ବାରିପଦା ଆସନରୁ ପ୍ରାର୍ଥୀ ସମ୍ଭାବନା: ବିଜେପିରେ ଯୋଗଦେଲେ ଦମୟନ୍ତୀ ବେଶ୍ରା

ବାରିପଦା: ବିଜେପିରେ ସାମିଲ ହୋଇଛନ୍ତି ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକା ଦମୟନ୍ତୀ ବେଶ୍ରା। ଗୁରୁବାର ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ୬୨ ବର୍ଷୀୟା ଦମୟନ୍ତୀ ସାନ୍ତାଳୀ ସାହିତ୍ୟ ଜଗତରେ ଜଣେ ପରିଚିତ ନାମ। ସାହିତ୍ୟ କୃତି ପାଇଁ ୨୦୦୯ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ସାହିତ୍ୟ ସାଧନା ସହ ସାନ୍ତାଳୀ ସମାଜ ଉପରେ ଉଚ୍ଚତର ଗବେଷଣା କରିଥିବା ଦମୟନ୍ତୀ ଦେଢ଼ ବର୍ଷ ତଳେ ବାରିପଦା ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଅଧ୍ୟକ୍ଷା ଭାବେ ଅବସର ଗ୍ରହଣ କରିଥିଲେ। ଏହାପରେ ସେ ସକ୍ରିୟ ରାଜନୀତିକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେବା ପରେ ବାରିପଦା ବିଧାନସଭା ଆସନରୁ ତାଙ୍କର ପ୍ରାର୍ଥିତ୍ବକୁ ନେଇ‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଦମୟନ୍ତୀ ବିଜେପିରେ ମିଶିବା ପରେ ବାରିପଦା ସଦର ନିର୍ବାଚନ ମଣ୍ଡଳୀ ରାଜନୈତିକ ସମୀକରଣରେ ନୂଆ ମୋଡ଼ ଦେଖିବାକୁ ମିଳିପାରେ। ବାରିପଦାର ବର୍ତ୍ତମାନ ବିଜେପି ବିଧାୟକ ପ୍ରକାଶ ସୋରେନ ଓ ଏଠାରୁ ପ୍ରାର୍ଥୀ ହେବାକୁ ଆଶା ରଖି ନିକଟରେ କଂଗ୍ରେସରୁ ଆସି ବିଜେପିରେ ମିଶିଥିବା ଯୁବନେତା ରାକେଶ ସିଂଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରାକେଶଙ୍କୁ ଏଠାରୁ ପ୍ରାର୍ଥୀ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ହିଁ ସେ ଦଳରେ ମିଶିଥିଲେ ବୋଲି ତାଙ୍କ ସମର୍ଥକ କହୁଛନ୍ତି। ଅନ୍ୟପକ୍ଷରେ ଅସୁସ୍ଥ ଥାଇ ମାସେ କାଳ ଭୁ‌ବନେଶ୍ବରରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ପୁରା ଜୋଶ୍‌ରେ ମଇଦାନକୁ ଓହ୍ଲାଇଥିଲେ ପ୍ରକାଶ। ହେଲେ ଏବେ ଦମୟନ୍ତୀଙ୍କ ଆବିର୍ଭାବ ତାଙ୍କ ନିର୍ବାଚନୀ ଗଣିତକୁ ବିଗାଡ଼ି ଦେଇଛି।

ସମ୍ବନ୍ଧିତ ଖବର