ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିଶକ୍ତିଙ୍କ ସନ୍ତାନ: ରାଜ୍ୟପାଳ

କୋରାପୁଟ : ଆଦିବାସୀ ଆଦିଶକ୍ତିଙ୍କ ପ୍ରଥମ ସନ୍ତାନ। ଆଦିଶକ୍ତିଙ୍କ ପ୍ରଥମ ଝିଅ ଭାବେ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରର ସର୍ବୋଚ୍ଚ ଆସନରେ ଆଜି ବସିଥିଲେ ବି ତିଳେ ମାତ୍ର ଗର୍ବ ନାହିଁ। କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ‘ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଆଦିବାସୀଙ୍କ ମହତ୍ବ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି କଥା କହିଛନ୍ତି।

ଏହି ଆଲେଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ, ଦେଶର ପ୍ରଧାନମନ୍ତ୍ରୀ ଥରେ ନୁହଁ ବହୁବାର ଆଦିବାସୀ ହିଁ ଆଦିଶକ୍ତିଙ୍କ ସନ୍ତାନ ବୋଲି କହି ଆସିଛନ୍ତି। ଆଦିବାସୀଙ୍କ ପ୍ରତି ରହିଥିବା ସମ୍ମାନର ପ୍ରତୀକ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୂମିକୁ ମଧ୍ୟ ମାତୃଶକ୍ତି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବେଚନା କରନ୍ତି। ତେଣୁ ସଂସଦକୁ ପ୍ରଥମ ପ୍ରବେଶ ପୂର୍ବରୁ ନତମସ୍ତକ ହୋଇ ସମ୍ମାନ ପ୍ରଦାନ କରିଥିଲେ ବୋଲି କହିଥିଲେ। ସେହିପରି ଓଡ଼ିଶା ହେଉଛି ସେହି ରାଜ୍ୟ ଯେଉଁଠି ଭୂମିକୁ ନାରୀଶକ୍ତି ଭାବେ ବିଶ୍ବାସ କରି ‘ରଜୋତ୍ସବ ପାଳନ କରନ୍ତି। ଆଦିଶକ୍ତିଙ୍କ ଠାରୁ ଯେଉଁ ଆଭା ପିଢ଼ି ପରେ ପିଢ଼ି ଗତିଶୀଳ ହେଉଛି ତାହା ବିଶ୍ବର ଅନ୍ୟ କୌଣସି କୋଣରେ ଦେଖିବାକୁ ମିଳେ ନାହିଁ। କେଉଁ ଆବାହମାନ କାଳରୁ ଏହି ପବିତ୍ର ଭୂମିରେ ବସବାସ କରୁଥିବା ଆଦିବାସୀ ଜଳ, ଅଗ୍ନି, ମାଟି ଓ ଆକାଶକୁ ପୂଜା କରି ଆସୁଛନ୍ତି। ଆଦିବାସୀ ପ୍ରକୃତିର ଉପାସକ ହୋଇଥିବାରୁ କେବ‌େ ମଧ୍ୟ ବୃକ୍ଷକୁ କାଟନ୍ତି ନାହିଁ। ସେମାନେ ବୃକ୍ଷ ନିକଟକୁ ଯାଇ ଅବରୋଧ ହଟାଇବାକୁ ଦାବି କରନ୍ତି। କିଛି ଦିନ ବ୍ୟବଧାନରେ ଏହି ବୃକ୍ଷ ହଟିଯାଏ। ଏଥରୁ ଜଣାଯାଏ ଯେ ଆଦିବାସୀମାନେ ସରଳ, ନିଷ୍କପଟ, ନିଃସ୍ବାର୍ଥୀ ଓ ହୃଦୟବାନ। ପୁଣି ଭାରତୀୟ ସ୍ବାଧୀନତା ସଂଗ୍ରାମରେ ସହିଦ ଲକ୍ଷ୍ମଣ ନାୟକଙ୍କ ଅବଦାନକୁ କେହି କେବେ ଭୁଲି ପାରିବ ନାହିଁ। କାରଣ ଆଦିଶଙ୍କରଙ୍କ ଯେଉଁ ନୀତି ସେ ଆପଣାଇଲେ ତାହା ସ୍ବାଧୀନତା ମିଳିବାରେ ସହାୟକ ହେଲା ବୋଲି ରାଜ୍ୟପାଳ କହିଥିଲେ।
ଏହି ଜାତୀୟସ୍ତରୀୟ ଆଲୋଚନା ଚକ୍ରରେ ଜାତୀୟ ଆଦିବାସୀ କମିସନ ସଦସ୍ୟ ଅନନ୍ତ ନାୟକ ଅତିଥି ଭାବେ କହିଥିଲେ, ଅସ୍ମିତା, ଅସ୍ଥିତ୍ବ ଓ ବିକାଶ ପରି ତିନୋଟି ତତ୍ତ୍ବ ପରସ୍ପରର ପରିପୂରକ। ଆଦିବାସୀ ଏତେ ନିଷ୍କପଟ ‌ଯେ, ସେମାନେ କେବେ ଅତ୍ୟାଚାର ବିରୋଧରେ ମୁହଁ ଖୋଲିବେ ନାହିଁ। ତେଣୁ ସେମାନଙ୍କ ମୁହଁ ଖୋଲି ଅସତ୍ୟ ବିରୋଧରେ ସତ୍ୟର ବିଜୟ କରିବାକୁ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି।

କାର୍ଯ୍ୟକ୍ରମରେ ପବିତ୍ର କୁଆର କହଁର, ଜିଲ୍ଲାପାଳ ଅବଦଲ୍‌ ଏମ୍‌. ଅଖତର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ସିଡିଏମଓ ଡା. ଅରୁଣ ପାଢୀ, ଡ.ଶରତ କୁମାର ପାଲିତା, ଡ. ଅସିତ କୁମାର ଦାସ, ଡ. ଜଳେନ୍ଦ୍ର ତ୍ରିପାଠୀ, ବିଶ୍ବବିଦ୍ୟାଳୟ ଲୋକସଂପର୍କ ଅଧିକାରୀ ଫଗୁନାଥ ଭୋଇଙ୍କ ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ସକାଳେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଦୁଇ ଦିନିଆ କୋରାପୁଟ ଗସ୍ତ ନିମନ୍ତେ କୋରାପୁଟ ପହଞ୍ଚିଥିଲେ। ଷ୍ଟେସନରେ ଜିଲ୍ଲାପାଳ, ଏସ୍‌ପି ଏବଂ ଷ୍ଟେସନ ମାଷ୍ଟର ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ।

ସମ୍ବନ୍ଧିତ ଖବର