ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: କାହିଁକି କମୁଛି ଚାଷୀଙ୍କ ଆଗ୍ରହ?

ମରୁଡ଼ି ବର୍ଷରେ ସହାୟତା ମିଳିବ କେଉଁଠୁ?

ଭୁବନେଶ୍ବର: ଲକ୍ଷ୍ୟ ଥିଲା ୨୦ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ସାମିଲ କରିବା। କିନ୍ତୁ ଚଳିତ ବର୍ଷ ଖରିଫରେ ୧୦ ଲକ୍ଷ ୯ ହଜାର ହେକ୍ଟର ଜମି ପାଇଁ ମାତ୍ର ୧୧ ଲକ୍ଷ ୮୭ ହଜାର ଚାଷୀ ପ୍ରିମିୟମ ଦେଇ ବୀମା ଅନ୍ତର୍ଭୁକ୍ତ ହୋଇଛନ୍ତି। ଯାହାକି ଗତବର୍ଷଠାରୁ ମଧ୍ୟ କମ। ଗତବର୍ଷ ୧୫ ଲକ୍ଷ ୮୨ ହଜାର ଚାଷୀ ଏବଂ ୨୦୧୯ ମସିହାରେ ୧୭ ଲକ୍ଷ ଚାଷୀ ପ୍ରିମିୟମ ଦେଇଥିଲେ। ପୂର୍ବ ଭଳି ଋଣୀ ଚାଷୀଙ୍କ ପାଇଁ ବୀମା ବାଧ୍ୟତାମୂଳକ ନଥିବାରୁ ଅନେକ ଚାଷୀ ବୀମା କରୁ ନଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମାରେ ପ୍ରତିବର୍ଷ ଅନେକ ସଂଖ୍ୟାରେ ଚାଷୀ ଲାଭାନ୍ବିତ ହେଉଥିବା କୁହାଯାଉଛି। ଏହା ସତ୍ତ୍ବେ କାହିଁକି ଏଥିପ୍ରତି ଚାଷୀଙ୍କ ଆଗ୍ରହ କମୁଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମରୁଡ଼ି ବର୍ଷରେ କ୍ଷତିଗ୍ରସ୍ତ ଚାଷୀ କେଉଁଠୁ ସହାୟତା ପାଇବ ଏହା ବର୍ତ୍ତମାନ ଚିନ୍ତା ବଢ଼ାଉଛି।

୨୦୧୬ ଫେବ୍ରୁଆରି ୧୮ ତାରିଖରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ କରିଥିଲେ। ମରୁଡ଼ି ସମେତ ବିଭିନ୍ନ କାରଣରୁ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ ଏହି ବୀମାରେ ସାମିଲ କରାଯାଉଥିଲା। ପୂର୍ବରୁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଥିବା ଜାତୀୟ କୃଷି ବୀମା ଯୋଜନା ଏବଂ ରୂପାନ୍ତରିତ କୃଷି ବୀମା ଯୋଜନା ଥିଲା। ଏଥିରେ ସମବାୟ ସମିତିରୁ ଋଣ ନେଉଥିବା ଚାଷୀଙ୍କୁ ଏହି ବୀମାରେ ସାମିଲ କରାଯାଉଥିଲା। ଏଥିରେ ଚାଷୀ, କେନ୍ଦ୍ର ଏବଂ ରାଜ୍ୟ ସରକାର ଅଂଶୀଦାର ଥିଲେ। ବ୍ଲକ୍‌କୁ ୟୁନିଟ ଭାବରେ ନିଆଯାଉଥିବାରୁ ଚାଷୀଙ୍କୁ ବୀମା ଟଙ୍କା ପାଇବା ପାଇଁ ସମସ୍ୟା ହେଉଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ, କେନ୍ଦ୍ର ଓ ରାଜ୍ୟ ସରକାର ବୀମା କମ୍ପାନିକୁ ପ୍ରିମିୟମ ଦେଲେ; ଆଉ କମ୍ପାନି ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଲା। ଏଥିରେ ବ୍ଲକ୍‌ ବଦଳରେ ପଞ୍ଚାୟତକୁ ୟୁନିଟ କରାଯାଉଥିବାରୁ ଅଧିକ ସଂଖ୍ୟାରେ ଚାଷୀ ଲାଭନ୍ବିତ ହେବେ ବୋଲି ଆଶା କରାଯାଉଥିଲା। ଚଳିତ ବର୍ଷ ରିଲାଏନ୍ସ, ଏଚ୍‌ଡିଏଫ୍‌ସି ଏଗ୍ରୋ, ଏଗ୍ରିକଲଚର ଇନସ୍ୟୁରେନ୍ସ କମ୍ପାନି ବୀମା ଦାୟିତ୍ବରେ ଅଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ବୀମା କମ୍ପାନିଗୁଡ଼ିକୁ ୨୦୧୬ ମସିହା ଖରିଫରେ ୧୩୭୬୯.୮୯ ଲକ୍ଷ, ରବିରେ ୪୭୬.୬୨ ଲକ୍ଷ, ୨୦୧୭ ମସିହାରେ ଖରିଫରେ ୧୪୪୮୮.୩୨ ଲକ୍ଷ, ରବିରେ ୬୧୦.୯୭ ଲକ୍ଷ, ୨୦୧୮ ମସିହା ଖରିଫରେ ୧୬୭୪୯.୫୦ ଲକ୍ଷ, ରବିରେ ୬୩୮.୭୭ ଲକ୍ଷ ଟଙ୍କା ଚାଷୀ ଦାଖଲ କରିଥିଲେ। ଏଥି ଅନ୍ତର୍ଗତରେ ୪୫ ଦିନରେ ଚାଷୀକୁ ବୀମା ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଥିଲା। ପ୍ରଥମ କିଛି ବର୍ଷ ଲାଭ ମଧ୍ୟ ଚାଷୀଙ୍କୁ ମିଳିଲା। ମାତ୍ର କିଛି ବର୍ଷ ହେଲା, ବୀମା ଲାଭ ଆଉ ଚାଷୀଙ୍କୁ ମିଳୁ ନାହିଁ ବୋଲି ଅଭିଯୋଗ ହେଉଛି।

ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟର ଆବାହକ ଅଶୋକ ପ୍ରଧାନଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରେ ଚାଷୀ ଆନ୍ଦୋଳନ କରୁଛି କିମ୍ବା ଚାଷୀ ସଚେତନ ଅଛନ୍ତି ସେଠି ଲୋକଙ୍କୁ ବୀମା ଲାଭ ମିଳୁଛି। ତେବେ କ୍ଷୁଦ୍ର ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି। ଅଧିକାଂଶ ସ୍ଥାନରେ କ୍ଷତିଗ୍ରସ୍ତ ହେବା ସତ୍ତ୍ବେ ଜଳସେଚିତ ଅଞ୍ଚଳର ଚାଷୀ ବୀମାରୁ ବଞ୍ଚିତ ରହୁଛନ୍ତି। ଏଥିଯୋଗୁଁ ବୀମା ବାଧ୍ୟତାମୂଳକ ନକରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚାଷୀ ସଙ୍ଗଠନ ଦାବି କରିଥିଲା। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଆକଳନ କ୍ଷୟକ୍ଷତି ରିପୋର୍ଟ ଅନୁସାରେ ବୀମା ଟଙ୍କା ଦିଆଯାଉ ନାହିଁ। କମ୍ପାନି ନିଜ ପକ୍ଷରୁ ସାଟେଲାଇଟ୍‌ ସର୍ଭେ କରି ଟଙ୍କା ଦେଉଛନ୍ତି। ଏହା ପ୍ରାୟ ତ୍ରୁଟିପୂର୍ଣ୍ଣ ହେଉଥିବା ସେ ଅଭିଯୋଗ କରିଛନ୍ତି। ଏଥିଯୋଗୁଁ ବୀମା ପ୍ରତି ଚାଷୀଙ୍କ ଆଗ୍ରହ କମିଛି। ମରୁଡ଼ି ବର୍ଷରେ ଚାଷୀ ପାଇଁ ଜଟିଳ ଅବସ୍ଥା ଉତ୍ପନ୍ନ ହେଲାଣି। ବୀମା ଦାୟିତ୍ବରେ କୃଷି ବିଭାଗ ପକ୍ଷରୁ କୁହାଯାଇଛି, ଅଣସର୍ଭେ ଗାଁ, ଜଙ୍ଗଲ ଜମି ଅଞ୍ଚଳରେ କରାଯାଇଥିବା ବୀମାର ତଥ୍ୟ ସାମିଲ କରାଯାଇ ନାହିଁ। ଏହାପରେ ବୀମାଧାରୀ ଚାଷୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର