ବିଧାନସଭା ସମ୍ମୁଖରେ ଧାରଣା ଓ ବିକ୍ଷୋଭ : ବିଦ୍ୟୁତ୍‌ ଠିକା କର୍ମଚାରୀ ଓ ଇଂଜିନିୟରଙ୍କ ବିଧାନସଭା ଘେରାଉ

ଭୁବନେଶ୍ବର : ଆଜି ରାଜ୍ୟ ବିଦ୍ୟୁତ୍‌ ଠିକା କର୍ମଚାରୀ ଓ ଇଂଜିନିୟର୍‌ଙ୍କ ପକ୍ଷରୁ ବିଧାନସଭା ଘେରାଉ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କର୍ମଚାରୀ ହାତରେ ପ୍ଲା’କାର୍ଡ ଆଦି ଧରି ଲୋୟର୍‌ ପିଏମ୍‌ଜିରେ ପହଞ୍ଚିଥିଲେ। ଏନଏମ୍ଆର୍‌ ଓ ଠିକାରେ ଥିବା କର୍ମଚାରୀଙ୍କୁ ସ୍ଥାୟୀ ମାନ୍ୟତା, ଆଉଟସୋର୍ସ କର୍ମଚାରୀଙ୍କୁ ଇନସୋର୍ସ, ଆଉଟସୋର୍ସ ଇଂଜିନିୟରମାନଙ୍କୁ ସ୍ଥାୟୀ, ଘରୋଇକରଣ ବନ୍ଦ କରିବା ଆଦି ଦାବି ନେଇ ଏହି ଧାରଣା ଅର୍ନିଦିଷ୍ଟ କାଳ ପାଇଁ ଦିଆଯାଇଛି ବୋଲି ଯୁଗ୍ମ ଆବାହକ ଯତୀନ୍ଦ୍ର କୁମାର ରାୟ ସୂଚନା ଦେଇଛନ୍ତି। ଧାରଣାରେ ଅକ୍ଷୟ କୁମାର ତ୍ରିପାଠୀ, ଲିଳିତ କୁମାର ପଟ୍ଟନାୟକ, ବଳରାମ ପ୍ରସାଦ ବସୁମଲ୍ଲିକ, ରମେଶ ଶତପଥୀ, ରଜନୀକାନ୍ତ ଆଚାର୍ଯ୍ୟ, ସତ୍ୟବାଦୀ ବାଗ, ଶରତ ଚନ୍ଦ୍ର ପ୍ରଧାନ, ସନ୍ତୋଷ ସାହୁ ଓ ପ୍ରଣୟ କୁମାର ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।

ଧାରଣାରେ ବସିଲେ ସ୍ବାସ୍ଥ୍ୟ ମିସନ୍‌ କର୍ମଚାରୀ ସଂଘ

ଭୁବନେଶ୍ବର : ୬ ଦଫା ଦାବି ନେଇ ଓଡ଼ିଶା ସ୍ବାସ୍ଥ୍ୟ ମିସନ୍‌ ପରିଚାଳନା କର୍ମଚାରୀ ସଂଘ ଆଜିଠାରୁ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି। ରାଜ୍ୟର ସମସ୍ତ ବ୍ଲକ, ଜିଲ୍ଲା ଓ ମେଡିକାଲ କଲେଜରୁ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ହଜାର ହଜାର କର୍ମଚାରୀ ବିଧାନସଭା ସମ୍ମୁଖ‌ରେ ପହଞ୍ଚିଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ସଂଘ ସଭାପତି ରବୀନ୍ଦ୍ର କୁମାର ଜେନା କହିଥିଲେ ଯେ ଦୀର୍ଘ ୧୩ ବର୍ଷ ଧରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାକୁ ଆଗ ଧାଡ଼ିରେ ରଖିବାରେ ଏହି କର୍ମଚାରୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଠିକାରେ ନିଯୁକ୍ତି ପାଇ ମଧ୍ୟ ଏମାନେ ନିଷ୍ଠାପର ଭାବେ ସେବା ଯୋଗାଇ ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଯୋଗାଇ ଦେଇ ପାରିନାହାନ୍ତି। ଏପରିକି ସେମାନଙ୍କୁ ଏଯାଏ ସ୍ଥାୟୀ କର୍ମଚାରୀର ମାନ୍ୟତା ମଧ୍ୟ ମିଳିନାହିଁ। ଏଥିପାଇଁ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି ବୋଲି ଶ୍ରୀ ଜେନା କହିଥିଲେ। ନିୟମିତ ହାରରେ ଦରମା ଢ଼ାଞ୍ଚା ତିଆରି କରି ଦରମା ଅସଙ୍ଗତି ଦୂର କରିବା, ନନ୍ ମେଡିକୋ ପବ୍ଲିକ ହେଲଥ୍‌ ମ୍ୟାନେଜରିଆଲ କ୍ୟାଡର୍‌ ସୃଷ୍ଟି କରି ସ୍ଥାୟୀ ନିଯୁକ୍ତି ପ୍ରଦାନ, ସମସ୍ତଙ୍କ ପାଇଁ ଭବିଷ୍ୟନିଧି ପାଣ୍ଠିର ବ୍ୟବସ୍ଥା, ଗୋଷ୍ଠୀ ଓ ସ୍ବାସ୍ଥ୍ୟବୀମା କରିବା, ଅଭିଜ୍ଞତା ଭିତ୍ତିରେ ଦରମା ବୃଦ୍ଧି ଆଦି ଦାବି ରହିଛି। ଧାରଣାର ନେତୃତ୍ବ ସାଧାରଣ ସମ୍ପାଦକ ଧନେଶ୍ବର ସ୍ବାଇଁ, ଆବାହାକ କବି ପ୍ରସାଦ ସାହୁ ପ୍ରମୁଖ ନେଇଥିଲେ।

ସମ୍ବନ୍ଧିତ ଖବର