କେନ୍ଦ୍ର ଯୋଜନାରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରୁଛନ୍ତି ନବୀନ ସରକାର: ପୁରନ୍ଦେଶ୍ବରୀ

ଜିଲ୍ଲା ପରିଷଦରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ

ଭୁବନେଶ୍ୱର : କେନ୍ଦ୍ରରେ ମୋଦୀ ସରକାର ଗରିବଙ୍କ ପାଇଁ କରିଥିବା ଅନେକ କଲ୍ୟାଣକାରୀ ଯୋଜନାରୁ ନବୀନ ସରକାର ରାଜ୍ୟବାସୀଙ୍କୁ ବଞ୍ଚିତ କରି ରଖିଛନ୍ତି। ରାଜ୍ୟରେ ଯେଉଁ ବିକାଶ ହୋଇଛି, ତାହା କେନ୍ଦ୍ର ସରକାରଙ୍କ କାରଣରୁ ସମ୍ଭବ ହୋଇଛି। ଏହି ପ୍ରସଙ୍ଗ ନେଇ ବିଜେପି ଲୋକଙ୍କ ପାଖକୁ ଯିବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଠିକ୍ ପ୍ରାର୍ଥୀ ତଥା ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆହ୍ବାନ ଦେଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କ ବି‌ରୋଧରେ ବିଷୋଦ୍‌ଗାର କରିବା ସହ ‘ଲୋକଙ୍କ ଅଭିଯୋଗ- ଅପାରଗ ରାଜ୍ୟ ସରକାର’ ଶୀର୍ଷକ ଅଭିଯୋଗ ସମ୍ବଳିତ ପତ୍ରକୁ ଉନ୍ମୋଚନ କରିଛନ୍ତି।

ପୁରନ୍ଦେଶ୍ବରୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣାରେ ମିଳୁଥିବା ବାସଗୃହ ପାଇଁ ଗରିବ ହିତାଧିକାରୀ ଲାଞ୍ଚ ଦେଉଛନ୍ତି। ଓଡ଼ିଶାରେ ୧୪ ପ୍ରତିଶତ ଲୋକ ପଲିଥିନ ତଳେ ରହୁଛନ୍ତି। ପଶ୍ଚିମ ଓଡିଶାର ୬ଟି ଜିଲ୍ଲା ମଧ୍ୟରୁ କୌଣସି ଗୋଟିଏ ଜିଲ୍ଲାରେ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇଲେ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋ‌ଜନା ବିଜେଡିର ଦଳୀୟ କର୍ମୀ ନେଉଛନ୍ତି। ୩୭ ପ୍ରତିଶତ ଜମିକୁ ଜଳସେଚନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୨୨ ବର୍ଷ ଶାସନରେ ୨୨ ପ୍ରତିଶତ ଜମି ଜଳସେଚନ କରିବାରେ ସରକାର ବିଫଳ ହୋଇଛନ୍ତି। ଆଳୁ ପିଆଜ ମିସନ ବିଫଳ ହୋଇଛି। ଚାଷୀଙ୍କୁ କେନ୍ଦ୍ର ସରକାର ୧୦ଟା ପିଏମ୍‌ କିସ୍ତି ଦେଇ ସାରିଥିବା ବେଳେ ରାଜ୍ୟ ସରକାର କେତୋଟି କାଳିଆ କିସ୍ତି ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ନିତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ମୋଦୀ ସରକାର ହଜାର ହଜାର କୋଟିର ଆର୍ଥିକ ସହାୟତା ଓଡ଼ିଶାକୁ ଯୋଗାଉଥିଲେ ମଧ୍ୟ ୩୦ ପ୍ରତିଶତ ଓଡ଼ିଆ ଗରିବ। ଓଡ଼ିଶାର ଏକ ତୃତୀୟାଂଶ ମହିଳା ରକ୍ତହୀନତାର ଶିକାର।

ପୁଷ୍ଟିହୀନତା ହେତୁ ମୃତ୍ୟୁ ସଂଖ୍ୟାରେ ଓଡ଼ିଶା ତଳପଟୁ ସପ୍ତମ। ଆୟୂଷ୍ମାନ ଭାରତ ଯୋଜନା ପ୍ରାୟ ପ୍ରତ୍ୟେକ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବେଳେ ଓଡିଶାରେ ହେଉନାହିଁ। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଏହା ସ୍ପଷ୍ଟ ହୋଇନାହିଁ ଯେ, ୫ ଲକ୍ଷ ଟଙ୍କା ୫ ଜଣ ପରିବାର ସଦସ୍ୟଙ୍କ ପାଇଁ ନା ଜଣେ ବ୍ୟକ୍ତିଙ୍କ ପାଇଁ। ଅନେକ ଡାକ୍ତରଖାନା ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଚିକିତ୍ସା ନକରି ରୋଗୀଙ୍କୁ ଫେରାଇ ଦେଉଛନ୍ତି। ସରକାରୀ ଡାକ୍ତରଖାନାରେ ନା ଡାକ୍ତର ଅଛନ୍ତି ନା ଔଷଧ ଅଛି। ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆବଶ୍ୟକ ପରିମାଣର ଶିକ୍ଷକ ନାହାନ୍ତି। ବିଜୁ ଯୁବ ବାହିନୀ ବନ୍ଦ ହେଇଯାଇଛି। ‘ପିଠା’ ଯୋ‌ଜନା ଓ ବହୁଚର୍ଚ୍ଚିତ ‘ଆମ ଗାଁ, ଆମ ବିକାଶ’ ବି ଉଭାନ୍‌ ହୋଇଯାଇଛି। ମନରେଗା ଯୋଜନାରେ ଶ୍ରମିକଙ୍କ ନାମରେ ମିଥ୍ୟା ବିଲ୍ କରି ଟଙ୍କା ନେଇ ଯାଉଛନ୍ତି। ସରକାରଙ୍କ ଅପାରଗତା କାରଣରୁ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି।

ସେହିଭଳି ବିଜେଡି ଶାସନରେ ମହିଳାମାନେ ବିପଦରେ ଅଛନ୍ତି। ବିଭିନ୍ନ ଅପରାଧରେ ୩୫ ପ୍ରତିଶତ ମାମଲାରେ ଚାର୍ଜସିଟ ହେଉଛି। ସେଥିରୁ ୬ ପ୍ରତିଶତ ଦୋଷୀ ସାବ୍ୟସ୍ତ ହେଉଛନ୍ତି। କେନ୍ଦ୍ର ସରକାର ସମ୍ବିଧାନରେ ସଂଶୋଧନ କରି ପଞ୍ଚାୟତକୁ କ୍ଷମତା ପ୍ରଦାନ ବ୍ୟବସ୍ଥା କରିଛନ୍ତି। ହେଲେ ପଞ୍ଚାୟତକୁ ସବୁ କ୍ଷମତା ଦିଆଯାଉନାହିଁ। କେବଳ ନିର୍ବାଚନ ନୁହେଁ, ବରଂ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରିଛନ୍ତି। ସଂରକ୍ଷଣ ନାମରେ ଓଡ଼ିଶାର ପଛୁଆବର୍ଗଙ୍କ ଭାବନା ସହ ରାଜ୍ୟ ସରକାର ଖେଳ ଖେଳୁଛନ୍ତି। ଜନସାଧାରଣ ଏକାଠି ହୋଇ ଶକ୍ତିଶାଳୀ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାର ବିକାଶ ପାଇଁ ବିଜେପିକୁ ଜିତାଇବାର ସମୟ ଆସିଛି ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର