ଆନନ୍ଦପୁର: ଘସିପୁରା ଥାନା ଶାଳପଡ଼ା (ସୁଡ଼ୁସୁଡ଼ିଆ)ରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଝରକା ଗ୍ରିଲ ତାଡ଼ି ଦୁର୍ବୃତ୍ତମାନେ ଘରେ ପଶି ୫୨ ହଜାର ଟଙ୍କା ସହିତ ୧୫ଭରି ଓଜନର ସୁନାଗହଣା ଚୋରି କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ଘସିପୁରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଘସିପୁରା ଝାଡ଼େଶ୍ବର ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ଘଡ଼େଇ ଗତକାଲି ନିଜ ଶୋଇବା ଘର ପରିବର୍ତ୍ତେ ଅନ୍ୟ ଏକ କୋଠରିରେ ଶୋଇଥିଲେ।
ସକାଳୁ ଉଠିଲା ବେଳକୁ ତାଙ୍କ ଶୋଇବା ଘର ଭିତର ପଟୁ କବାଟ ବନ୍ଦ ଥିଲା। ଦୁର୍ବୃତ୍ତମାନେ ଝରକା ଗ୍ରିଲ୍ ତାଡ଼ି ଘରେ ପଶି ଆଲମିରାରୁ ଟଙ୍କା ଓ ସୁନାଗହଣା ନେଇଥିବା ଜାଣିବାକୁ ପାଇଥିଲେ। ସୂଚନାଯୋଗ୍ୟ ୨୪ ତାରିଖରେ ନାରଙ୍ଗପୁର ଛକ ନିକଟରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଓ ୨୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତଙ୍କ କୌଣସି ସୁରାକ ମିଳି ନଥିବାବେଳେ ଏବେ ପୁଣି ଏକ ଚୋରି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।