ଚିଟ୍‌ଫଣ୍ଡ୍‌ ତଦନ୍ତ କମିସନ୍‌ରେ ଖର୍ଚ୍ଚ ହେଲାଣି ସାଢ଼େ ୫ କୋଟି

ରତ୍ନଭଣ୍ଡାର ଚାବି ଖୋଜିବା ପାଇଁ ୨୨ ଲକ୍ଷ ଖର୍ଚ୍ଚ, ୪ ତଦନ୍ତ କମିସନ୍‌ଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇନି

ଭୁବନେଶ୍ବର : ଚିଟ୍‌ଫଣ୍ଡ୍‌ ତଦନ୍ତ କମିସନ୍‌ଙ୍କ ଚୂଡ଼ାନ୍ତ ରିପୋର୍ଟ ଏ ଯାଏ ଆସିନି। ଜମାକାରୀ କେବେ ନ୍ୟାୟ ପାଇବେ, ତାହାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ତଦନ୍ତ କମିସନ୍‌ ପାଇଁ ଖର୍ଚ୍ଚ ହୋଇସାରି‌ଲାଣି ୫ କୋଟି ୫୫ ଲକ୍ଷ ଟଙ୍କା। କମିସନ୍‌ଙ୍କ କାର୍ଯ୍ୟକାଳ ବିଭିନ୍ନ ପର୍ଯ୍ୟାୟରେ ବଢ଼ି ୭୩ ମାସ ହେଲାଣି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ତଥ୍ୟ ଦେଇଛନ୍ତି। ଚିଟ୍‌ଫଣ୍ଡ୍‌ ତଦନ୍ତ କମିସନ୍ ୭ଟି ଅନ୍ତରୀଣ ରିପୋର୍ଟ ଦେଇଥିଲେ ବି ୬ଟି ରିପୋର୍ଟକୁ ସରକାର ତର୍ଜମା କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବହୁଚର୍ଚ୍ଚିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସରକାର ତଦନ୍ତ କମିସନ୍ ବସାଇଥିଲେ। କମିସନ୍ ରିପୋର୍ଟ ଦେଇଥିଲେ ବି ସରକାର ତାହାକୁ ବିଧାନସଭାରେ ଉପସ୍ଥାପନ କରି ନାହାନ୍ତି। ଚାବି କୁଆଡ଼େ ଗଲା ଓ କିଏ ରଖିଲା, ସେ ସମ୍ପର୍କରେ ସାଧାରଣ ଜନତା ଅନ୍ଧାରରେ। କିନ୍ତୁ ଏହି ଘଟଣା‌ର ତଦନ୍ତ ପାଇଁ ସରକାର ୨୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ଏହି ତଦନ୍ତ କମିସନ୍‌ଙ୍କ କାର୍ଯ୍ୟକାଳ ୩ ମାସ ଥିଲା ବେଳେ ପରବର୍ତ୍ତୀ ସମୟରେ ଆଉ ତିନି ମାସ ବୃଦ୍ଧି କରାଯାଇଥିଲା। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ସରକାର ୯ଟି ବହୁଚର୍ଚ୍ଚିତ ଘଟଣାର ତଦନ୍ତ ପାଇଁ ବିଚାର ବିଭାଗୀୟ ତଦନ୍ତ କମିସନ୍ ଗଠନ କରିଛନ୍ତି। ତାହା ମଧ୍ୟରୁ ୮ଟିର ଚୂଡ଼ାନ୍ତ ରିପୋର୍ଟ ଆସିଥ‌ିଲେ ବି ଗୃହରେ ୪ଟି ଉପସ୍ଥାପନ ହୋଇନି।

ଗୃହରେ ଉପସ୍ଥାପନ ହୋଇ ନ ଥିବା ରିପୋର୍ଟ ମଧ୍ୟରେ ଅଛି ଗୁମୁଡୁମାହରେ ପୁଲିସ୍ ଗୁଳିକାଣ୍ଡ, ସମ୍ ହସ୍ପିଟାଲ୍‌ ଅଗ୍ନିକାଣ୍ଡ, କୋରାପୁଟରେ ନାବାଳିକା ଅପହରଣ ଓ ଦୁଷ୍କର୍ମ ଏବଂ ରତ୍ନଭଣ୍ଡାର ଚାବି ହଜିବା। ସରକାର ଏହି ରିପୋର୍ଟ ପାଇ ତାହାର ଅନୁଧ୍ୟାନ କରୁଛନ୍ତି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର