ରାୟଗଡା : ସଂଜ ହେବା କ୍ଷଣି ମାଡି ଆସୁଛି କଳା ହାଣ୍ଡିଆ ମେଘ। କେଉଁ ଦିନ ଅସରାଏ ତ କେଉଁ ଦିନ ଲଗାତାର ବର୍ଷୁଛି। କାଳବୈଶାଖୀର ଏପରି ଲୁଚକାଳିକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ। ଧାନ ବିକ୍ରି ପାଇଁ ୧୨ ଦିନ ହେଲା ମଣ୍ଡିରେ ଧାନ ଆଣି ରଖିବା ସତ୍ତ୍ବେ ଲ୍ୟାମ୍ପସ କର୍ତୃପକ୍ଷ କିଣିବା ଆରମ୍ଭ କରି ନାହାନ୍ତି। ଘରଦ୍ବାର ଭୁଲି ଚାଷୀ ଖୋଲା ଆକାଶ ତଳେ ପଲିଥିନ୍ ଘୋଡାଇ ଧାନକୁ ଜଗି ବସିଛି। ଏପଟେ ଆଜି କାଲି କହି ଯୋଗାଣ ବିଭାଗ ଦିନ ଗଡାଇ ଚାଲିଥିବାରୁ କେବେ ବିଭାଗ ଧାନ କିଣିବ ତାକୁ ନେଇ ଆଶା ଆଶଙ୍କାରେ ଚାଷୀ। ପାଣିପାଗ ବିଭାଗର ସୂଚନାନୁଯାୟୀ, ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଲାଗି ରହିବ। ଗତ ଦୁଇ ଦିନ ହେଲା ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ରବିବାର ମଧ୍ୟାହ୍ନରେ ରାୟଗଡା ସହର ସମେତ କାଶୀପୁର, ଟିକିରି ଅଞ୍ଚଳରେ ଜୋର୍ ବର୍ଷା ହୋଇଥିଲା ବେଳେ ଆଜି ସଂଧ୍ୟାରେ ପୁଣି ବର୍ଷିଛି। ବର୍ଷା ଆସିବା ପୂର୍ବରୁ ଚାଷୀ ବଡ ପଲିଥିନ୍ ଦ୍ବାରା ଧାନକୁ ଘୋଡାଇ ଚତୁପାର୍ଶ୍ବରେ ଜଗି ରହୁଛି। ପବନରେ ପଲିଥିନ୍ ଉଡିଯିବା ଆଶଙ୍କା କରି ଚାଷୀ ନିଜେ ଭିଜି ବର୍ଷକର ଉର୍ପାଜିତ ଧାନକୁ ସୁରକ୍ଷିତ ରଖୁଥିବା ବେଳେ ସକାଳ ପାହିବା କ୍ଷଣି ପୁଣି ପଲିଥିନକୁ ହଟାଇ ଧାନକୁ ଶୁଖାଉଛି। ଧାନ କିଣାରେ ବିଳମ୍ବ ଯୋଗୁ ଚାଷୀଙ୍କ ଦୈନିକ ଖର୍ଚ ମଧ୍ୟ ବଢ଼ି ଚାଲିଛି। ଯାହାକୁ ନେଇ ଚାଷୀ ତୀବ୍ର ଅସଂତୋଷ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମେ’ ୧ ତାରିଖରୁ ରବି ମଣ୍ଡି ଖୋଲିବା ପାଇଁ ଯୋଗାଣ ବିଭାଗ ଘୋଷଣା କରିଥିଲା। କିନ୍ତୁ ଧାନ କିଣା ଟାର୍ଗେଟ୍ ଆସିବାରେ ବିଳମ୍ବ ଯୋଗୁ ପ୍ରଥମ ଦିନ ଧାନ କିଣା ହୋଇପାରିନଥିଲା। ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଭୁବନେଶ୍ବର ପ୍ରଭାବିତ ହେବା ପରେ ରାଜ୍ୟ ଯୋଗାଣ ବିଭାଗ ମୁଖ୍ୟ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ଯୋଗୁ କମ୍ପ୍ୟୁଟର ସର୍ଭର କାମ କରିନଥିଲା। ଫଳରେ ଧାନ କିଣା ନେଇ କୌଣସି ସୂଚନା ଆସିପାରିନଥିଲା। ଏପଟେ ଯୋଗାଣ ବିଭାଗର ଘୋଷଣାକୁ ଭରସା କରି ଚାଷୀ ଆରମ୍ଭ ଦିନରୁ ମଣ୍ଡିରେ ଧାନ ଗଦା କରି ରଖିଛି। ରାୟଗଡା ଲ୍ୟାମ୍ପସରେ ୨୯୨ କୁଇଣ୍ଟାଲ୍ ଧାନ ଗଚ୍ଛିତ ଥିବା ବେଳେ ଧାନ କିଣିବା ପାଇଁ ଆଜି ଲ୍ୟାମ୍ପସ କର୍ତୃପକ୍ଷ ଟୋକେନ୍ ପ୍ରଦାନ କରିଛନ୍ତି। ଆସନ୍ତାକାଲି ଏହି ଚାଷୀଙ୍କ ନିକଟରୁ ଧାନ କିଣାଯିବ ବୋଲି ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲାର ୧୨ଟି ଲ୍ୟାମ୍ପସ ଓ ଗୋଟିଏ ଏମପିସିଏସରେ ଶହ ଶହ କୁଇଣ୍ଟାଲ୍ ଧାନ ପଡି ରହିଛି। ଧାନ କିଣାରେ ଅହେତୁକ ବିଳମ୍ବକୁ ନେଇ ଗତ ୩ ତାରିଖରେ ଚାଷୀ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳୁନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।