ରାଜେନ୍ଦ୍ର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ପଢ଼ିବେ ଅଧିକ ପିଲା: ଖୋଲିଲା ନୂଆ ପାଠ୍ୟକ୍ରମ, ବଢ଼ିଲା ୟୁଜି ସିଟ୍‌

ଭୁବନେଶ୍ବର: ‌ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଶିକ୍ଷାଦାନ ପରିସୀମା ବୃଦ୍ଧି କରାଯାଇଛି। ନୂଆ କରି ପ୍ରତିଷ୍ଠା ହୋଇଥିବା ଉକ୍ତ ଦୁଇ ବିଶ୍ବବିଦ୍ୟାଳୟର ୟୁଜି(ଯୁକ୍ତ୩) ପାଠ୍ୟକ୍ରମରେ ଏକାଧିକ ନୂତନ ବିଭାଗ ଖୋଲିବାକୁ ଅନୁମତି ଦିଆଯାଇଛି। ଏଥିସହ ଯେଉଁ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି, ତାହାର ସିଟ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଅଧିକ ପ୍ରାଥମିକତା ଦେଇ ୨୦୨୩-୨୪ ଶିକ୍ଷାବର୍ଷରୁ ବର୍ଦ୍ଧିତ୍‌ ସିଟ୍‌ରେ ନାମଲେଖା କରାଇବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୟୁଜି(ଯୁକ୍ତ୩)ସ୍ତରରେ ଗୋଟିଏ ନୂତନ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଛି। ଆସନ୍ତା ଶିକ୍ଷାବର୍ଷରେ ଏଠାରେ ଉଭୟ କଳା ଓ ବିଜ୍ଞାନ ବିଭାଗରେ ପରିସଂଖ୍ୟାନ ବିଷୟ ଖୋଲିବାକୁ ଅନୁମତି ମିଳିଛି। କଳାରେ ୮ଟି ସିଟ୍‌ ରହିଥିବା ବେଳେ ବିଜ୍ଞାନରେ ୧୬ଟି ରଖାଯାଇଛି। ଏଥିସହ ଇଂରାଜୀ, ଭୂଗୋଳ, ହିନ୍ଦୀ, ଓଡ଼ିଆ, ଦର୍ଶନଶାସ୍ତ୍ର, ସଂସ୍କୃତ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଗଣିତ ଓ କମ୍ପ୍ୟୁଟର ସାଇନ୍ସ(ସେଲ୍ଫ ଫାଇନାନ୍ସିଂ ମୋଡ୍‌)ରେ ୮ଟି ଲେଖାଏ ସିଟ୍‌ ବୃଦ୍ଧି କରାଯାଇଛି। ସେହିପରି କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ୫ଟି ନୂଆ ବିଷୟ ଖୋଲିବାକୁ ଅନୁମତି ମିଳିଛି। ସେଥିମଧ୍ୟରେ କଳା ବିଭାଗରେ ଦର୍ଶନ ଶାସ୍ତ୍ର, ହିନ୍ଦୀ ଓ ଗୃହ ବିଜ୍ଞାନ ବିଷୟରେ ୩୨ଟି ଲେଖାଏଁ ସିଟ୍‌ ରହିଛି।

ବାଣିଜ୍ୟ ବିଭାଗରେ ବିଜିନେସ୍‌ ଆଡମିନିଷ୍ଟ୍ରେସନ(ସେଲ୍ଫ ଫାଇନାନ୍ସିଂ ମୋଡ୍‌) ବିଷୟରେ ୧୨୮ଟି ସିଟ୍‌ ଖୋଲିବାକୁ ଥିବା ବେଳେ କମ୍ପ୍ୟୁଟର ଆପ୍ଲିକେସନ୍‌ରେ ୬୪ଟି ସିଟ୍‌କୁ ଅନୁମତି ଦିଆଯାଇଛି। ଏଥିସହ ୧୭ଟି ବିଷୟର ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି। କଳା ବିଭାଗରେ ନୃତତ୍ତ୍ବ, ଇଂରାଜୀ ବିଷୟରେ ୧୬ଟି ସିଟ୍‌ ବଢ଼ିଥିବା ବେଳେ ଅର୍ଥନୀତି, ଶିକ୍ଷା, ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ, ସଂସ୍କୃତ ଓ ସମାଜ ବିଜ୍ଞାନରେ ୧୦ଟି ଲେଖାଏ ସିଟ୍‌, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନରେ ୧୪ଟି ଲେଖାଏଁ, ରସାୟନ ବିଜ୍ଞାନରେ ୧୩, ଗଣିତରେ ୧୬ ଓ ପଦାର୍ଥ ବିଜ୍ଞାନରେ ୧୩ଟି ସିଟ୍‌ ବୃଦ୍ଧି କରାଯାଇଛି। ବାଣିଜ୍ୟରେ ୧୧୫ ସିଟ୍‌ ଥିବା ବେଳେ ଏବେ ତାହାକୁ ୧୨୮ କରାଯାଇଛି। କମ୍ପ୍ୟୁଟର୍‌ ସାଇନ୍ସରେ ବି ୧୬ଟି ସିଟ୍‌ ବୃଦ୍ଧି ପାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଉଭୟ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର