ଅଙ୍ଗ ଓ ଟିସୁ ପ୍ରତିରୋପଣ ଅନୁଷ୍ଠାନ ପ୍ରତିଷ୍ଠା କାର୍ଯ୍ୟ ତ୍ବରାନ୍ବିତ ପାଇଁ ନିର୍ଦେଶ

ଭୁବନେଶ୍ବର : କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତିରୋପଣ ସଂଗଠନ ପ୍ରତିଷ୍ଠା କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମ‌ାର ମେହେର୍ଦା ନିର୍ଦେଶ ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ସ୍ବେଚ୍ଛାକୃତ ଭାବେ ଦାନ କରାଯାଉଥିବା ଅଙ୍ଗପ୍ରତ୍ୟେଙ୍ଗ ଓ ଟିସୁ ଏଠାରେ ପ୍ରତିରୋପଣ କରାଯାଇ ପାରିବ। ଏହି ପ୍ରତିଷ୍ଠାନ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗଇଛନ୍ତି।

ଆଜି ସଚିବାଳୟଠାରେ ଏ ସଂକ୍ରାନ୍ତରେ ଡା.ମେହେର୍ଦାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏସ୍‌ସିବିରେ ଅଙ୍ଗ ପ୍ରତିରୋପଣ ଲାଗି ପୂର୍ବ ବୈଠକରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ନେଫ୍ରୋଲୋଜି ବିଭାଗରେ ଆବଶ୍ୟକ ପ୍ରକୋଷ୍ଠ ପ୍ରସ୍ତୁତି, ଯନ୍ତ୍ରପାତି ଓ ସରଂଜାମ କିଣିବା ଲାଗି ଟେଣ୍ଡର ଜାରି କରିବା, ଆବଶ୍ୟକ ସଂଖ୍ୟକ ପଦବି ସୃଷ୍ଟି ଓ ସରକାରଙ୍କ ଅନୁମୋଦନରେ ଠିକା କର୍ମଚାରୀ ନିଯୁକ୍ତି ଆଦି ସ୍ଥିର ହୋଇଥିଲା। ଏସବୁ ‌କାର୍ଯ୍ୟର କେତେଦୂର ଅଗ୍ରଗତି ହୋଇଛି ତାହା ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ଅବଶିଷ୍ଟ କାର୍ଯ୍ୟ ଯେଭଳି ଶୀଘ୍ର ସରିବ ସେଥିପାଇଁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯/୨୦ ଆର୍ଥିକ ବର୍ଷ‌ରେ ୪୨ଲକ୍ଷ ୮୪ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଏଥିରେ ରିକରିଂ ବାବଦରେ ୨୪ଲକ୍ଷ ୪୫ହଜାର ଟଙ୍କା ରହିଥିବା ବେଳେ ନନ୍ ରିକରିଂ ବାବଦରେ ୧୮ଲକ୍ଷ ୫୯ ହଜାର ଟଙ୍କା ରହିଥିବା ଜଣାପଡ଼ିଛି।

ଏହି ବୈଠକରେ ଏସ୍‌ସିବି ମେଡିକାଲ କଲେଜର ଅଧୀକ୍ଷକ ଡା.ସି ବି କେ ମହାନ୍ତି, ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ମହାନ୍ତି, ନ‌େଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଚିତ୍ତରଂଜନ କର, ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦତ୍ତେଶ୍ବର ହୋତା, ଯୁଗ୍ମ ସଚିବ ମାନସ ପଣ୍ଡା ଓ ଯୁଗ୍ମ ଡିଏମ୍‌ଇଟି ଡା.ଉମାକାନ୍ତ ଶତପଥୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର