ଟିଟିଲାଗଡ଼ରେ ଲୁଟେରା ଗ୍ୟାଙ୍ଗ, ଲୁଟି ନେଲେ ୧ଲକ୍ଷ ୫୦ ହଜାର ଟଙ୍କା

କଣ୍ଟାବାଞ୍ଜି/ ଟିଟିଲାଗଡ଼ : ଟିଟିଲାଗଡ଼ ସହରସ୍ଥିତ ଏକ୍ସିସ ବ୍ୟାଙ୍କ ସମ୍ମୁଖରୁ ଲୁଟେରାମାନେ ୧ ଲକ୍ଷ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଧ୍ୟପ୍ରଦେଶରୁ ଆସି ଟିଟିଲାଗଡ଼ରେ ବ୍ୟବସାୟ କରୁଥିବା ଘନଶ୍ୟାମ ଚାରଣ ନାମକ ଜଣେ ବ୍ୟବସାୟୀ ଏକ୍ସିସ୍ ବ୍ୟାଙ୍କରେ ୪୫ ହଜାର ଟଙ୍କା ଜମା କରି ବଳକା ୧ ଲକ୍ଷ ୫୦ ହଜାର ଟଙ୍କା ପଞ୍ଜାବ ନେସନାଲ ବ୍ୟାଙ୍କରେ ଜମା କରିବା ପାଇଁ ଏକ୍ସିସ୍‌ ବ୍ୟାଙ୍କରୁ ବାହାରି ଚାଲି ଯାଉଥିଲେ। ଏହି ସମୟରେ ଦୁଇଜଣ ଲୁଟେରା ତାଙ୍କୁ ଧକ୍କା ମାରି ଟଙ୍କା ଲୁଟି ନେଇ ଟିଭିଏସ ଆପାଚି (ଓଡି ୦୨ ବିଏ ୪୯୬୬)ରେ ଫେରାର ହୋଇଯାଇଥିଲେ। ଲୁଟେରାମାନେ ଆସ୍କା ଅଞ୍ଚଳର ଓ ବାଇକ୍‌ଟି ଭୁବନେଶ୍ବର ଅଂଚଳର ବୋଲି ପୁଲିସ ଜାଣି ପାରିଛି। ସେମାନେ ଫେରାର ହେବା ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ ପାଖରେ ଜଣଙ୍କୁ ଧକ୍କା ଦେଇ ଆଗକୁ ଦ୍ରୁତ ଗତିରେ ଫେରାର ହୋଇଥିଲେ। କିନ୍ତୁ ଦ୍ରୁତ ଗତିରେ ଯାଉଥିବା ସମୟରେ ଜଗନ୍ନାଥ ମନ୍ଦିର ଗଳି ଏଫ୍‌ସିଆ ଅଫିସ୍ ସମ୍ମୁଖରେ ଜଣେ କୋରିୟର ବୟେଙ୍କ ବାଇକ୍‌ରେ ଧକ୍କା ହୋଇଥିଲା। ସେଠାରେ ସେମାନେ ପଡ଼ି ଯିବାରୁ ବାଇକ୍ ଓ ଏକ ବ୍ୟାଗ୍‌ ଛାଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଛି। ବ୍ୟବସାୟୀ ଘନଶ୍ୟାମ ତୁରନ୍ତ ଟିଟିଲାଗଡ଼ ଥାନାକୁ ଆସି ଅଭିଯୋଗ କରିବାରୁ ପୁଲିସ ଏସଆଇ ମୋହିନୀ ମଲ୍ଲିକଙ୍କ ସହ ଏକ ପୁଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲେ। ବାଇକରୁ ପଡ଼ିଲା ପରେ ଲୁଟେରାମାନେ ଆହତ ହୋଇଥିବା ଜଣାପଡ଼ିଛି। ଅତିଶୀଘ୍ର ଲୁଟେରାମାନେ ଧଡ଼ାପଡ଼ିବେ ବୋଲି ଟିଟିଲାଗଡ଼ ଏସଡିପିଓ ଏସ.ଏନ. ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର