ରେଳବାଇ ପାଚେରି ଭୁଶୁଡ଼ିବା ପରେ ପାଚେରି କଡ଼ରୁ ବେପାରୀଙ୍କୁ ଉଠାଇଲା ପୁଲିସ

ବ୍ୟାସନଗର : ଯାଜପୁରରୋଡ ରେଳ ଷ୍ଟେସନ ନିକଟସ୍ଥ ପାଚେରି କଡ଼ରୁ ଆଜି ରେଳବାଇ ପୁଲିସ ବହୁ ଉଠା ଦୋକାନୀଙ୍କୁ ଉଠାଇ ଦେଇଛି। ଏହି ପାଚେରି କଡ଼ରେ ବ୍ୟାସନଗର ସହରର ଡାକବଙ୍ଗଳା ଛକରୁ ତାରିଣୀ ମନ୍ଦିର ଯାଏ ପ୍ରାୟ ଶହେରୁ ଅଧିକ ଉଠାଦୋକାନୀ ପରିବା ଓ ମାଛ ବ୍ୟବସାୟ କରିଆସୁଛନ୍ତି। ଗତକାଲି ଲଘୁଚାପ ବର୍ଷାରେ ରେଳଷ୍ଟେସନ ପାଚେରି ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ବର୍ଷା ହେଉଥିବାରୁ ଦୋକାନୀମାନେ ରାସ୍ତା ଅପରପାର୍ଶ୍ବରେ ଥିବା ଏକ କୋଠା ଘରେ ଆଶ୍ରୟ ନେଇଥିବାରୁ ବଡ଼ଧରଣର ଦୁର୍ଘଟଣା ଟଳି ଯାଇଥିଲା।

ପ୍ରକାଶ ଯେ, ଯାଜପୁରରୋଡ ରେଳ ଷ୍ଟେସନର ଦକ୍ଷିଣ ପାର୍ଶ୍ବରେ ସୁରକ୍ଷା ପାଇଁ ପାଚେରି ନିର୍ମାଣ କରାଯାଇଛି। ହେଲେ ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇଥିବାରୁ ପାଚେରିଟି ବାରମ୍ବାର ଭୁଶୁଡ଼ି ପଡ଼ୁଛି। ଗତ ୧୫ ତାରିଖରେ ମଧ୍ୟ ଏହି ପାଚେରିର ପ୍ରାୟ ଦେଢ଼ଶହ ଫୁଟ୍‌ ଭୁଶୁଡ଼ି ପଡ଼ିଥିଲା। ଏହାକୁ ନେଇ ସହରରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହି ପାଚେରି ପାଇଁ ସହରବାସୀଙ୍କ ସୁରକ୍ଷା ବିପନ୍ନ ହେଉଥିବା ଅଭିଯୋଗ ହୋଇଥିଲା। ଗତକାଲିର ପାଚେରି ଭୁଶୁଡ଼ି ପଡ଼ିବାରୁ ବହୁ ଉଠା ଦୋକାନୀଙ୍କ ବିପଣୀ ନଷ୍ଟ ହୋଇଯାଇଥିଲା।

ଏସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ଆଜି ରେଳବାଇ ବିଭାଗ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରେଳବାଇ ପୁଲିସ ସକାଳୁ ପହଞ୍ଚି ଡାକବଙ୍ଗଳା ଛକରୁ ତାରିଣୀ ମାର୍କେଟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବସିଥିବା ସମସ୍ତ ପରିବା ଓ ମାଛ ଦୋକାନୀଙ୍କୁ ଉଠାଇ ଦେଇଥିଲା। ଏହାକୁ ନେଇ ଉଠା ଦୋକାନୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର