ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କୁ ଏକ ମାସର ମହଲତ

ନାମଲେଖା ସମୟରେ ମାଇଗ୍ରେସନ ସାର୍ଟିଫିକେଟ୍‌ ଦାଖଲ ପ୍ରସଙ୍ଗ

ଭୁବନେଶ୍ୱର: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌ (ସିବିଏସ୍‌ଇ) ଅଧୀନରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ନାମଲେଖା ସମୟରେ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଦାଖଲ କରି ପାରୁନାହାନ୍ତି। ଯାଞ୍ଚ ସମୟରେ ଅସଲି ସାର୍ଟିଫିକେଟ୍‌ ଦେଖାଉ ନ ଥିବାରୁ ଗତକାଲି ବିଜେବି କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ଉଭୟ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିବିଏସ୍‌ଇ/ଆଇସିଏସ୍‌ଇ ବୋର୍ଡ ଛାତ୍ରଛାତ୍ରୀଙ୍କୁ ଏକ ମାସର ସମୟ ଦେବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ତାଲିକା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା କରିବାକୁ କୁହାଯାଇଛି। ନାମଲେଖା ସମୟରେ ପିଲାମାନେ ଯେଉଁ ଡକ୍ୟୁମେଣ୍ଟ ଦାଖଲ କରିବେ, ସେଥିରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କ ଦସ୍ତଖତ ରହିବା ଆବଶ୍ୟକ। ଆଉ ଛାତ୍ରଛାତ୍ରୀ ନାମ ଲେଖାଇବାର ଏକ ମାସ ମଧ୍ୟରେ ଅସଲି ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ କଲେଜ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ। ଯଦି ସେମାନେ ସାର୍ଟିଫିକେଟ୍‌ ଦାଖଲ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କ ନାମଲେଖାକୁ ବାତିଲ୍‌ କରାଯିବ।

ସମ୍ବନ୍ଧିତ ଖବର