନ୍ତି ଯେ ଦ୍ରୌପୁଦୀ ମୁର୍ମୁଙ୍କୁ ଭୋଟ ଦେବା ନେଇ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ଏହାର ଉତ୍ତର ମୁଁ ରଖିସାରିଛି‌ ହେଲେ ଦଳ ପକ୍ଷରୁ ମତେ ଜବାବ ମିଳିନାହିଁ। ଦଳ ମୋ ଉପରେ କାର୍ଯ୍ୟାନୁଷ୍ଠାନ ନେବ କି ନାହିଁ ତାହାର ଜବାବ ନ ମିଳିବା ଯାଏ କୌଣସି ଦଳୀୟ କାର୍ଯ୍ୟକ୍ରମ କିମ୍ବା କଂଗ୍ରେସ ଭବନ ଯିବି ନାହିଁ। ନିଜକୁ କେବଳ କଟକରେ ସୀମିତ ରଖିଛି। ଦଳ ଚାହିଁଲେ ‘ଭାରତ ଯୋଡ଼ୋ’ରେ ସାମିଲ୍ ହେବି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳରେ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯାଉ ନ ଥିବା ନେଇ ସେମାନଙ୍କ ମନ ଉଣା ହେଉଛି। ତେଣୁ ଅନେକ ଯୁବ/ଛାତ୍ର ନେତା ଦଳ ଛାଡ଼ୁଛନ୍ତି। ଏହାକୁ ଗୁରୁତ୍ବର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଏହାର ପ୍ରତିକ୍ରିୟାରେ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବେ ‘ଭାରତ ଯୋଡ଼ୋ’ ଯାତ୍ରାରେ ବ୍ୟସ୍ତ ଅଛନ୍ତି। ଜବାବ ମିଳିବାଟା କ’ଣ ବଡ଼ କଥା। କଂଗ୍ରେସ ମୋକିମ ବାବୁଙ୍କୁ ବହୁତ କିଛି ଦେଇଛି। ସେ ଥରେ ମାତ୍ର ବିଧାୟକ ହୋଇଛନ୍ତି, ଏତେ ବ୍ୟଗ୍ର କାହିଁକି। କଂଗ୍ରେସ ହେଉଛି ଜନସମୁଦ୍ର। ସେଥିରେ କେତେବେଳେ କିଏ ଲୀନ ହୋଇଯିବ ତାହା କେହି କହିପାରିବେନି। ମୋକିମ ବାବୁ ଜଣେ ଶିକ୍ଷିତ ଲୋକ, ସେ ପରିସ୍ଥିତିକୁ ବୁଝିବା ଦରକାର ବୋଲି ତାରା କହିଛନ୍ତି।

ସମ୍ବନ୍ଧିତ ଖବର