ଆଜି ଥଣ୍ଡା, କାଲିଠୁ ରାଜ୍ୟର କେତେକ ଜିଲ୍ଲାରେ ହାଲୁକା ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର : ଆସନ୍ତା‌ ୨୪ ଘଣ୍ଟା ପର୍ଯ୍ୟନ୍ତ ଅନୁଗୁଳ, ବୌଦ୍ଧ, ସୋନପୁର ଓ ଦେବଗଡ଼ ଜିଲ୍ଲାରେ ଥଣ୍ଡା ଲାଗି ରହିବ। ଏହି ସମୟରେ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। କେତେକ ସ୍ଥାନରେ କୁହୁଡ଼ିର ପ୍ରଭାବ ଅଧିକ ରହିବ ଏବଂ ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବନି। ଏହାପରେ କିନ୍ତୁ ପାଗ ବଦଳିବ। ୮ ତାରିଖଠାରୁ କେତେକ ଜିଲ୍ଲାରେ ହାଲୁକା ବର୍ଷା ଏବଂ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ୧୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

୮ ତାରିଖ ପୂର୍ବାହ୍ନରୁ ୯ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖରେ ଉତ୍ତର ଓଡ଼ିଶା ସମେତ ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା, କୋରାପୁଟ, ଗଜପତି, ଗଞ୍ଜାମ, ବାଲେଶ୍ବର, ପୁରୀ, ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୧୧ ତାରିଖ ଭୋର ସମୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ହେବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଯେ ଗୋପାଳପୁରଠାରୁ ଝାରସୁଗୁଡ଼ାକୁ ସଂଯୋଗ କରୁଥିବା ସରଳରେଖାର ଉତ୍ତରରେ ଉତ୍ତରା ଥଣ୍ଡା ପବନ ବହୁଛି। ତେବେ ଆଜି ରାତିରେ ସର୍ବନିମ୍ନ ତାପମାତ୍ରା ଦେଢ଼ରୁ ଦୁଇ ଡିଗ୍ରି କମିବା ହେତୁ ଉକ୍ତ ଅଞ୍ଚଳରେ ଥଣ୍ଡା ବଢ଼ିବ। ଉପରୋକ୍ତ ସରଳରେଖାର ଦକ୍ଷିଣରେ ଥିବା ସମସ୍ତ ଜିଲ୍ଲାଗୁଡ଼ିକରେ ଆଜିଠାରୁ ସର୍ବନିମ୍ନ ତାପମାତ୍ରା ଏକ ଡିଗ୍ରିରୁ ଅଧିକ ବଢ଼ିବ ଏବଂ ଥଣ୍ଡା ସାମାନ୍ୟ କମିବ। ତେବେ ୭ ତାରିଖ ସନ୍ଧ୍ୟା ପରଠାରୁ ରାଜ୍ୟକୁ ଉତ୍ତରା ପବନ ବହିବ ନାହିଁ। ଆନ୍ଧ୍ରପ୍ରଦେଶରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ। ଫଳରେ କିଛି ବଙ୍ଗୋପସାଗରୀୟ ପବନ ଓ ମୁଖ୍ୟତଃ ଆରବସାଗରୀୟ ପବନ ଆନ୍ଧ୍ରପ୍ରଦେଶ ଦେଇ ଦକ୍ଷିଣରୁ ଓଡ଼ିଶାକୁ ପ୍ରବାହିତ ହେବ। ତେଣୁ ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ। ୮ ତାରିଖ ପର୍ଯ୍ୟନ୍ତ ଥଣ୍ଡା କ୍ରମଶଃ କମିବ। ଯାହାକି ପରବର୍ତୀ ଦୁଇ ଦିନ ବି ଅପରିବର୍ତ୍ତିତ ରହିବ। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରହିଥିଲା। ସୋନପୁରରେ ୭.୫, ଅନୁଗୁଳରେ ୯, ସମ୍ବଲପୁରରେ ୯.୫ ଡିଗ୍ରି ଥିଲା। ଅନ୍ୟ ସହରରେ ସର୍ବନିମ୍ନ ପାରଦ ୧୦ ଡିଗ୍ରି ଉପରେ ରହିଥିଲା।

ସମ୍ବନ୍ଧିତ ଖବର