ପାରାଦୀପ ହାଜତ ମୃତ୍ୟୁ ଘଟଣା: ନିଜ ଆଡ଼ୁ ମାମଲା ରୁଜୁ କଲା ଓଏଚ୍‌ଆର୍‌ସି

୨୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ଅନୁସନ୍ଧାନ ନିର୍ଦ୍ଦେଶକ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ପାରାଦୀପ ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଘଟଣାରେ ଓଡ଼ିଶା ମାନବାଧିକାର କମିସନ(ଓଏଚ୍‌ଆରସି) ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏହାର ତଦନ୍ତ ପାଇଁ ଓଏଚ୍‌ଆର୍‌ସିର ଅତିରିକ୍ତ ଡିଜି ପୁଲିସ ତଥା ଅନୁସନ୍ଧାନ ନିର୍ଦ୍ଦେଶକ ଓ ଜଗତ୍‌ସିଂହପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ (୨୦ ତାରିଖ) ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଦୁହିଁଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଅଭିଯୁକ୍ତଙ୍କ ହାଜତରେ ମୃତ୍ୟୁ ହେଲା, ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ଘଟଣାର ତଦନ୍ତ ରିପୋର୍ଟ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଏକ ହାଜତ ମୃତ୍ୟୁ ମାମଲା ହୋଇଥିବାରୁ ଫୌଜଦାରୀ କାର୍ଯ୍ୟବିଧି ସଂହିତା ଅନୁଯାୟୀ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଦ୍ବାରା ଏହାର ତଦନ୍ତ ବ୍ୟବସ୍ଥା କରାଯିବା କଥା। ତେଣୁ ଏହି ଘଟଣା‌‌ରେ ମାଜିଷ୍ଟ୍ରେଟ୍‌ଙ୍କୁ ତଦନ୍ତ ପାଇଁ ଅନୁରୋଧ କରାଯାଇଛି କି ନାହିଁ, ତାହା ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିବାକୁ ଓଏଚ୍‌ଆର୍‌ସି ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୩୦ ତାରିଖ ରାତିରେ ପାରାଦୀପ ବୃନ୍ଦାବନ କଲୋନିର ମନୋରଂଜନ ଗେଡ଼ିଙ୍କୁ ଅଭୟଚାନ୍ଦପୁର ଥାନା ପୁଲିସ ହାଜତରେ ପିଟି ପିଟି ହତ୍ୟା କରିଥିବା ନେଇ ପରିବାରଲୋକ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍‌ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ ମନୋରଂଜନ ଓ ତା’ର ଜଣେ ସହଯୋଗୀ ବ୍ରାଉନ୍‌ସୁଗାର ନେଇ ଏକ ବାଇକ୍‌ରେ ଯାଉଥିବା ବେଳେ ରଙ୍ଗିଆଗଡ଼ ପୋଲ ନିକଟରେ ପୁଲିସ୍‌ର ଏକ ଟିମ୍‌ ସେମାନଙ୍କଠାରୁ ୧୧ଗ୍ରାମ୍‌ରୁ ଅଧିକ ବ୍ରାଉନସୁଗାର ଜବତ କରିଥିଲା। ବାଇକ୍‌ ପଛରେ ବସିଥିବା ମନୋରଂଜନ ଦୌଡ଼ି ପଳାଉଥିବା ସମୟରେ ପୋଲ ନିକଟରେ ଥିବା ଏକ ଲୁହା ପ୍ଲେଟ୍‌ରେ ବାଡ଼େଇ ହୋଇ ପୋଲ ତଳକୁ ପଡ଼ି ଯାଇଥିଲେ। ସେଠାରୁ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର