ପାଳଲହଡ଼ା: ମୁକେଶଙ୍କୁ ଟିକେଟ ପରେ ରାଜନୀତି ସରଗରମ

ଅବନୀ, ମହେଶଙ୍କ ଉପରେ ନଜର

ପାଳଲହଡ଼ା: ବିଜେଡି ଟିକେଟ ଆଶାରେ ପାଖାପାଖି ୩ ବର୍ଷ ହେଲା ସଂଗଠନ କରୁଥିଲେ ଅବନୀକାନ୍ତ ସାହୁ। ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ନିଜ ସମର୍ଥକଙ୍କୁ ପ୍ରାର୍ଥୀ କରି ଜିତାଇବାରେ ସଫଳ ହୋଇଥିଲେ। ବିଜେଡି ଟିକେଟ ପାଇଁ ସେ ଆଶାୟୀ ଥିବା ଖୋଲାଖୋଲି ସଭାସମିତିରେ କହୁଥିଲେ। କିନ୍ତୁ ଦଳ ବିଧାୟକ ମୁକେଶ ପାଳଙ୍କ ଉପରେ ପୁଣି ଭରସା କରିଛି। ଏହାପରେ ଏବେ ସମସ୍ତଙ୍କ ନଜର ଅବନୀକାନ୍ତ ସାହୁଙ୍କ ଉପରେ। ଏଥିନେଇ ଅବନୀ ମୁହଁ ଖୋଲୁ ନ ଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ଦୋ’ଛକିରେ ପଡ଼ି ଯାଇଛନ୍ତି।

ପାଳଲହଡ଼ାରେ ବିଜେଡି ସଂଗଠନ ବିଧାୟକ ମୁକେଶ ପାଳଙ୍କ କାନ୍ଧରେ ଥିଲା। ହେଲେ ଅବନୀ ଏକ ସମାନ୍ତରାଳ ସଂଗଠନ ତିଆରି କରିଥି‌ଲେ। ନିଜ ସମର୍ଥକଙ୍କୁ ନେଇ ସେ ବିଭିନ୍ନ ସମୟରେ ସଭାସମିତି କରିବା ସହ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିଲେ। ଗତକାଲି ଟିକେଟ ‌ଘୋଷଣା ପରେ ସମର୍ଥକମାନେ ନିରବ ରହିଛନ୍ତି। ଅବନୀ ବି ମୁହଁ ଖୋଲୁନାହାନ୍ତି। ‌ତାଙ୍କ ସମର୍ଥନରେ ଜିତିଥିବା ଜନପ୍ରତିନିଧି ଏବେ କ’ଣ କରିବେ ତା’କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏପଟେ ସାଂସଦ ମହେଶ ସାହୁଙ୍କ ଟିକେଟ କଟିବା ପରେ ତାଙ୍କ ସମର୍ଥକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ମହେଶ ସାହୁଙ୍କ ଇଙ୍ଗିତକୁ ସେମାନେ ଅପେକ୍ଷା କରିରହିଛନ୍ତି। ସେମାନେ କାହାପାଇଁ ମଇଦାନକୁ ଓହ୍ଲାଇବେ ତା’କୁ ନେଇ ଅଡ଼ୁଆ ପରିସ୍ଥିତିରେ ପଡ଼ିଛନ୍ତି। ବିଜେଡି ଗଣିତ ଗୋଳିଆ ହେଉଥିଲାବେଳେ ବିଜେପି ଏହି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିନି। ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ମହାନ୍ତି ଦଳର ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ଶଶିଭୂଷଣ ଆଚାର୍ଯ୍ୟ ଓ ଜଗମୋହନ ପ୍ରଧାନଙ୍କ ନାମ ଟିକେଟ ଦୌଡ଼‌ରେ ରହିଛି। ତେବେ ଅନ୍ୟ ଦଳରୁ ନେତା ଆସି ବିଜେପି ଟିକେଟ ହାତେଇ ପାରନ୍ତି ବୋଲି ଗୋଟିଏ ମହଲରେ ଚର୍ଚ୍ଚା ହେଉଛି। ବିଜେପି ପ୍ରାର୍ଥୀ ଘୋଷଣା ନ ହେବା ପର୍ଯ୍ୟନ୍ତ ଏହି ଦ୍ବନ୍ଦ୍ବ ଲାଗି ରହିବା ସହ ଅବନୀ ଓ ମହେଶଙ୍କ ପରବର୍ତ୍ତୀ ପଦକ୍ଷେପ ପାଳଲହଡ଼ା ରାଜନୀତିକୁ ରୋଚକ କରିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର