ଖଣି ଅଞ୍ଚଳରେ ୧୨ ହଜାର କୋଟି ଖର୍ଚ୍ଚ ହେବ

ଭୁବନେଶ୍ୱର : ଖଣି ଖାଦାନ ଭରା ଅଞ୍ଚଳଗୁଡ଼ିକର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ନିକଟରେ ୧୨ହଜାର କୋଟି ଟଙ୍କାରୁ ଅଧିକ ପାଣ୍ଠି ରହିଛି। ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଜୀବନଜୀବିକାର ବିକାଶ ଲାଗି ଅଗ୍ରାଧିକାର ଭିିତ୍ତିରେ ଏହି ଅର୍ଥ ଖର୍ଚ୍ଚ ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି।

ରାଜ୍ୟର ଅଧିକାଂଶ ଖଣି ଖାଦାନ ଭରା ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ରହିଛି ଏବଂ ଏହି ଅଞ୍ଚଳଗୁଡ଼ିକ ତୁଳନାତ୍ମକ ଭାବେ ଅନଗ୍ରସର ଥିବାରୁ ତାହାର ବିକାଶ ଲାଗି ‘ଓଡ଼ିଶା ମିନେରାଲ୍‌ ବିଅରିଂ ଏରିଆ ଲାଇଭ୍‌ଲିହୁଡ୍‌ ମିସନ୍‌’ ରାଜ୍ୟ ସରକାର ଗଢ଼ିବାକୁ ଯାଉଛନ୍ତି। ଇତିମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ଗଠିତ ହୋଇସାରିଛି। ଏହି ନିଗମ ସମ୍ପୃକ୍ତ ଅଞ୍ଚଳରେ ବାସଗୃହ ନିର୍ମାଣ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଭୂତଳ ଜଳ ସମ୍ପଦର ବିକାଶ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଉନ୍ନତି ଏବଂ ଲୋକଙ୍କ ଜୀବିକା ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ହାତକୁ ନେବାକୁ ସ୍ଥିର କରିଛନ୍ତି।

ଏଠାରେ ଉଲ୍ଲେଖନୀୟ ଯେ ଖଣିଜ ଅଞ୍ଚଳର କ୍ଷତିପୂରଣ ବାବଦକୁ ରାଜ୍ୟ ସରକାର ସମ୍ପୃକ୍ତ ସଂସ୍ଥାମାନଙ୍କ ଠାରୁ ୧୨ ହଜାର ୮୪୫ କୋଟି ଟଙ୍କା ଆଦାୟ କରିଛନ୍ତି ଏବଂ ଏହା ରାଜକୋଷରେ ଗଚ୍ଛିତ ଅଛି। ରାଜ୍ୟର ୯ଟି ଖଣିଜ ସମ୍ପଦ ଭରା ଜିଲ୍ଲାରେ ଏହି ପାଣ୍ଠି ବିନିଯୋଗ ହେବ। ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଗମ ବୈଠକରେ ୩ ହଜାର ୫୧୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଚଳିତ ମାସ ଶେଷ ସୁଦ୍ଧା ଏହି ପାଣ୍ଠିରୁ ବିନିଯୁକ୍ତ ଅର୍ଥରେ ୨୭ ହଜାର ବାସଗୃହ ନିର୍ମାଣ ସାରିବାପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରାୟ ୩୧୮ କୋଟି ଟଙ୍କା ବ୍ୟୟରେ ୧୯,୧୧୯ଟି ଘର ନିର୍ମାଣ ସରିଛି। ଆଠଟି ଖଣିଜ ଭିତ୍ତିକ ଜିଲ୍ଲାର ୬୯୧ଟି ପ୍ରଭାବିତ ଗାଁରେ ଆଉ ୧୬,୦୯୨ଟି ଘରର ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯର୍୍ୟାୟରେ ରହିଛି। ଖଣି ଅଞ୍ଚଳର ୬୯୧ଟି ଗାଁରେ ପାନୀୟ ଜଳ ପ୍ରକଳ୍ପ ଏହି ପାଣ୍ଠିରୁ ନିର୍ମିତ ହେବାକୁ ଥିବା ବେଳେ ସେଥିରୁ ୫୧ଟି ଗାଁରେ କାମ ସରିଲାଣି।

ସମ୍ପୃକ୍ତ ଅଞ୍ଚଳର ଅନ୍ୟୂନ ୨୦୦ ଏସ୍‌ସି ଓ ଏସ୍‌ଟି ବର୍ଗର ଯୁବକ ଯୁବତୀଙ୍କୁ ୨ ବର୍ଷିଆ ଇଲେକ୍‌ଟ୍ରିସିଆନ୍‌ ଓ ଫିଟର୍‌ କୋର୍ସରେ ପାଠ ପଢ଼ାଇ ଦକ୍ଷତା ବିକାଶ ସହିତ ସ୍ୱାବଲମ୍ବୀ କରିବା ପାଇଁ ପ୍ରସ୍ତାବ ରହିଛି। ଏମାନଙ୍କ ମଧ୍ୟରୁ ଏବେ ୧୬୮ ଜଣଙ୍କର ତାଲିମ୍‌ କାର୍ଯର୍୍ୟ ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର