ମା’ ସମଲେଶ୍ବରୀ କ୍ଷେତ୍ରର ବିକାଶକୁ ପ୍ରାଥମିକତା: ଉତ୍ତରାଞ୍ଚଳ ଆର୍‌ଡିସି

କୃଷି, ଶିଳ୍ପ, ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ

ସମ୍ବଲପୁର: ମା’ ସମଲେଶ୍ବରୀଙ୍କ କ୍ଷେତ୍ରର ବିକାଶ ପାଇଁ ସରକାର ଯେଉଁ ବୃହତ୍ ଯୋଜନା ହାତକୁ ନେଇଛନ୍ତି ତାକୁ କେମିତି ସୁରୁଖୁରୁରେ ଆଗେଇ ନିଆଯିବ ତାହା ତାଙ୍କର ପ୍ରାଥମିକତା ହେବ ବୋଲି ନୂଆ ଉତ୍ତରାଞ୍ଚଳ ରାଜସ୍ବ କମିସନର୍‌ ସୁରେଶ ଚନ୍ଦ୍ର ଦଳେଇ କହିଛନ୍ତି। ସମଲେଇ ଯୋଜନାର ବିସ୍ଥାପିତଙ୍କୁ ଆବଶ୍ୟକ ହେଲେ ଜମି କିଣି ଥଇଥାନ କରାଯିବ। ବୁଧବାର ‘ସମ୍ବାଦ’ସହ କଥାବାର୍ତ୍ତା ବେଳେ ଶ୍ରୀ ଦଳେଇ କହିଲେ, ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିଲାବେଳେ ଏହାର ବିକାଶ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରାଯିବ। ବର୍ତ୍ତମାନ ଧାନ କିଣାବିକା ଋତୁ ଆରମ୍ଭ ହୋଇଛି। ଏହା କେମିତି ସୁରୁଖୁରୁରେ ସମ୍ପନ୍ନ ହେବ ତା’ଉପରେ ନଜର ରଖାଯିବ। ଅନେକ ହୀରାକୁଦ ବିସ୍ଥାପିତ ପରିବାରଙ୍କ ବିଭିନ୍ନ ଅଭିଯୋଗ ରହିଥିବା ସୂଚନା ମିଳିଛି।

ନିକଟରେ ସରକାର ମଧ୍ୟ ୨ ହଜାର ବିସ୍ଥାପିତ ପରିବାରଙ୍କୁ ଜମିପଟ୍ଟା ଦିଆଯିବ ବୋଲି ଘୋଷଣା କରିଥିବା କହିଛନ୍ତି। ହୀରାକୁଦ ପାଇଁ ନିଜ ଭିଟାମାଟି ତ୍ୟାଗ କରିଥିବା ପ୍ରକୃତ ବିସ୍ଥାପିତମାନେ ଯେମିତି ନିଜ ନ୍ୟାଯ୍ୟ ହକ୍‌ରୁ ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଧ୍ୟାନ ଦିଆଯିବ। ତେବେ ଦୀର୍ଘ ବର୍ଷ ପରେ ପ୍ରକୃତ ବିସ୍ଥାପିତଙ୍କୁ ଚିହ୍ନଟ କରି ଉପଯୁକ୍ତ ଥଇଥାନ କରିବା ଏକ ଜଟିଳ କାର୍ଯ୍ୟ । ତାହା କେମିତି ସୁରୁଖୁରୁରେ କରାଯାଇ ପାରିବ ସେ ଦିଗରେ ପ୍ରୟାସ କରାଯିବ। ଏହା ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ। ଏଠି ଶିଳ୍ପ ସଂସ୍ଥା ଓ ଶିଳ୍ପ ଜନିତ ବିସ୍ଥାପନ ଆଦି ‌ଅନେକ ସମସ୍ୟା ରହିଛି। ସେ ଦିଗରେ ବି କାର୍ଯ୍ୟ କରାଯିବ। ଏଣିକି ଆର୍‌ପିଡିଏସି ବୈଠକ ନିୟମିତ ହେବ। ଜଳସେଚନ ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ଦୃଢ଼ କରିବାକୁ ହେବ। ବିଭିନ୍ନ ସ୍ଥାନରେ ଜମି ଅଧିଗ୍ରହଣ ଓ ଥଇଥାନକୁ ନେଇ ଅନେକ ସମସ୍ୟା ରହିଛି। ତେଣୁ ସବୁ ପ୍ରକାର ଜମି ଅଧିଗ୍ରହଣ ଓ ଥଇଥାନ କାର୍ଯ୍ୟ ଯେମିତି ସୁରୁଖୁରୁରେ ହୋଇ ପାରିବ ‌ତାହା ବି ପ୍ରାଥମିକତା ହେବ ବୋଲି ଶ୍ରୀ ଦଳେଇ କହିଥିଲେ।

ଭେଟିଲେ ସମ୍ବଲପୁର ଓ ସୋନପୁର ଜିଲ୍ଲାପାଳ

ବୁଧବାର ସୁରେଶ ଚନ୍ଦ୍ର ଦଳେଇ ଉତ୍ତରାଞ୍ଚଳ ଆର୍‌ଡିସି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍‌ସେନା ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ତାଙ୍କୁ ସାକ୍ଷାତ କରି ନିଜନିଜ ଜିଲ୍ଲାର ବିଭିନ୍ନ ପ୍ରସଂଗରେ ଆଲୋଚନା କରିଥିଲେ। ଏହାଛଡ଼ା ଆର୍‌ଡିସିଙ୍କ କାର୍ଯ୍ୟାଳୟର  ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ବିଭାଗର ଅଧିକାରୀ ତଥା ସଚେତନ ନାଗରିକ ମାନେ ବି ସାକ୍ଷାତ କରିଥିଲେ। ସମ୍ବଲପୁର ଡେଭ୍‌ଲପ୍‌ମେଣ୍ଟ‌ ଫୋରମ୍‌ ପକ୍ଷରୁ ପ୍ରଫେସର୍ ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ରଫେସର୍‌ ଶଂକର ପ୍ରସାଦ ପତି, ରଘୁନାଥ ମିଶ୍ର, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଅପରାହ୍‌ଣରେ ଆର୍‌ଡିସିଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସେମାନେ ସମ୍ବଲପୁରର ବିକାଶ ଓ ସମସ୍ୟା ସମ୍ପର୍କିତ ବିଭିନ୍ନ ପ୍ରସଂଗରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର