‘ଓଡ଼ିଶା ରସଗୋଲା’ ନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ : ଗତମାସ ୧୭ରେ ଜିଆଇ କାର୍ଯ୍ୟାଳୟରେ ଦାଖଲ ହୋଇଛି ନଥିପତ୍ର

ଭୁବନେଶ୍ୱର : ଅଗଷ୍ଟ ୧୭ ତାରିଖରେ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ‘ଓଡ଼ିଶା ରସଗୋଲା’ ନେଇ ସମସ୍ତ ନଥିପତ୍ର ଦାଖଲ ହୋଇଛି। ଏହି ଆବେଦନର ରେଫରେନ୍ସ ନଂ ହେଉଛି ୬୧୨ ବୋଲି କହିଛନ୍ତି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।

ଆଜି ବିଧାନସଭାରେ ବିଧାୟକ ଭାଗୀରଥି ବଡ଼ଜେନା ଜଗନ୍ନାଥ ରସଗୋଲା, ସମ୍ବଲପୁର ବସ୍ତ୍ର ଓ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍‌ ନେଇ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାମଲ କହିଲେ, ଗତ ଜୁନ୍‌ ୨୨ତାରିଖରେ ଜିଆଇ କାର୍ଯ୍ୟାଳୟ ପକ୍ଷରୁ ୧୪ଟି ମନ୍ତବ୍ୟର ଅନୁପାଳନ ନେଇ ତଥ୍ୟ ମଗାଯାଇଥିଲା। ଗତମାସ ୧୭ତାରିଖରେ ଜିଆଇ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଏହାକୁ ପ୍ରଦାନ କରାଯାଇଛି। ତେବେ ଜଗନ୍ନାଥ ରସଗୋଲାକୁ ଜିଆଇ ଟ୍ୟାଗ୍‌ ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି।

ସେହିପରି ଉପ ଉଦ୍ୟାନ କୃଷି ନିର୍ଦେଶକ, କନ୍ଧମାଳଙ୍କଠାରୁ ହସ୍ତଗତ ତଥ୍ୟ ଅନୁଯାୟୀ, କନ୍ଧମାଳ ହଳଦୀର ଜିଆଇ ଟ୍ୟାଗ୍‌ ପାଇଁ ଦରଖାସ୍ତ ଫର୍ମ ଓ ଅନ୍ୟାନ୍ୟ ନଥିପତ୍ର ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଗଜ ଜାନୁଆରି ମାସ ୧୧ତାରିଖରେ ଦାଖଲ ହୋଇଛି। ଏହାର ଦରଖାସ୍ତ ପଞ୍ଜୀକରଣ ସଂଖ୍ୟା ହେଉଛି ୬୧୦। ନଥିପତ୍ର ଯାଞ୍ଚ ପରେ କାର୍ଯ୍ୟାଳୟରୁ ସୂଚନା ପାଇଁ ଗତମାସ ୨୮ତାରିଖରେ ନୂଆଦିଲ୍ଲୀସ୍ଥିତ ଜିଆଇ କାର୍ଯ୍ୟାଳୟରେ ଏଥିପାଇଁ ଗଠିତ ସ୍ୱତନ୍ତ୍ର ପରାମର୍ଶ କମିଟି ସମ୍ମୁଖରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଛି।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ସମ୍ବଲପୁରୀ ଟାଏ ଏଣ୍ଡ ଡାଏ ଶାଢ଼ୀ ଏଣ୍ଡ ଫାବ୍ରିକ୍ସ ନାଁରେ ସମ୍ବଲପୁରୀ ବସ୍ତ୍ରୀ ଜିଆଇ ରେଜିଷ୍ଟ୍ରେସନ୍‌ କରାଯାଇଛି। ଜୁଲାଇ ୧୨ତାରିଖରେ ଏହାର ଆବେଦନ ହୋଇଛି। ଯାହାର ଆବେଦନ ନଂ ହେଉଛି ୨୦୮ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯେ, ଚଳିତବର୍ଷ ଫେବ୍ରୁଆରି ୨୩ତାରିଖରେ ରାଜ୍ୟ ସରକାରଙ୍କ କ୍ଷୁଦ୍ରଶିଳ୍ପ ନିଗମ ବା ଓଏସ୍‌ଆଇସି ପକ୍ଷରୁ ଜିଆଇ କାର୍ଯ୍ୟାଳୟରେ ‘ଓଡ଼ିଶାର ରସଗୋଲା’ ନାଁରେଆବେଦନ କରାଯାଇଥିଲା। ଠିକ୍‌ ବିଜେପୁର ଉପ-ନିର୍ବାଚନର ପୂର୍ବଦିନ ହିଁ ସରକାର ତରବରିଆ ଭାବେ ରସଗୋଲା ପାଇଁ ଆବେଦନ କରିଥିଲେ। ଗତ ଜୁନ୍‌ ୨୨ତାରିଖରେ ଜି.ଆଇ କାର୍ଯ୍ୟାଳୟରୁ ‘ଓଡ଼ିଶାର ରସଗୋଲା’ ସଂପର୍କିତ ୧୪ଦଫା ପ୍ରଶ୍ନାବଳୀରେ ତଥ୍ୟ ରଖିବାକୁ କୁହାଯାଇଥିଲା। ତଥ୍ୟ ରଖିବା ପାଇଁ ୧ମାସ ସମୟ ରହିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ଆହୁରି ୧ମାସ ସମୟ ମାଗିଥିଲେ।

ସମ୍ବନ୍ଧିତ ଖବର