ବିନା ୟୁନିଫର୍ମରେ ବିଦ୍ୟାଳୟକୁ ଯିବୁ: ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ବର: ତିନି ମାସ ସମୟ ନେଲେ ସରକାର। ହେଲେ ଦାବି ପୂରଣ କଲେନି। ତେଣୁ ପୁଣିଥରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରାଥମିକ ଶିକ୍ଷକ। ଆଉ ଆଜି ଆନ୍ଦୋଳନକୁ ପୁଲିସ ଅନୁମତି ଦେଇନଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟରେ ଆଲୋଚନା ହୋଇଛି | ବିଧାନସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଶିକ୍ଷକ ସଂଘ ପକ୍ଷରୁ ୧୧ ଜଣିଆ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି | ଏହି ଆଲୋଚନାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଶିକ୍ଷକମାନଙ୍କ ସହ ଆଲୋଚନା ହେଲା, ପୂର୍ବରୁ ହାଇ ଲେବଲ କମିଟି ସହ ସେମାନଙ୍କ ଆଲୋଚନା ହୋଇଥିଲା |

ସେମାନଙ୍କ ଦାବି ଉକ୍ତ କମିଟିକୁ ପଠାଇ ଦିଆଯିବ | ସେମାନଙ୍କ ଦାବି ନେଇ ଆଲୋଚନା ଜାରି ରହିଛି, ବିଭିନ୍ନ ପର୍ଯ୍ୟାୟରେ ଆହୁରି ଆଲୋଚନା ହେବ | ଆଲୋଚନା ମାଧ୍ୟମରେ ସେମାନଙ୍କର ଦାବି ବିଷୟରେ ସମାଧାନ ହେବ | ତେବେ ଶିକ୍ଷକ ସମାଜକୁ ଅନୁରୋଧ ସେମାନେ ୟୁନିଫର୍ମ ବର୍ଜନ କରନ୍ତୁ ନାହିଁ | ୟୁନିଫର୍ମ ବର୍ଜନ ନିଷ୍ପତିରୁ ବିରତ ରୁହନ୍ତୁ | ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲିଠାରୁ ୟୁନିଫର୍ମ ବିନା ପ୍ରାଥମିକ ଶିକ୍ଷକ ସ୍କୁଲ ଯିବେ | ମନ୍ତ୍ରୀସ୍ତରୀୟ କମିଟିକୁ ଆମର ଦାବି ପଠାଇବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି | ଆମେ ଆମ ନିଜ ପଇସାରେ ୟୁନିଫର୍ମ କରିଛୁ, ସେ ଏନେଇ ଭତ୍ତା ଦିଅନ୍ତୁ | ଯେହେତୁ ଭତ୍ତାକୁ ନେଇ ସରକାର ରାଜି ନାହାନ୍ତି ତେଣୁ ଆମେ ୟୁନିଫର୍ମ ବର୍ଜନ କରିବୁ |

ସମ୍ବନ୍ଧିତ ଖବର