ଭୁବନେଶ୍ୱର : ଶ୍ରୀମନ୍ଦିର ଅବ୍ୟବସ୍ଥାକୁ ନେଇ ଲଗାତର ଦ୍ୱିତୀୟ ଦିନ ପାଇଁ ବିଧାନସଭାର ପ୍ରଥମାର୍ଧ ଅଚଳ ହୋଇଯାଇଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ କିଛି ହୋଇପାରିନି। ସର୍ବଦଳୀୟ ବୈଠକ ପରେ ଆଇନ୍ ମନ୍ତ୍ରୀ ଗୃହରେ ବିବୃତି ଦେଇଥିଲେ। ତାପରେ ଅଚଳାବସ୍ଥା ଦୂର ହୋଇ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ କଂଗ୍ରେସ ଦଳ ଗୃହ ମଧ୍ୟ ଭାଗକୁ ମାଡ଼ିଆସିଥିଲେ। ବିଜେପି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଥିଲେ। ଶ୍ରୀମନ୍ଦିର କଥା ଆଗେ ଆଲୋଚନା ହେଉ ବୋଲି କଂଗ୍ରେସ ସଭ୍ୟମାନେ ନାରାବାଜି ଆରମ୍ଭ କରିବାରୁ କିଛି ସେକେଣ୍ଡ୍ ମଧ୍ୟରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ।
ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଲେ, ଗତକାଲି ଠାରୁ ଆମେ ସରକାରଙ୍କ ଠାରୁ ଉତ୍ତର ଚାହୁଁଛୁ। ସର୍ବଦଳୀୟ ବୈଠକ ଡାକି ଏ ସମ୍ପର୍କରେ ଆଲୋଚନା କରିବାକୁ କହିଛୁ। କିନ୍ତୁ ଆମ କଥା ଶୁଣାଯାଉନି। ଗତକାଲି ଆମେ ଗଲା ପରେ ସର୍ବଦଳୀୟ ବୈଠକ ଡକାଗଲା।
୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି ବିରୋଧୀ ବିଧାୟକମାନେ ହୋହଲ୍ଲା କରିଥିଲେ। ତେବେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ୧୨ଟା ୫୦ ଯାଏଁ ମୁଲତବୀ ରଖିଥିଲେ। ଏହା ପରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆଇନ୍ ମନ୍ତ୍ରୀ ଗୃହରେ ବିବୃତି ରଖିବେ ବୋଲି ନିଷ୍ପତ୍ତି ହୋଇଥିଲା। ୧୨ଟା ୫୦ରେ ବାଚସ୍ପତି ମନ୍ତ୍ରୀଙ୍କ ବିବୃତି ସଂପର୍କରେ ଗୃହକୁ ଅବଗତ କରାଇ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ।
ସାଧାରଣତଃ ମଧ୍ୟାହ୍ନରେ ୨ ଘଣ୍ଟା ବିରତି ରୁହେ। କିନ୍ତୁ ଆଜି ବାଚସ୍ପତି ତାଙ୍କ ସ୍ୱତନ୍ତ୍ର କ୍ଷମତା ବଳରେ ୩ ଘଣ୍ଟା ପାଇଁ ମଧ୍ୟାହ୍ନ ଭୋଜନ ବିରତି କରିଥିଲେ। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଆଇନ୍ ମନ୍ତ୍ରୀ ପହଞ୍ଚିପାରି ନ ଥିଲେ। ବିଜେପି ବିଧାୟକ ଦଳ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ‘ମନ୍ତ୍ରୀ ୪ଟା ବେଳେ ବିବୃତି ଦେବା କଥା। କିନ୍ତୁ ମନ୍ତ୍ରୀ ଗୃହରେ ଉପସ୍ଥିତ ନାହାନ୍ତି। ’ ମନ୍ତ୍ରୀ ଉପସ୍ଥିତ ହୋଇ ନ ପାରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୫ଟା ଯାଏଁ ମୁଲତବୀ ରଖିଲେ। ୫ଟାରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଗୃହକୁ ଆସି ବିବୃତି ଦେଲେ। ତାହା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ପୂର୍ତ୍ତ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ଗୃହୀତ ହୋଇଥିଲା।