ୟୁକୋ ବ୍ୟାଙ୍କ ଗୁରୁଜଙ୍ଗ ଶାଖାରେ ଡକାୟତି ଉଦ୍ୟମ

ଖୋର୍ଦ୍ଧା: ଗୁରୁଜଙ୍ଗ ପାଇକତିଗିରିଆ ୟୁକୋ ବ୍ୟାଙ୍କ ଶାଖାରେ ଗତକାଲି ରାତିରେ ଡକାୟତି ଉଦ୍ୟମ ହୋଇଛି । ଦୁର୍ବୃତ୍ତମାନେ ଟଙ୍କା ଲୁଟିବାରେ ବିଫଳ ହୋଇ କମ୍ପ୍ୟୁଟର ଓ କେତେକ ବୈଦ୍ୟୁତିକ ସାମଗ୍ରୀ ଲୁଟି ନେଇଥିବା ଜଣାଯାଇଛି ।

ସୂଚନାନୁସାରେ, ଆଜି ପ୍ରାୟ ସାଢ଼େ ୯ଟା ବେଳେ ବ୍ୟାଙ୍କ ପରିଚାଳକ ବ୍ୟାଙ୍କର କବାଟ ଖୋଲିଥିଲେ । କାର୍ଯ୍ୟାଳୟ ଭିତରେ ଥିବା ଆସବାବପତ୍ର, କଂପ୍ୟୁଟର ଆଦି ବିକ୍ଷୀପ୍ତ ହୋଇ ପଡ଼ିଥିବା ଦେଖି ଖୋର୍ଦ୍ଧ ଟାଉନ୍ ଥାନାକୁ ସୂଚନା ଦେଇଥିଲେ । ପୁଲିସ ବ୍ୟାଙ୍କରେ ପହଂଚି ଅନୁସନ୍ଧାନ କରିଥିଲେ । ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ବ୍ୟାଙ୍କ କର୍ତୃପକ୍ଷଙ୍କ ଲିଖିତ ଅଭିଯୋଗରେ ୬୪୪/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି । ପ୍ରାଥମିକ ଅନୁସନ୍ଧାନରେ ଦୁର୍ବୃତ୍ତମାନେ ବ୍ୟାଙ୍କର ପଛପଟେ ଛାତ ଉପରକୁ ଯାଇଥିବା ସିଡ଼ିର ଆଜବେସ୍ଟସ ଛାତକୁ ତାଡ଼ି ଭିତରେ ପଶିଥିବା ଜଣାଯାଇଛି । ତେବେ ବ୍ୟାଙ୍କ କର୍ତୃପକ୍ଷ ବ୍ୟାଙ୍କରୁ କୌଣସି ସାମଗ୍ରୀ ଚୋରି ଯାଇଥିବା ଉଲ୍ଲେଖ କରିନାହାନ୍ତି ।

ଗୁରୁଜଙ୍ଗ ପାଇକତିଗିରିଆ ଶାଖା ପ୍ରାୟ ୧୦ ବର୍ଷ ପୂର୍ବେ ଭଡ଼ା ଘରେ ସ୍ଥାପିତ ହୋଇଥିଲା । ଏହା ପୂର୍ବରୁ ଏଭଳି କୌଣସି ଚୋରି କିମ୍ବା ଡକାୟତି ଘଟଣା ଘଟିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ବ୍ୟାଙ୍କର ସୁରକ୍ଷା ନିୟମାବଳି ଅନୁସାରେ ବ୍ୟାଙ୍କରେ କୌଣସି ସୁରକ୍ଷା କର୍ମଚାରୀ କିମ୍ବା ରାତ୍ରୀ ଜଗୁଆଳି ନିୟୋଜିତ ନାହାନ୍ତି । ବ୍ୟାଙ୍କର କୌଣସି ସିସିଟିଭି କାମ କରୁନାହିଁ । କେବଳ ଏହାନୁହେଁ ପଛପଟ ସିଡ଼ି ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷିତ ନଥିବା ଜଣାଯାଇଛି । ଏନେଇ ବ୍ୟାଙ୍କ ପରିଚାଳକଙ୍କୁ ପଚାରିବାରେ ସେ ଡକାୟତି ସମ୍ପର୍କରେ କିଛି କହିପାରିବେ ନାହିଁ । ପୁଲିସ ତଦନ୍ତ କରୁଛି, ତଦନ୍ତ ପରେ ଯାହା ଜଣାପଡ଼ିବ ବୋଲି ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଏଡ଼ାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର