୨ବର୍ଷ ବିତିଲା, ଫେରିଲାନି ୧୦କୋଟି ଭତ୍ତା ଟଙ୍କା

ହିସାବ ଦେଉନାହାନ୍ତି କର୍ମଚାରୀ, ଜିଲ୍ଲା ପ୍ରଶାସନ ନିରବ

ସୁନ୍ଦରଗଡ଼ : ଜିଲ୍ଲାର ବିଧବା, ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧାଙ୍କୁ ପ୍ରଦାନ କରାଯାଉଥିବା ସାମାଜିକ ସୁରକ୍ଷା ଯୋଜନାର ୧୦ କୋଟିର ଭତ୍ତା ଗାଏବ ପରି ଅତି ସମ୍ବେଦନଶୀଳ ଘଟଣାକୁ ୨ ବର୍ଷ ବିତିଗଲାଣି। କିନ୍ତୁ, ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ଏଯାଏ ତା’ର ତଦନ୍ତ କରିନାହିଁ। ଅନ୍ୟପଟେ ଏହା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଅଧିକରୁ ଅଧିକ ଦୁର୍ନୀତି କରିବାକୁ ବଳ ଯୋଗାଉଛି।

ଜିଲ୍ଲାକୁ ପ୍ରଦାନ କରାଯାଇଥିବା ସାମାଜିକ ସୁରକ୍ଷା ଯୋଜନାର ୧୦ କୋଟି ୨୬ ଲକ୍ଷ ୬୦ ହଜାର ୩୯୨ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ଆସିଥିଲା। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ମଧୁବାବୁ ଭତ୍ତା ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଓ ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦିଆଯାଉଥିବା ବେଳେ ପ୍ରକୃତରେ ବଣ୍ଟନ ଦାୟିତ୍ବରେ ଥିବା ଅଧିକାରୀ ବା କର୍ମଚାରୀ କେତେ ଟଙ୍କା ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି ଏବଂ କେତେ ଟଙ୍କା ବଣ୍ଟନ ହୋଇନାହିଁ, ସେ ସମ୍ପର୍କରେ କାହା ନିକଟରେ କୌଣସି ତଥ୍ୟ ନଥିବା ପ୍ରକାଶ ପାଇଥିଲା। କର୍ମଚାରୀମାନେ ଏ ସମ୍ପର୍କିତ ହିସାବ ଦେଇ ନାହାନ୍ତି କି ବଳକା ଟଙ୍କା ଫେରାଇ ନାହାନ୍ତି। ଯାହା ହଡ଼ପ ସନ୍ଦେହକୁ ଘନୀଭୂତ କରିଛି।

ସବୁଠାରୁ ବଡ଼ କଥା ହେଲା, ଏହାମଧ୍ୟରେ  ୨୦୨୨-୨୩ ଆର୍ଥିକ ବର୍ଷ ପ୍ରବେଶ କରିସାରିଛି। କିନ୍ତୁ, ଏଯାଏ କର୍ମଚାରୀମାନେ ହିସାବ ଦେଇ ନାହାନ୍ତି। ପ୍ରଶାସନ ମଧ୍ୟ ଏଥିପାଇଁ ବିଶେଷ ତାଗିଦ୍‌ କି ତଦନ୍ତ କରୁନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର