ବର୍ଷା ହେବ, କିନ୍ତୁ କମ୍‌; ସାରା ରାଜ୍ୟରେ ଜାରି ରହିବ କୋହଲା ପାଗ

୯ରାତିରୁ ଘନ କୁହୁଡ଼ି, ଥଣ୍ଡା ବେଶି ବଢ଼ିବନି

ଭୁବନେଶ୍ବର : ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଥିଲେ ହେଁ ତାହା ହେବନି। ସାରା ରାଜ୍ୟରେ ବର୍ଷାର ପ୍ରକୋପ କମ୍‌ ରହିବ। ୭ ଓ ୮ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ୯ ତାରିଖ ଅପରାହ୍‌ଣରୁ ସାରା ରାଜ୍ୟରେ ଶୁଖିଲା ପାଗ ରହିବା ସହ ଆକାଶ ମେଘମୁକ୍ତ ରହିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୯ ତାରିଖ ଅପରାହ୍‌ଣ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ। ଦକ୍ଷିଣ ଉପକୂଳ ତଥା ଖୋର୍ଦ୍ଧାର ଦକ୍ଷିଣ ଉପକୂଳରେ ଥିବା ଜିଲ୍ଲାଗୁଡ଼ିକରେ ୭ ଓ ୮ ତାରିଖରେ ବର୍ଷା ହେବ। ବର୍ଷାର ପରିମାଣ ୨୦ ମିମିରୁ କମ୍‌ ରହିବ। ସେହିପରି ଖୋର୍ଦ୍ଧାର ଉତ୍ତରରେ ଥିବା ଉପକୂଳ ଜିଲ୍ଲାରେ ପାଗ ଶୁଖିଲା ରହିବ। ଗଞ୍ଜାମ ଜିଲ୍ଲା ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଦକ୍ଷିଣ ଉପକୂଳରେ ୭ ଓ ୮ରେ ୬ରୁ ୮ମିମି ବର୍ଷା ହୋଇପାରେ।

ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ୭ରେ ବର୍ଷା ହେବ। ଏଠାରେ ୧୫ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୮ ଓ ୯ରେ ପାଗ କୋହଲା ରହିବ। ବର୍ଷା ଛାଡ଼ିବା ପରେ ୧୦ରୁ ରାଜ୍ୟରେ ସାମାନ୍ୟ ଥଣ୍ଡା ବଢ଼ିବ। କିନ୍ତୁ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ନାହିଁ। ଅପରପ‌େକ୍ଷ ୮ରୁ ୧୦ ତାରିଖ ମଧ୍ୟରେ ହିମାଳୟରୁ ଉତ୍ତରା ପବନ ନଆସି ଆରବସାଗରୀୟ ପବନ ଉତ୍ତର ଭାଗ ଦେଇ ରାଜ୍ୟକୁ ପ୍ରବେଶ କରିବ। ଏହି ପବନ ଆସିବାକୁ ଥିବାରୁ ରାଜ୍ୟରେ ଥଣ୍ଡା ବଢ଼ିବନି। ସେହିପରି ବଙ୍ଗୋପସାଗରୀୟ ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବାକୁ ଥିବାରୁ ଉତ୍ତର ଉପକୂଳରେ ପାଗ ଶୁଖିଲା ରହିବ।

ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିଲା। ଦାରିଙ୍ଗବାଡ଼ି, ସୋନପୁର, ସମ୍ବଲପୁର, ହୀରାକୁଦ, ଝାରସୁଗୁଡ଼ାର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ବେଳେ ବାକି ସ୍ଥାନରେ ଆକାଶ ମେଘୁଆ ଥିଲା। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ। ୭ରେ ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ‌ହେଲେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼, ବୌଦ୍ଧରେ ଅଧିକ ବର୍ଷା ହୋଇପାରେ। ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ। ଜଗତ୍‌ସିଂହପୁର, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବ। ୮ରେ ପୁରୀ, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝରରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ।

ବର୍ଷା ଛାଡ଼ିବା ପରେ ୯ ତାରିଖ ରାତି ଏବଂ ୧୦ ତାରିଖ ସକାଳେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବଲାଙ୍ଗୀର, ଅନୁଗୁଳରେ ପ୍ରବଳ କୁହୁଡ଼ି ପଡ଼ିବ। ସେହିପରି ୧୦ ତାରିଖ ରାତି ଓ ୧୧ ତାରିଖ ସକାଳେ ଅନୁଗୁଳ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ ଢେଙ୍କାନାଳରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଦାରିଙ୍ଗବାଡ଼ିରେ ୨ମିମି ବର୍ଷା ହୋଇଥିବା ବେଳେ ସୋନପୁରରେ ୦.୮ମିମି, ସମ୍ବଲପୁରରେ ୦.୨ମିମି ବର୍ଷା ହୋଇଛି। ହୀରାକୁଦ ଓ ଝାରସୁଗୁଡ଼ାରେ ଝିପିଝିପି ବର୍ଷା ହୋଇଛି। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ପାରଳାଖେମୁଣ୍ଡିରେ ସବୁଠୁ ଅଧିକ ୪୪.୪ ମିମି, କଟକରେ ୧୪.୨ ମିମି, ଚାନ୍ଦବାଲିରେ ୫.୮ ମିମି, ଦାରିଙ୍ଗବାଡ଼ିରେ ୧୦ ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର