ପ୍ରଫୁଲ୍ଲ ମହାନ୍ତି କେନ୍ଦ୍ର ସାହିତ୍ୟ ଅକାଦେମୀର ଅନରାରୀ ଫେଲୋ ନିର୍ବାଚିତ

ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମୀର ଅନରାରୀ ଫେଲୋ ଭାବେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ ଓ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ନିର୍ବାଚିତ ହୋଇଛନ୍ତି। ଅକାଦେମୀର ଏହି ସର୍ବୋଚ୍ଚ ସମ୍ମାନ ସାହିତ୍ୟ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ବିଦେଶରେ ରହୁଥିବା ଦଶଜଣ ଶ୍ରେଷ୍ଠ ଭାରତୀୟ ସାହିତ୍ୟିକଙ୍କୁ ପ୍ରଦାନ କରାଯାଇଥାଏ। ଏପରି ସମ୍ମାନ ପାଇବାରେ ଶ୍ରୀ ପ୍ରଫୁଲ୍ଲ ମହାନ୍ତି ପ୍ରଥମ ଓଡ଼ିଆ। ଅକାଦେମୀର ଗତ ସାଧାରଣ ବୈଠକରେ ଶ୍ରୀ ମହାନ୍ତି ନିର୍ବାଚିତ ହୋଇଥିବା ଅକାଦେମୀର ସଚିବ କେ. ଶ୍ରୀନିବାସ ରାଓ ଜଣାଇଛନ୍ତି।

୧୯୩୩ ମସିହାରେ ବାଲିଚନ୍ଦ୍ରପୁର ନିକଟ ନାନପୁର ଗ୍ରାମରେ ଜନ୍ମିତ ଶ୍ରୀ ମହାନ୍ତି ୧୯୬୦ ମସିହାରୁ ଲଣ୍ଡନରେ ରହି ଆସୁଛନ୍ତି। ଶ୍ରୀ ମହାନ୍ତି ଛଅ ଖଣ୍ଡ ଉଚ୍ଚମାନର ଇଂରାଜୀ ବହି ଓ ବହୁ ପ୍ରସିଦ୍ଧି ଚିତ୍ର ଅଙ୍କନ କରି ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ମହାନ୍ତିଙ୍କର ପ୍ରଥମ ପୁସ୍ତକ ‘ମାଇଁ ଭିଲେଜ, ମାଇଁ ଲାଇଫ୍‌’ ପୃଥିବୀର ଏଗାରଟି ଦେଶର ଭାଷାରେ ଅନୁବାଦିତ ହୋଇଛି। ଅଧିକନ୍ତୁ, ବି.ବି.ସି. ଏହି ବହିକୁ ଚଳଚ୍ଚିତ୍ରରେ ରୂପାନ୍ତର କରିଥିଲା ଓ ଏହା ୧୯୮୨ ମସିହାରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ‘ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ’ରେ ପ୍ରଦର୍ଶିତ ହୋଇ ବହୁତ ପ୍ରଶଂସିତ ହୋଇଥିଲା।

ସମ୍ବନ୍ଧିତ ଖବର