ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ରାଜ୍ୟ ସମ୍ମିଳନୀ : ମୃତ ବିଦ୍ୟୁତ୍ କର୍ମଚାରୀଙ୍କ ପରିବାରକୁ ମିଳିବ ନିଯୁକ୍ତି

ଭୁବନେଶ୍ବର : ମୃତ ବିଦ୍ୟୁତ୍ କର୍ମଚାରୀଙ୍କ ପରିବାରକୁ ନିଯୁକ୍ତି ଦିଆଯିବ। ଏହାର ୭୦ଭାଗ କାର୍ଯ୍ୟ ଶେଷ ହୋଇଛି। ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏହାସହ ଶ୍ରମ ଆଇନ ଦ୍ବାରା ପ୍ରଦତ୍ତ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ବିଦ୍ୟୁତ୍ ବିଭାଗ ତଥା ଠିକାସଂସ୍ଥା ଦ୍ବାରା କାର୍ଯ୍ୟରତ ଶ୍ରମିକମାନଙ୍କୁ ପ୍ରଦାନ କରାଯିବ ବୋଲି ଆଜି ଇନ୍‌ଷ୍ଟିଚ୍ୟୁସନ୍ ଅଫ ଇଞ୍ଜିନିୟର୍ସଠାରେ ଓଡ଼ିଶା ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ପ୍ରଥମ ରାଜ୍ୟ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର।

ଏହି ସମ୍ମିଳନୀରେ ଯୋଗଦେଇ ସାଂସଦ ଅମର ପଟ୍ଟନାୟକ କହିଲେ, ଗତ ବାତ୍ୟା ସମୟରେ ଜୀବନକୁ ବିପନ୍ନ କରି ଦିନରାତି ବିଦ୍ୟୁତ୍ ସଂଯୋଗ ପାଇଁ ଅହରହ ଉଦ୍ୟମ କରିଥିବା ବିଦ୍ୟୁତ୍ କର୍ମଚାରୀଙ୍କ କାର୍ଯ୍ୟ ପ୍ରଶଂସନୀୟ। ତେବେ କର୍ମଚାରୀମାନେ କିଛି ମୌଳିକ ସମସ୍ୟା ଦେଇ ଗତି କରୁଛନ୍ତି। କର୍ମଚାରୀଙ୍କ ସଂଖ୍ୟାବୃଦ୍ଧି, ମୃତ୍ୟୁ ପରେ ଥଇଥାନ, ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ, ଠିକା ଶ୍ରମିକଙ୍କୁ ସରକାରୀ ପରିସରକୁ ଆଣିବା, ଦରମା ତାରତମ୍ୟ ଓ ସବୁସ୍ତରର କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନ କରିବା ଭଳି ମୌଳିକ ସମସ୍ୟା ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ।

ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଲେ, ବିଦ୍ୟୁତ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ହୋଇଥିବାରୁ ଏହାର ସାମଗ୍ରୀକ ବିକାଶ ଓ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଥିଲେ। ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅରୁଣ ବୋଥ୍ରା ବିଦ୍ୟୁତ୍ କର୍ମଚାରୀଙ୍କ ସୁରକ୍ଷା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ। ମହାସଂଘର ଉପଦେଷ୍ଟା ଦେବାଶିଷ ସାମନ୍ତରାୟ କହିଲେ, କର୍ମଚାରୀଙ୍କ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଶ୍ରମିକମାନଙ୍କ ପାଇଁ ଏକ ପ୍ୟାକେଜ୍ ଘୋଷଣା କରାଯିବ‌ା ନେଇ ପଦକ୍ଷେପ ନିଆଯିବ।

ମହାସଂଘର ରାଜ୍ୟ ସଭାପତି ସୁବାସ ସିଂ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଅମର ପ୍ରତାପ ସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଦ୍ୟୁତ କର୍ମଚାରୀଙ୍କୁ ସଂଗଠିତ କରିଥିବା ସ୍ବର୍ଗତଃ ଶରତ ଚନ୍ଦ୍ର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ସମ୍ମିଳନୀରେ ରାଜ୍ୟର ୩୦ ଜିଲ୍ଲରୁ ଦୁଇ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର