ଆନନ୍ଦପୁରକୁ ରେଳପଥ ପାଇଁ ବଡ଼ଦାଣ୍ଡରେ ଦଣ୍ଡପ୍ରଣାମ: ସରକାର ଶୁଣିଲେନି, ମହାପ୍ରଭୁଙ୍କୁ ଗୁହାରି କଲେ

ପୁରୀ: କେନ୍ଦୁଝର ଜିଲ୍ଲା ଆନନ୍ଦପୁରକୁ ରେଳପଥ ସଂଯୋଗ ଦାବିରେ ଆଜି ବଡ଼ଦାଣ୍ଡରେ ଅଭିନବ ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହି ଦାବି ଉପସ୍ଥାପନ ପାଇଁ ମା’ ଧନେଇ ସେବା ସଂଘର କର୍ମକର୍ତ୍ତା ଓ ଆନନ୍ଦପୁର ଉପଖଣ୍ଡର ସଚେତନ ନାଗରିକଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ଶତାଧିକ ବାସିନ୍ଦା ଶୋଭାଯାତ୍ରା କରିବାସହ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ଦଣ୍ଡ ପ୍ରଣାମ କରିଛନ୍ତି। ପରେ ସିଂହଦ୍ବାରରେ ପହଞ୍ଚି ମହାପ୍ରଭୁଙ୍କୁ ଗୁହାରି ଜଣାଇଛନ୍ତି।

ମା’ ଧନେଇ ସେବା ସଂଘ ସହ ଅନ୍ୟମାନେ କହିଛନ୍ତି, କେନ୍ଦୁଝର ଜିଲ୍ଲା ରାଜସ୍ବରେ ଭରପୁର ଥିବାବେଳେ ରାଜ୍ୟ ସରକାରଙ୍କ ସିଂହଭାଗ ରାଜସ୍ବ କେନ୍ଦୁଝର ଜିଲ୍ଲାରୁ ହିଁ ଭରଣା ହେଉଛି। ମାତ୍ର, ବହୁଦିନରୁ କେନ୍ଦୁଝର ମୁଖ୍ୟ ଉପଖଣ୍ଡକୁ ରେଳପଥ ସଂଯୋଗ ପାଇଁ ଦାବି ହୋଇ ଆସୁଥିଲେ ବି ଏହି ଦାବି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରେଳବିଭାଗକୁ ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ ନିର୍ଦ୍ଦେଶ ଥିଲା। ଏହାସତ୍ତ୍ବେ ମଧ୍ୟ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନି। ପୂର୍ବତଟ ରେଳପଥ ପକ୍ଷରୁ ଏହା ଉପରେ ଏକ ସର୍ଭେ କରାଯାଇଥିଲା। ଯାଜପୁରରୋଡ୍‌ଠାରୁ ଯଶିପୁର ପର୍ଯ୍ୟନ୍ତ ଆନନ୍ଦପୁର ଦେଇ ପ୍ରାୟ ୧୩୮ କିମି ରେଳପଥ ଏହି ସର୍ଭେ ଅନ୍ତର୍ଭୁକ୍ତ ଥିଲା। ଏହି ସର୍ଭେ ରିପୋର୍ଟ ୨୦୧୮ ମସିହାରୁ ରେଳ ବୋର୍ଡକୁ ପଠା ସରିଥିଲେ ବି ରେଳବୋର୍ଡ ପକ୍ଷରୁ ଏ ଉପରେ ଉତ୍ତର ଆସୁନି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇ ବିଫଳ ହେବା ପରେ ଆମେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ ଦାବି ଜଣାଇଛୁ। ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସଦ୍‌ବୁଦ୍ଧି ଦେବାକୁ ଗୁହାରି କରିଛୁ ବୋଲି ପ୍ରତିବାଦ ଜଣାଇଥିବା ଅଞ୍ଚଳବାସୀ କହିଛନ୍ତି।

ଆଜିର ଏହି ଦଣ୍ଡପ୍ରଣାମ ଯାତ୍ରାରେ ମା’ ଧନେଇ ସେବା ସଂଘ ସଭାପତି ବିଷ୍ଣୁପ୍ରସାଦ ବାରିକ, ଯୁବ ସମାଜସେବୀ ଶ୍ରୀକାନ୍ତି ମିଶ୍ର, ଘସିପୁରା ମା ସୁନ୍ଦୁରାଇ କ୍ଲବ ସଭାପତି ତୋଫାନ କୁମାର ସାହୁ, ଅଳତି ଓଡ଼ିଶା ୟୁଥ୍‌ ଅର୍ଗାନାଇଜର୍ସ ସଭାପତି ଦୀପକ କୁମାର ବରାଳ, ଜ୍ଞାନରଂଜନ ସାହୁ, ମାନସ ରଂଜନ ସା, ଆଶୁତୋଷ ପଣ୍ଡା, ଯୁଦ୍ଧିଷ୍ଠିର ପଣ୍ଡା, ନାରାୟଣ ଦେହୁରି, ଚନ୍ଦ୍ରମଣି ଜେନା, ମହାଦେବ ସାହୁ, ରମାକାନ୍ତ ଯେନା, ବୀର ନାହାକ, ଲକ୍ଷ୍ମୀଧର ପାଢ଼ୀ, ପ୍ରହଲ୍ଲାଦ କେଶୀ, ବଳରାମ ସାହୁ, ଚିନ୍ତାମଣି ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର