ଆରମ୍ଭରୁ ପ୍ରବଳ ଉତ୍ସାହ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮

ନାମାଙ୍କନ ପଞ୍ଜୀକରଣ ଆଉ ୧୪ ଦିନ

ରାଜ୍ୟରେ ପ୍ରଥମ ଥର ପାଇଁ ‘ସମ୍ବାଦ’ ପକ୍ଷରୁ ନୂଆବର୍ଷରେ ଆୟୋଜିତ ହେବାକୁ ଯାଉଥିବା ‘ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮’କୁ ନେଇ ବିଭିନ୍ନ ଶିଳ୍ପସଂସ୍ଥା ଓ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି। ବୁଧବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାରର ଲୋଗୋ ଉନ୍ମୋଚନ କରାଯାଇଥିଲା। ଏହା ପରଠାରୁ ପୁରସ୍କାର ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଭିତରେ ଆଗ୍ରହ ଦେଖିବାକୁ ମିଳିଛି।

ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଂପାନିଗୁଡ଼ିକର ଲୋକ ସମ୍ପର୍କ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ୨୦୧୮ ଜାନୁଆରି ୧୯ ତାରିଖରେ ହୋଟେଲ କ୍ରାଉନ୍‌ରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ବର୍ଗରେ ବିଜେତା ଶିଳ୍ପସଂସ୍ଥାଗୁଡ଼ିକୁ ପୁରସ୍କୃତ କରିବେ। ପୁରସ୍କାର ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୨୦୧୮ ଜାନୁଆରି ୬।

ଅନ୍ୟପକ୍ଷରେ ବ୍ରାଣ୍ଡ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ ବିଷୟରେ ଅଧିକ ଜାଣିବା ପାଇଁ କଂପାନିଗୁଡ଼ିକ www.sambadawards.in ପରିଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି। ନିଜକୁ ପୁରସ୍କାର ପାଇଁ ଯୋଗ୍ୟ ମନେ କରୁଥିବା କଂପାନିଗୁଡ଼ିକ ଏହି ଓ୍ଵବସାଇଟ୍‌ରେ ଉପଲବ୍ଧ ଥିବା ଫର୍ମକୁ ପୂରଣ କରି ପୁରସ୍କାର ପାଇଁ ଆବେଦନ କରିପାରିବେ। ଏବେଠାରୁ ପୁରସ୍କାରକୁ ନେଇ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳୁଛି, ସେଥିରୁ ଏହା ପ୍ରତିଫଳିତ ହେଉଛି ଯେ ଜାନୁଆରି ୬ ସୁଦ୍ଧା ବହୁ ସଂଖ୍ୟକ ଶିଳ୍ପ ସଂସ୍ଥା ଏହି ପୁରସ୍କାର ପାଇଁ ଆବେଦନ କରିବେ। ଯଦି କେହି ପୁରସ୍କାର ବିଷୟରେ ଅଧିକ ବିବରଣୀ ହାସଲ କରିବାକୁ ଚାହୁଁଛନ୍ତି, ତେବେ ସେ ୯୮୬୧୦୯୪୧୭୪ ନମ୍ବରରେ କଲ୍‌ କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ ଏହି ପୁରସ୍କାର କାର୍ଯ୍ୟକ୍ରମରେ ବ୍ରାଣ୍ଡ୍‌/କଂପାନିଗୁଡ଼ିକ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯିବ। ସରକାରୀ ଉଦ୍ୟୋଗ (ପିଏସ୍‌ୟୁ), ଲାର୍ଜ ଏଣ୍ଟରପ୍ରାଇଜେସ୍‌ (ବଡ଼ ସଂସ୍ଥା), ମିଡିଅମ୍‌ ଏଣ୍ଟରପ୍ରାଇଜେସ୍‌ (ମଧ୍ୟମ ଧରଣର ସଂସ୍ଥା), ସ୍ମଲ୍‌ ଏଣ୍ଟରପ୍ରାଇଜେସ୍‌ (କ୍ଷୁଦ୍ର ସଂସ୍ଥା) ଓ ଇମର୍ଜିଂ ଏଣ୍ଟରପ୍ରାଇଜେସ୍‌ (ଉଦୀୟମାନ ସଂସ୍ଥା)ଙ୍କୁ ପୁରସ୍କୃତ କରାଯିବ। ସବୁ ବର୍ଗରେ ପ୍ଲାଟିନମ୍‌, ଗାଲ୍‌ଡ ଓ ସିଲଭର୍‌ ଭଳି ତିନି ପ୍ରକାର ପୁରସ୍କାର ପ୍ରଦାନ କରାଯିବ।

ବିଜେତା ଚୟନରେ ସମ୍ପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରାଯିବ। ଚୟନ ଦୁଇଟି ପର୍ଯ୍ୟାୟରେ ହେବ। ପୁରସ୍କାର ପାଇଁ ଆବେଦନ କରୁଥିବା କଂପାନି/ସଂସ୍ଥା ପକ୍ଷରୁ ନିଜ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। ସେହି ସବୁ ସୂଚନାକୁ ନିରପେକ୍ଷ ବିଚାରକ ମଣ୍ଡଳୀ ବିଭିନ୍ନ ଦିଗରୁ ଅନୁଧ୍ୟାନ କରିବା ପରେ ବିଜେତା ଚୟନ କରିବେ।

ସ୍ୱାଗତଯୋଗ୍ୟ ପଦକ୍ଷେପ: ଶୁଭ୍ରକାନ୍ତ ପଣ୍ଡା

‘ସମ୍ବାଦ’ ଭଳି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ‘କର୍ପୋରେଟ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ’ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବା ବିଷୟରେ ଜାଣିବା ପରେ ଦେଶର ଅନ୍ୟତମ ଅଗ୍ରଣୀ କଂପାନି ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଆନନ୍ଦ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରୁଛୁ।

ଏହି ପୁରସ୍କାର ବିଷୟରେ ଆପଣଙ୍କ ମତ କ’ଣ?
ଏହା ବହୁତ ଭଲ କଥା ଯେ ସମ୍ବାଦ ‘କର୍ପୋରେଟ୍‌ ଏକ୍ସେଲେନ୍‌ସ’ ପୁରସ୍କାର ପ୍ରଦାନ ଲାଗି ଘୋଷଣା କରିଛି। ମୁଁ ଭାବୁଛି ଓଡ଼ିଶାର ଶିଳ୍ପ ବିକାଶ ଏବଂ ଯେଉଁମାନେ ଏହି ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କ ସଫଳତାକୁ ପ୍ରତିଫଳିତ କରିବାରେ ଏହି ପୁରସ୍କାର ବହୁତ ଦୂର ଯାତ୍ରା କରିବ।

ରାଜ୍ୟରେ ଉତ୍ତମ ଶିଳ୍ପ ପରିବେଶ ସୃଷ୍ଟି କରିବାରେ ଏହା ସହାୟକ ହେବ କି?
ଶ୍ରେଷ୍ଠ ବିବେଚିତ ସଂସ୍ଥାକୁ ଦିଆଯାଉଥିବା ସ୍ୱୀକୃତିକୁ ଅନ୍ୟ ସମସ୍ତେ ଅନୁସରଣ କରିବାକୁ ଚାହାନ୍ତି। ଏହି ପରିପ୍ରେକ୍ଷୀରେ ମୁଁ ଭାବୁଛି ଯେ ଏକ ଅଗ୍ରଣୀ ଗଣାମଧ୍ୟମ ଗ୍ରୁପ୍‌ ଗ୍ରହଣ କରିଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ।

ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ନା ନାହିଁ?
ଶିଳ୍ପାୟନ ଜରିଆରେ ଲୋକମାନଙ୍କ ପାଖରେ ସୁବିଧା ପହଞ୍ଚାଇବାରେ ଓଡ଼ିଶା ବହୁତ ଭଲ ସଫଳତା ପାଇଛି। ଶିଳ୍ପାୟନ ଦ୍ୱାରା ନିଯୁକ୍ତି ସୃଷ୍ଟି ହୋଇଥିବା ସହିତ ସାମାଜିକ କଲ୍ୟାଣମୂଳକ ସ୍କିମ୍‌ ଆଗକୁ ବଢ଼ାଇବା ପାଇଁ ମାଧ୍ୟମ ମଧ୍ୟ ପ୍ରଦାନ କରିଛି। ମାତ୍ର ଏବେ ବି ବହୁତ କିଛି ହାସଲ କରାଯାଇପାରିବ। ବିଶେଷ କରି ରାଜ୍ୟ ଅର୍ଥନୀତିର ମୂଳଦୁଆ କୁହାଯାଉଥିବା ଖଣିଜ ଭିତ୍ତିକ ଶିଳ୍ପକୁ ସୁଦୃଢ଼ କରିବା ସହିତ ଅନ୍ୟ କ୍ଷେତ୍ରରେ ବିବିଧତା ଆଣିବାକୁ ପଡ଼ିବ।

ଆପଣ ଭାବୁଛନ୍ତି କି, ଏହି ପୁରସ୍କାର ନୂଆ ପିଢ଼ିକୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ?
ଓଡ଼ିଶାର ଏଣ୍ଟରପ୍ରେନିୟୋର୍‌ସିପ୍‌ ସମ୍ପୂର୍ଣ୍ଣ ଉନ୍ମୁକ୍ତ ହୋଇନାହିଁ। ସଫଳତା ହାସଲକାରୀଙ୍କୁ ସ୍ୱୀକୃତି ପ୍ରଦାନ କରି ଏକ ଟ୍ରେଣ୍ଡ୍‌ ସୃଷ୍ଟି କରିବା ନିଶ୍ଚିତପକ୍ଷେ ଅନ୍ୟମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ।

ଓଡ଼ିଶାର ଶିଳ୍ପାୟନ ଠିକ୍‌ ଦିଗରେ ଚାଲିଛି ନା ନାହିଁ? ଯଦି ନାହିଁ, ତେବେ ଏଥିରେ ଉନ୍ନତି ଆଣିବା ପାଇଁ ଆପଣ କ’ଣ ସବୁ ପରାମର୍ଶ ଦେବେ?
ଓଡ଼ିଶାକୁ ଏକ ନିବେଶ ଅନୁକୂଳ ରାଜ୍ୟ ଭାବେ ଉପସ୍ଥାପିତ କରିବା ପାଇଁ ଅନେକ ପ୍ରୟାସ ହେଉଛି ଓ ତାହାର ଫଳ ସମସ୍ତ ଦେଖିପାରୁଛନ୍ତି। ମାତ୍ର, ନୀତି ଓ ପ୍ରକ୍ରିୟାରେ ଆଉ ଟିକେ ଅଧିକ ସ୍ୱଚ୍ଛତା ଅଣାଗଲେ ଏବଂ ସହାୟତା ପ୍ରଦାନ କରାଗଲେ ପୁରୁଣା ଶିଳ୍ପଗୁଡ଼ିକର ବିକାଶ ଦୀର୍ଘସ୍ଥାୟୀ ହୋଇପାରିବ ଯାହା ଏକ ଉପଯୁକ୍ତ ନିବେଶ ସ୍ଥାନରେ ଓଡ଼ିଶାର ଛବିକୁ ଅଧିକ ଉଜ୍ଜ୍ୱଳ କରିବ।

ସମ୍ବନ୍ଧିତ ଖବର