ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ବର : ଥଣ୍ଡା ଭିତରେ ଭିଜାଇବ ବର୍ଷା। ଗୁରୁବାର ଦକ୍ଷିଣ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି। ଓଡ଼ିଶା ଉପରେ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଥିବାରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ହାଲକା ବର୍ଷା ହେବ। ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବି ବର୍ଷା ହୋଇପାରେ। ୨୮ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ।

ଆଉ ଏହାପରେ ବଦଳିବ ଚିତ୍ର। ଥଣ୍ଡାର ପ୍ରକୋପ ପୁଣିଥରେ ବଦଳିବ। ସର୍ବାଧିକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିବ। ପୂର୍ବରୁ ପଶ୍ଚିମ ହେଉ ଅଥବା ଉତ୍ତରରୁ ଦକ୍ଷିଣ ସମସ୍ତ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ଅସ୍ତବ୍ୟସ୍ତ କରିଦେଲା ଭଳି ଥଣ୍ଡା ହେବ। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତୁଷାରପାତ ହେବ। ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ପାରଦ ସର୍ବନିମ୍ନ ସ୍ତରକୁ ଚାଲିଯିବ। ଉପକୂଳ ଓଡ଼ିଶାରେ ବି ସମାନ ଅବସ୍ଥା ସୃଷ୍ଟି ହେବ। କେତେକ ସ୍ଥାନରେ ରାତିର ପାରଦ ୮ ଡିଗ୍ରି ରହିବ। ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିବାକୁ କୁହାଯାଇଛି।

ଦାରିଙ୍ଗବାଡ଼ିର ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖସିଛି। ଗତକାଲି ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ପାରଦ ୫ ଡିଗ୍ରି ଥିବା ବେଳେ ଆଜି ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରିକୁ ଖସି ଆସିଛି। ଫୁଲବାଣୀର ତାପମାତ୍ରା ଗୋଟିଏ ଡିଗ୍ରି ବୃଦ୍ଧି ପାଇ ୬ ଡିଗ୍ରିରେ ପହଞ୍ଚିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଭୋର ସମୟରେ କୁହୁଡ଼ି ଜାରି ରହିଛି। ଉତ୍ତର ଓଡ଼ିଶାରେ ତାପମାତ୍ରା ଟିକିଏ ବଢ଼ିଛି। ଯେଉଁଥିପାଇଁ ଗତକାଲି ରାତିରେ ଅର୍ଧାଧିକ ସହରର ତାପମାତ୍ରା ୧୩ ଡିଗ୍ରି ତଳେ ରହିଥିଲା। ଆଉ ୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର