କବି ବସନ୍ତ ମୁଦୁଲିଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ

କବିତା ଗଭୀରତମ ସ୍ନେହରୁ ଆଉ ଆତ୍ମିକ ଆଲୋଡ଼ନରୁ ଜନ୍ମ ନିଏ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ବିଷ୍ଣୁପୁର ପଞ୍ଚାୟତ ଆଦମପୁରଠାରେ ୩୩ତମ ରାଜ୍ୟସ୍ତରୀୟ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। କବିତା ଗଭୀରତମ ସ୍ନେହରୁ ଆଉ ଆତ୍ମିକ ଆଲୋଡ଼ନରୁ ଜନ୍ମ ନିଏ ବୋଲି ସମାରୋହରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ସମାରୋହରେ କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସଭାପତି କଥାକାର ପବିତ୍ର ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ କଥାକାର ଦାଶ ବେନହୁର, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି କବି ଡ. ହୃଷୀକେଶ ମଲ୍ଲିକ, ବିଶେଷ ଅତିଥି ଭାବେ ଡ. ସ୍ବର୍ଣ୍ଣଲତା ପରିଡ଼ା, ବରେଣ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଗାଳ୍ପିକ ବିଜୟ ନାୟକ, ନାଟ୍ୟକାର ସୁଧାକର ନନ୍ଦ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ୨୦୧୭ ମସିହା ପାଇଁ ଅଧ୍ୟାପକ କବି କିଶୋର ପାଣିଗ୍ରାହୀ, ୨୦୧୮ ମସିହା ପାଇଁ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା କବୟିତ୍ରୀ ଡ. ଶୁଭଶ୍ରୀ ଲେଙ୍କା, ୨୦୧୯ ମସିହା ପାଇଁ ପ୍ରୀତିଧାରା ସାମଲ, ୨୦୨୦ ମସିହା ପାଇଁ ଈପ୍‌ସିତା ଷଡ଼ଙ୍ଗୀ ଓ ୨୦୨୧ ମସିହା ପାଇଁ ବାଦଲ ମହାନ୍ତିଙ୍କୁ କବି ବସନ୍ତ ମୁଦୁଲି ସ୍ମୃତି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି କବି ଡ. ହୃଷୀକେଶ ମଲ୍ଲିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ କବି ବସନ୍ତ ମୁଦୁଲିଙ୍କର କବିତା ସଂକଳନ ‘ବସନ୍ତ ବର୍ଣ୍ଣମାଳା’ର ପରିବର୍ଦ୍ଧିତ ସଂସ୍କରଣ ସହ ସାବିତ୍ରୀ କବିଙ୍କ କବିତା ସଂକଳନ ‘ସ୍ବପ୍ନର ନାଁ ନଈ’, ପ୍ରଭାତ ସିହ୍ନାଙ୍କ ଗଳ୍ପ ସଂକଳନ ‘ନିସର୍ଗ’, ମୋହନ ଚନ୍ଦ୍ର ଖିଲାରଙ୍କ ଉପନ୍ୟାସ ‘କେମିତି କହିବି ଏମିତି କଥା’ ଓ ପ୍ରହ୍ଲାଦ ପାଣିଙ୍କ ଦୁଇଟି ପୁସ୍ତକ ସହ ବୀରେନ୍ଦ୍ର ପାଣିଙ୍କ ଅଙ୍କିତ କବି ବସନ୍ତ ମୁଦୁଲିଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଥିଲା।

ସଭା ପ୍ରାରମ୍ଭରେ ଦିବଂଗତ ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କ ସାଂସଦ ପାଣ୍ଠି ପ୍ରଦତ୍ତ ଅନୁଦାନରେ ନିର୍ମିତ ପାଠାଗାର ‘ବସନ୍ତ ବାସ’କୁ ସ୍ବର୍ଗତ ପରିଡ଼ାଙ୍କ ଧର୍ମପତ୍ନୀ ସ୍ବର୍ଣ୍ଣଲତା ପରିଡ଼ା ଓ କଥାକାର ଦାଶ ବେନହୁର ମିଳିତ ଭବେ ଉଦ୍‌ଘାଟନ କରିଥିଲେ।

ଅନୁଷ୍ଠାନର ସଂପାଦକ କବି କୃଷ୍ଣକୁମାର ମହାନ୍ତିଙ୍କ ପକ୍ଷରୁ ଅଭିଜିତ ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ନିରାକାର ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଏବଂ ସଭାପତି ଶ୍ରୀ ପାଣିଗ୍ରାହୀ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିବା ବେଳେ ଗାଳ୍ପିକ ରଜନୀକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସଂସଦର ସଂଯୋଜକ ଅରୁଣ ଖିଲାର କର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସହସଂପାଦକ ଅମିତାଭ ଖିଲାର, କବିପୁତ୍ର ପାର୍ଥସାରଥୀ ମୁଦୁଲି, ସାବିତ୍ରୀ କବି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର