ପଦ୍ମପୁର ଉପନିର୍ବାଚନ: ସତ୍ୟଭୂଷଣ ସବୁଠୁ ଧନୀ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି। ୧୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୨ ଜଣଙ୍କ ଖାରଜ ହୋଇଛି। ୧୧ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ସବୁଠୁ ଧନୀ ପ୍ରାର୍ଥୀ ରହିଛନ୍ତି। ତାଙ୍କର ନିଜସ୍ବ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୪.୩୩ କୋଟି ଟଙ୍କା ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। ଏଥିରୁ ତାଙ୍କ ପାଖରେ ନଗଦ ୫୦ ହଜାର ଟଙ୍କା ରହିଛି। ୫୦ ଗ୍ରାମ୍‌ ସୁନା ଅଳଙ୍କାର ଯାହାର ମୂଲ୍ୟ ୨.୫୦ ଲକ୍ଷ ଟଙ୍କା ହେବ। ତେବେ ପତ୍ନୀଙ୍କ ପାଖରେ ୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି। ସ୍ଥାବର ସଂପତ୍ତିରେ ତାଙ୍କର ପାଇକମାଳ ମାଣ୍ଡୋସିଲ୍‌ରେ ଗୋଟିଏ ଏକର ଚାଷ ଜମି ରହିଛି, ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା। ତାଙ୍କ ବାସଭବନର ବର୍ତ୍ତମାନ ବଜାର ମୂଲ୍ୟ ୪ କୋଟି ୧୦ ଲକ୍ଷ ଟଙ୍କା ହେବ।

ତାଙ୍କ ପଛକୁ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ତାଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଶାଇଲେ ୧.୦୨ କୋଟି ହେବ। ତାଙ୍କ ସ୍ବାମୀଙ୍କ କେବଳ ଅସ୍ଥାବର ସଂପତ୍ତି ୪୨.୫୦ ଲକ୍ଷ ରହିଛି। ବର୍ଷାଙ୍କ ପାଖରେ ନଗଦ ୨୦ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କ୍‌ରେ ୧୭ ଲକ୍ଷ ଟଙ୍କାର ଜମା ରହିଛି। ଏହାବାଦ୍‌ ୧୫ଲକ୍ଷ ଟଙ୍କାର ବୀମା ପଲିସି ରହିଛି। ୧.୩୪ ଲକ୍ଷ ଟଙ୍କାର ସୁନା ଏବଂ ୬୦ହଜାର ଟଙ୍କାର ରୂପା ଗହଣା ତାଙ୍କ ପାଖରେ ଅଛି। ତାଙ୍କ ନାମରେ ପାଖାପାଖି ୧୮ଏକର ଚାଷଜମି ରହିଛି। ଯାହାର ବର୍ତମାନ ବଜାର ମୂଲ୍ୟ ୯୦ ଲକ୍ଷ ହେବ। ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଶ୍ରୀ ପୁରୋହିତଙ୍କ  ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ମିଶାଇଲେ ୯୯.୬୭ ଲକ୍ଷ ହେବ। ଏଥିରୁ ୫୫.୬୭ ଲକ୍ଷ ଅସ୍ଥାବର ଏବଂ ୪୪ ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ରହିଛି। ତାଙ୍କ ପାଖରେ ନଗଦ ୩ଲକ୍ଷ ଟଙ୍କା ୫ଲକ୍ଷ ଟଙ୍କାର ବୀମା, ୧୦ଲକ୍ଷ ଟଙ୍କାର ଗାଡ଼ି, ୪୮ହଜାର ଟଙ୍କାର ସୁନା ଅଳଙ୍କାର, ୭.୪୭ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି।  ସ୍ଥାବର ସଂପତ୍ତିରେ ୪୪ ଲକ୍ଷ ଟଙ୍କାର ତାଙ୍କ ପୈତୃକ ଘର ରହିଛି। ପତ୍ନୀ ପ୍ରତିମାଙ୍କ ପାଖରେ ଲକ୍ଷେ ଟଙ୍କା ନଗଦ, ୯୬ହଜାର ଟଙ୍କାର ସୁନା ଅଳଙ୍କାର ରହିଛି। ଶ୍ରୀମତୀ ପୁରୋହିତଙ୍କ ସ୍ଥାବର ସଂପତ୍ତିର ମୂଲ୍ୟ ୩୮.୫୧ ଳକ୍ଷ ହେବ। ଏଥିରେ ବ୍ୟାଙ୍କ୍‌ରେ ସ୍ଥାୟୀ ଜମା ବି ସାମିଲ ରହିଛି।

ଶ୍ରୀ ପୁରୋହିତଙ୍କ ନାମରେ ବିଭିନ୍ନ ଥାନାରେ ୧୦ ଟି ଫୌଜଦାରୀ ମାମଲା, କଂଗ୍ରେସ ପ୍ରାର୍ଥୀ ଶ୍ରୀ ସାହୁଙ୍କ ନାମରେ ୨ଟି ଫୌଜଦାରୀ ମାମଲା ରହିଛି। ମାତ୍ର ବିଜେଡି ପ୍ରାର୍ଥିନୀ ବର୍ଷାଙ୍କ ନାମରେ କିଛି ମାମଲା ନାହିଁ। ସେହିପରି ଶ୍ରୀ ସାହୁ ବିଜ୍ଞାନରେ ସ୍ନାତକୋତ୍ତର, ବର୍ଷା ଆଇନ୍‌ରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଶ୍ରୀ ପୁରୋହିତଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର