ଗଞ୍ଜାମରେ ବର୍ଷା ଦୁର୍ଦ୍ଦଶା ବଢ଼ିଲା

୩ ଭାସିଗଲେ, ୨ ମୃତଦେହ ଉଦ୍ଧାର

ବ୍ରହ୍ମପୁର/ ଦିଗପହଣ୍ଡି/ ଶେ‌ରଗଡ଼ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୪୮ ଘଣ୍ଟା ହେଲା ଅବିଶ୍ରାନ୍ତ ବର୍ଷା ଲାଗିଛି। ଜିଲ୍ଲାର ଶେରଗଡ, ସାନଖେମୁଣ୍ଡି, ହିଞ୍ଜଳି ଓ ଧରାକୋଟ ବ୍ଲକ୍‌ ସର୍ବାଧିକ ପ୍ରଭାବିତ ହୋଇଛି। ଏହି ବ୍ଲକ୍‌ର ବହୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ୩ଜଣ ଭାସି ଯାଇଥିଲାବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଗୋପାଳପୁର ଡପ୍‌ଲର ରାଡାରର ବୈଜ୍ଞାନିକ ଉମାଶଙ୍କର ସାହୁ କହିଛନ୍ତି, ଲଘୁଚାପ ଏବେ ଉତ୍ତର ଉପୂକଳବର୍ତ୍ତୀ ଓଡ଼ିଶା ଆଡ଼କୁ ମୁହାଁଇଛି। ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଜିଲ୍ଲାରେ ଅରେଞ୍ଜ(କମଳା ରଙ୍ଗ) ଆଲର୍ଟ ଜାରି କରାଯାଇଛି। ଗୋପାଳପୁର ଠାରେ ସମୁଦ୍ର ଅଶାନ୍ତ ଅଛି। ଲଗାଣ ବର୍ଷା ପ୍ରଭାବରେ ବ୍ରହ୍ମପୁର-ସୋରଡା ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଜାନବିଲି -ମାଣିକ୍ୟପୁର ରାସ୍ତାର ଖାରିପଲ୍ଲିଠାରେ କଲଭର୍ଟ ଧୋଇ ହୋଇ ଯାଇଛି। ପୁରୁଷୋତ୍ତମପୁର ବ୍ଲକ ଗାଙ୍ଗଦହଣି ଗ୍ରାମରେ ପାଣି ପଶିଛି। ଆଜି ସକାଳେ ଜାତୀୟ ରାଜପଥ-୫୯ର ପୋଡିଙ୍ଗି ନିକଟରେ ବର୍ଷାଜଳ ପ୍ରବାହିତ ହେଉଥିଲା।

ଅନ୍ୟପକ୍ଷରେ, ଶେରଗଡ଼ର ନନ୍ଦିନୀ ନଦୀକୁ ଆଜି ପୂର୍ବାହ୍ନରେ ଶୌଚ ହେବାକୁ ଯାଇଥିବାବେଳେ ରାମହରି ରଣା ନାମକ ଜଣେ ଯୁବକ ଭାସି ଯାଇଥିବା ଜଣାପଡିଛି। ଶେଷ ଖବର ସୁଦ୍ଧା ତାଙ୍କର ପତ୍ତା ମିଳିପାରିନାହିଁ। ଦିଗପହଣ୍ଡି ଥାନା କଇଠଡା ପଞ୍ଚାୟତ ଅନ୍ତର୍ଗତ ଗୁହାଳପୁର ଗ୍ରାମ ଦେଇ ଯାଇଥିବା କଣ୍ଟେଇଝୁଳ କେନାଲରେ ସେହି ଗ୍ରାମର ଜାଡି ପ୍ରଧାନ(୬୫) ନାମକ ଜଣେ ବୃଦ୍ଧା ଭାସିଯାଇଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ସେହିଭଳି, ଆସିକା ଥାନା ଗଣ୍ଡପଲ୍ଲୀର ଅମର ଦାସ(୫୫) ନାମକ ଜଣେ ବ୍ୟକ୍ତିଙ୍କର ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟ‌ାରେ ଅମର ନିଜ ଗ୍ରାମ ଗଣ୍ଡପଲ୍ଲୀରୁ ସାଇକେଲରେ ଚଢିଆପଲ୍ଲୀ ଯାଉଥିବା ବେ‌ଳେ ଭାରସାମ୍ୟ ହରାଇ ନଈ ହିଡ଼ରୁ ପାଣିକୁ ଖସି ପଡିଥିଲେ। ବନ୍ୟା ଜଳରେ ଭାସି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଆସିକା ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର