ରଂଜନ ପ୍ରଧାନଙ୍କୁ ‘ଦ୍ବିତୀୟ ଅକ୍ଷୟ ଉପନ୍ୟାସ’ ପୁରସ୍କାର

ପୁରସ୍କାର ଓ ସମ୍ମାନ ବିବାଦମୁକ୍ତ ହେବା ଉଚିତ: ସୌମ୍ୟରଂଜନ

ଉଲ୍ଲାସ ଓ ବେଦନାଭରା କଥାବସ୍ତୁ ହିଁ ସାହିତ୍ୟ: ଦେବୀପ୍ରସନ୍ନ

ଭୁବନେଶ୍ବର : ସରକାରଙ୍କର ତରଫରୁ ଦିଆଯାଉଥିବା ବିଭିନ୍ନ ସମ୍ମା‌ନ ଓ ପୁରସ୍କାର ଏଣିକି ଆଉ ବିବାଦମୁକ୍ତ ହୋଇରହୁନି। ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ନାଗରିକ ସମାଜ ଓ ବେସରକାରୀ ଅନୁଷ୍ଠାନର ଗୁରୁଦାୟିତ୍ବ ରହିଛି। ଏମାନଙ୍କ ଦ୍ବାରା ଦିଆଯାଉଥିବା ପୁରସ୍କାର ବିବାଦମୁକ୍ତ ହେଲେ, ସରକାରଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଆଜି ଜୟଦେବ ଭବନରେ ଅନୁଷ୍ଠିତ ପ୍ରତିଭା ରାୟ ଫାଉଣ୍ଡେସନ୍‌ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀର ‘ଅକ୍ଷୟ ରାୟ ସ୍ମାରକୀ ପୁରସ୍କାର’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଏହି ଅବସରରେ ସେ ପୁଣି କହିଥିଲେ ଯେ ସମ୍ପ୍ରତି ଗଦ୍ୟ ସାହିତ୍ୟ ଆଜି ସଂକଟରେ ବୋଲି କୁହାଯାଉଛି। କବିତା ତୁଳନାରେ ଗଳ୍ପ ଓ ଉପନ୍ୟାସ ଲେଖା କମି ଯାଉଛି। ଦଶ ବର୍ଷ ତଳେ ଗଳ୍ପ ପ୍ରତିଯୋଗିତାରେ ଯେତେ ସଂଖ୍ୟକ ପ୍ରତି‌ଯୋଗୀ ଭାଗ ନେଉଥିଲେ, ଏବେ ତାହା ବହୁ ଗୁଣରେ କମି ଗଲାଣି। ତେବେ ଏହି ପୁରସ୍କାର ୪୫ବର୍ଷରୁ କମ୍‌ ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏଣିକି ଗଳ୍ପ ଓ ଉପନ୍ୟାସ ଲେଖିବା ପାଇଁ ଅଧିକରୁ ଅଧିକ ଯୁବ ଲେଖକ ଉତ୍ସାହିତ ହେବ‌େ ବୋଲି ସେ କହିଥିଲେ। ଆୟୋଜକ ଫାଉଣ୍ଡେସନର ଏଭଳି ଉଦ୍ୟମକୁ ଶ୍ରୀ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଲେଖିକା ପ୍ରତିଭା ରାୟଙ୍କ ଅଦ୍ଭୁତ ସଫଳତା ପଛରେ ତାଙ୍କ ସ୍ବାମୀ ଇଂ. ଅକ୍ଷୟ ରାୟଙ୍କ ଉଲ୍ଲେଖନୀୟ ଭୂମିକାକୁ ପ୍ରଶଂସା କରିଥିଲେ। ଓଡ଼ିଆ ସାହିତ୍ୟ ଜଗତ ପାଇଁ ଶ୍ରୀମତୀ ରାୟଙ୍କ ଅବଦାନ ପଛରେ ବି ଅକ୍ଷୟ ବାବୁଙ୍କ ବଡ଼ ଭୂମିକାକୁ ଭୁଲି ହେବ ନାହିଁ ବୋଲି ସେ କହିଥିଲେ। ଚଳିତ ବର୍ଷ ଅକ୍ଷୟ ଉପନ୍ୟାସ ପୁରସ୍କାର ‘ସମ୍ବାଦ’ ପରିବାରର ଅନ୍ୟତମ ସଦସ୍ୟ ରଂଜନ ପ୍ରଧାନ ପାଇବା ପାଇଁ ମନୋନୀତ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିଥିଲେ। ‘ସମ୍ବାଦ’ର ପ୍ରଥମ ସଂପାଦକ କାଳଜୟୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କୁ ସ୍ମରଣ କରି ସେ ସମ୍ବାଦ ଓ ସାହିତ୍ୟ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କରେ ଆଲୋକପାତ କରିଥିଲେ।

ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଓଡ଼ିଆ ସାହିତ୍ୟର ଅବକ୍ଷୟର କାରଣ ହେଉଛି ସାହିତ୍ୟରେ ବେଦନା ଓ ଉଲ୍ଲାସର ଅଭାବ ରହିଛି। ଦଳିତ, ନି‌‌ଷ୍ପେସିତ ଓ ଅବହେଳିତ ‌ଲୋକମାନଙ୍କ ନିକଟକୁ ଯାଇ ଲେଖକ ଲେଖନୀଚାଳନା କରିବା ଉଚିତ ବୋଲି ସେ କହିଥିଲେ। ସଭାପତିତ୍ବ ଭାଷଣ ଦେଇ ଶ୍ରୀମତି ରାୟ କହିଲେ ଯେ ଭଲ ଉପନ୍ୟାସର ପରିଭାଷା ଦେବା ସହଜ ହୋଇପାରେ କିନ୍ତୁ ଭଲ ଉପନ୍ୟାସଟିଏ ଲେଖିବା ସହଜ ନୁହେଁ। ଗଳ୍ପ ଯଦି ବିନ୍ଦୁ ହୁଏ, ଉପନ୍ୟାସ ହେଉଛି ସିନ୍ଧୁ। ବିନ୍ଦୁରେ ସିନ୍ଧୁ ଦର୍ଶନ ହେଉଛି ଗଳ୍ପର ଚମତ୍କାରିତା। ଠିକ୍‌ ସେହିପରି ପ୍ରତ୍ୟେକ ବିନ୍ଦୁର ସ୍ପଷ୍ଟ ପ୍ରତିଫଳନ ହେଉଛି, ଉପନ୍ୟାସର ସଫଳତା।
ଏହି ଅବସରରେ ଯୁବ ଔପନ୍ୟାସିକ ରଂଜନ ପ୍ରଧାନଙ୍କୁ ‘ବୁଢ଼ାବଳଙ୍ଗର ମାଝୀ’ ଉପନ୍ୟାସ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉପନ୍ୟାସର ପ୍ରକାଶକ ପଶ୍ଚିମା ପବ୍ଲିକେସନର ଅଶୋକ ମହାନ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସେହିଭଳି ଅଳଙ୍କାର ଆଚାର୍ଯ୍ୟଙ୍କୁ ପ୍ରିୟ ପାଠକ ପୁରସ୍କାର ପ୍ରଦାନ କରାଯାଇଥିଲା। ସାହିତ୍ୟିକି ଦେବପ୍ରସାଦ ଦାଶ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଫେସର ବସନ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଉପସଭାପତି ଆଦ୍ୟ‌ାଶା ଦାସ, ଟ୍ରଷ୍ଟି ଲିପି ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବହୁ ସାହିତ୍ୟିକ ଉପସ୍ଥିତ ଥିଲେ। ଟ୍ରଷ୍ଟର ସମ୍ପାଦକ ଇଶାନୀ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର